ବରଗଡ଼ର ବିଭିନ୍ନ ଏଫସିଆଇ ଗୋଦାମରେ ଦିଲ୍ଲୀ ଟିମର ନମୁନା ସଂଗ୍ରହ ଜାରି | News Room Odisha

ବରଗଡ଼ର ବିଭିନ୍ନ ଏଫସିଆଇ ଗୋଦାମରେ ଦିଲ୍ଲୀ ଟିମର ନମୁନା ସଂଗ୍ରହ ଜାରି

ବରଗଡ଼ର: ଦିଲ୍ଲୀରୁ ଆସିଥିବା ଏଫ୍‌ସି ଆଇ ବରଗଡ଼ ଜିଲ୍ଲାରେ ଟିମ୍ ଆଜି ପହଞ୍ଚି କେନ୍ଦ୍ରୀୟ ବିଭିନ୍ନ ଓଏସ୍ଏସ୍‌ଡବ୍ଲୁ ଆରଆରସି ଗୋଦାମକୁ ଯାଇ ଯାଞ୍ଚ କରିଛନ୍ତି । ଭାରତ ସରକାରଙ୍କ ଖାଦ୍ୟ ମନ୍ତ୍ରାଳୟର ଆସିଷ୍ଟାଣ୍ଡ ଡାଇରେକ୍ଟର ପ୍ରୀତି ଶୁକ୍ଳାଙ୍କ ନେତୃତ୍ଵରେ ୧୨ରୁ ଅଧିକ ସଂଖ୍ୟକ ଅଧିକାରୀଙ୍କ ସହ ବରଗଡ଼ ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି ସକାଳୁ ଗୋଦାମ ଗସ୍ତ ଆରମ୍ଭ କରିଥିଲେ । ପଦ୍ମପୁର ମହୁଲପାଲି ଗୋଦାମ ସମେତ କେନ୍ଦପାଲି ଓଏସଡ଼ବୁ ସି – ୧ କେନ୍ଦପାଲି ଓଏସଡ଼ବ୍ଲୁସି – ୨ , ସିଡ଼ବ୍ଲୁସି କେନ୍ଦପାଲି – ୩ , ଗୋଡ଼ଭଗା ପଦ୍ମାବତୀ ଆରଆରସି ଗୋଦାମକୁ ଯାଇ ଚାଉଳର ମାନ ପରୀକ୍ଷା ସହ କାଗଜପତ୍ର ଯାଞ୍ଚ କରି ଗୋଦାମରେ ଗଚ୍ଛିତ ଚାଉଳର ନମୁନା ସଂଗ୍ରହ କରିଛନ୍ତି । ଦିଲ୍ଲୀ ଟିମ୍ ରାଜବୋଡ଼ାସମ୍ବର ବ୍ଲକ ବୁଡ଼େନ କଣ୍ଟ୍ରୋଲ ଦୋକାନକୁ ମଧ୍ୟ ଯାଇ ଦିଆଯାଉଥିବା ସାମଗ୍ରୀର ମାନ ପରୀକ୍ଷା କରିଥିଲେ । ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ସିସିଏସ୍ଓ ରଜନୀକାନ୍ତ ଦାସଙ୍କ ସମେତ ଜିଲ୍ଲା ଯୋଗାଣ ବିଭାଗର ବହୁ ପଦସ୍ଥ ଅଧିକାରୀ ଯାଞ୍ଚକାରୀ ଟିମକୁ ସହାୟତା କରୁଥିଲେ । ତେବେ ଅଚାନକ ଗସ୍ତ ନେଇ ଗଣମାଧ୍ୟମ ତରଫରୁ ଟିମ୍ ଲିଡ଼ରଙ୍କୁ ପଚାରିବା ପରେ ମୋଟେରୁ ସହଯୋଗ କରୁନଥିବା ବେଳେ ଏନେଇ ବରଗଡ଼ ସିସିଏସ୍ ମଧ୍ୟ ନୀରବ ରହୁଥିବାରୁ ଦିଲ୍ଲୀ ଟିମ୍ ର ଗସ୍ତ ସମ୍ପୂର୍ଣ୍ଣ ଭାବେ ସନ୍ଦେହ ଘେରକୁ ଟାଣି ହୋଇଛି ।

ସୂଚନା ଅନୁଯାୟୀ , ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉପରୋକ୍ତ ଟିମ ବରଗଡ଼ ସମେତ ସମ୍ବଲପୁର , ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଖବର ଲେଖଯିବା ଯାଏଁ ଟିମ ବରଗଡ଼ ଛାଡ଼ିନଥିବାରୁ ସବିଶେଷ ସ୍ପଷ୍ଟ ହୋଇପାରିନାହିଁ । ଅପରପକ୍ଷେ ଦିଲ୍ଲୀ ଟିମର ଗସ୍ତକୁ ସଚେତନବର୍ଗ ସନ୍ଦେହ ଦୃଷ୍ଟିରେ ଦେଖୁଥିବା ବେଳେ ବର୍ତ୍ତମାନ ଧାନକିଣାରେ ଚାଉଳ ଉଠାଣ ବାଧା ସାଜିଥିବାରୁ ଅରୁଆ – ଉଷୁନା କଳିକୁ ନେଇ ରାଜନୀତି କରାଯାଉଛି ବୋଲି ଚାଷୀ ମହଲର ଅଭିଯୋଗ କେନ୍ଦ୍ରୀୟ ଏଫ୍‌ସିଆଇ ଟିମର ଗସ୍ତକୁ ଚର୍ଚ୍ଚାର ପରିସରକୁ ଟାଣି ଆଣିଛି । ଅନ୍ୟ ପକ୍ଷରେ ବରଗଡ଼ ଆସିଥିବା ଟିମ୍ ଏଫ୍‌ସିଆଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ଯବହାର ପ୍ରଦର୍ଶନ କରିଥିବା ବେଳେ ଜଣକ କ୍ୟାମେରା ଛଡ଼େଇ ନେଇଥିବା ଅଭିଯୋଗ ଉଠୁଛି । ଏପରିକି ଉତ୍ୟକ୍ତ ଅଧିକାରୀ ଜଣକ କ୍ୟାମେରା ଛଡ଼ାଇବାକୁ ପଛେଇନଥିଲେ । ଖବରପାଇ ଆହୁରି କେତେକେ ଗଣମାଧ୍ୟମ ପ୍ରତିନିଧି ସେଠି ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ପରେ ତଥ୍ୟ ଡିଲିଟ କରି କ୍ୟାମେରା ଫେରାଇଥିବା ଘଟଣା ଟିମର ଉପସ୍ଥିତିକୁ ଆହୁରି ସନ୍ଦେହକୁ ଟାଣିନେଇଛି । ତେବେ ବରଗଡ଼ବାସୀ ଚାଷୀଙ୍କୁ ଅନ୍ଧାରରେ ରଖି ଯାଞ୍ଚ ଚଳାଇଥିବା ଟିମ୍ ର ଆଚରଣରୁ ଅରୁଆ – ଉଷୁନା ଚାଉଳ କଳି ସହ ଓଡ଼ିଶାର ବିରୋଧକୁ ଦମନ କରିବା ପାଇଁ କେନ୍ଦ୍ରର ଏହା ଏକ ଚାଲ ବୋଲି ଚାଷୀ ଅଭିଯୋଗ କରିଛନ୍ତି ।