ମହାଶିବରାତ୍ରି : ରାତି ୧୦ଟାରେ ଉଠିବ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ | News Room Odisha

ମହାଶିବରାତ୍ରି : ରାତି ୧୦ଟାରେ ଉଠିବ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର- ଏଥର ମହାଶିବରାତ୍ରୀରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ । ରାତି ୧୦ଟାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଉଠିବ ମହାଦୀପ । ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଆଉ କିଛି ନିଷ୍ପତ୍ତି ମଧ୍ୟ ନିଆଯାଇଛି। ମନ୍ଦିର ଭିତରେ କୋଭିଡ୍ କଟକଣା ଭିତରେ ଭକ୍ତମାନେ ଦୀପ ଜାଳିପାରିବେ। ମନ୍ଦିରର ଗର୍ଭଗୃହ ଭିତରକୁ ଭକ୍ତମାନେ ଯାଇ ପାରିବେ ନାହିଁ। ଆଡ଼କାଠ ପାଖରୁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଭକ୍ତ।

ଶିବରାତ୍ରୀ ଦିନ ରାତି ୩ ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ । ସକାଳ ୫ ଟା ଯାଏଁ ସେବାୟତଙ୍କ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ। ୫ଟା ପରଠାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ।

ମହାଶିବରାତ୍ରୀର ସମସ୍ତ ରୀତିକାନ୍ତି ସୁରୁଖୁରୁରେ ସଂପାଦନ କରିବା ପାଇଁ ସମସ୍ତ ନିଯୋଗ ପୂର୍ଣ୍ଣ ସହଯୋଗ ଦେବେ ବୋଲି ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି। ଶାନ୍ତି ଶୃଙ୍ଖଳିତ ରକ୍ଷା କରିବା ପାଇଁ ପୁଲିସ୍ ବିଭାଗ ସହିତ ଆଲୋଚନା କରାଯାଇଛି।