ଧର୍ମେନ୍ଦ୍ରଙ୍କୁ ବବିଙ୍କ କଡା ଜବାବ: ବିଜେଡି ଅହିଂସାର ପଥିକ, ବିଜେପି ଆଗ ନିଜ ସାଂସଦ ବିଧାୟକଙ୍କ ଆଚରଣ ଦେଖୁ | News Room Odisha

ଧର୍ମେନ୍ଦ୍ରଙ୍କୁ ବବିଙ୍କ କଡା ଜବାବ: ବିଜେଡି ଅହିଂସାର ପଥିକ, ବିଜେପି ଆଗ ନିଜ ସାଂସଦ ବିଧାୟକଙ୍କ ଆଚରଣ ଦେଖୁ

ଭୁବନେଶ୍ୱର: ବିଜେଡି ସବୁ ବେଳେ ଅହିଂସାରେ ବିଶ୍ଵାସ କରେ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ଦ୍ବାରା ଗଣତନ୍ତ୍ରକୁ ସୁଦୃଢ କରାଯାଇ ପାରିବ ବୋଲି କହିଛନ୍ତି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏବଂ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ନିର୍ବାଚନୀ ହିଂସାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟ୍‌ର ଜବାବ ଦେଇ ଶ୍ରୀ ଦାସ କହିଛନ୍ତି ଯେ ଦୁଃଖର କଥା ହେଉଛି ଓଡିଶାର ପ୍ରମୁଖ ବିରୋଧୀ ଦଳ ବିଜେପି , ଚଳିତ ପଞ୍ଚାୟତ ନିର୍ବାଚନରେ ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି । ବିଜେପି ନେତା ଓ କର୍ମୀମାନେ ଗଜପତି ଓ ପିପିଲିରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଛନ୍ତି ।

କୋରାପୁଟ , ସାଲେପୁର , ବ୍ରହ୍ମଗିରି , କଣାସ , ଢେଙ୍କାନାଳ ଏବଂ ଆହୁରି ଅନେକ ଜିଲ୍ଲାମାନଙ୍କରେ ବିଜେପି ନିର୍ବାଚନୀ ହିଂସା କରିଛି । ଏହା ପୂର୍ବରୁ ବିଜେପି ସାଂସଦ ଜୁଏଲ ଓରାମ ଜଣେ ମହିଳାଙ୍କ ସହ ଅସଦାଚରଣ କରିବା ଓ କେନ୍ଦ୍ର ମନ୍ତ୍ରୀ ବିଶେଶ୍ଵର ଟୁଡୁ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ତାଙ୍କ ହାତ ଭାଙ୍ଗି ଦେବା ଭଳି ଘଟଣା ବିଜେପିର ହିଂସା ପ୍ରବଣତାକୁ ଦର୍ଶାଇ ଥିଲା । ବିଜେଡି ଆଶା କରୁଛି ଯେ ବିଜେପି ହିଂସାରୁ ନିବୃତ୍ତ ରହି ଏହି ଗଣତନ୍ତ୍ରର ପର୍ବକୁ ଅହିଂସା ଦ୍ବାରା ସୁଦୃଢ କରିବ ବୋଲି ଶ୍ରୀ ଦାସ କହିଛନ୍ତି ।