‘ବିଏସ୍‌କେୱାଇ’ରେ ଉପକୃତ ହେଲେ ଦୁଇ ରୋଗୀ | News Room Odisha

‘ବିଏସ୍‌କେୱାଇ’ରେ ଉପକୃତ ହେଲେ ଦୁଇ ରୋଗୀ

ବ୍ରହ୍ମପୁର: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଜରିଆରେ ରାଜ୍ୟର ହଜାର ହଜାର ଦୁଃସ୍ଥ, ଗରିବ, ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିବିଶେଷ ଉପକୃତ ହେବାରେ ଲାଗିଛନ୍ତି। ଏହି ଯୋଜନା ଜରିଆରେ ସେମାନେ କେବଳ ଯେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପାଇପାରୁ ନାହାନ୍ତି, ବରଂ ଜଟିଳ ବ୍ୟବସ୍ଥା ପ୍ରକ୍ରିୟାରୁ ମୁକ୍ତ ରହୁଛନ୍ତି। ଅନେକ ଦୁଃସ୍ଥ ରୋଗରୁ ମୁକ୍ତ ହୋଇ ସୁସ୍ଥ ଭାବେ ଘରକୁ ଫେରି ପାରୁଛନ୍ତି। ଯାହା ଅନେକ ପରିବାର ପାଇଁ ଆନନ୍ଦର ମାହୋଲ ଆଣିଦିଏ।

ଏହି ଧାରାରେ ଯୋଡ଼ି ହୋଇଯାଇଛି ଆଉ ଦୁଇଟି କାହାଣୀ। ବିଏସ୍‌କେୱାଇ ଜରିଆରେ ଆଉ ଦୁଇ ଜୀବନ ବଞ୍ଚାଯିବା ସମ୍ଭବପର ହୋଇପାରିଛି। ଜଣେ ହେଲେ କୋରାପୁଟ ଜିଲ୍ଲାର ଗାୟତ୍ରୀ ଗୌଡ଼। ଏହି ୧୯ ବର୍ଷୀୟା ଯୁବତୀ ଗତ ୬ ମାସ ଧରି ସେ ଏକ କଠିନ ରୋଗରେ ପୀଡ଼ିତ ଥିଲେ। ଭୀଷଣ ଯନ୍ତ୍ରଣା ସହି ଆସୁଥିଲେ ଗାୟତ୍ରୀ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପରିବାର ଲୋକ ତାଙ୍କ ଚିକିତ୍ସା କରାଇ ଆସୁଥିଲେ। ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ସହ ବିଭିନ୍ନ ସ୍ୱାସ୍ଥ୍ୟଗତ ପରୀକ୍ଷା କରାଯାଇ ସାରିଥିଲା। ତେବେ ତ୍ଵରିତ ସୁସ୍ଥ ହେବାର ଆଶା କ୍ଷୀଣ ଥିଲା। କାରଣ ତାଙ୍କର ସ୍ପାଇନ୍ ଆଣ୍ଡ୍ ନ୍ୟୁରୋ ସର୍ଜରୀର ଆବଶ୍ୟକତା ଥିବା ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷଣରୁ ଜଣାପଡ଼ିଥିଲା। ଏହାର ଚିକିତ୍ସା ପାଇଁ ପ୍ରାୟତଃ ୫ ଲକ୍ଷ ଟଙ୍କା ଆବଶ୍ୟକତା ଥିଲା ଯାହା ଗାୟତ୍ରୀଙ୍କ ଗରିବ ପରିବାର ପାଇଁ ଏକରକମ ଅସମ୍ଭବ ଥିଲା।

ଏତେ ଟଙ୍କା କିଭଳି ଯୋଗାଡ଼ କରି ନିଜ ଯୁବତୀ ଝିଅର ଚିକିତ୍ସା କରିବେ ସେହି ଚିନ୍ତାରେ ପରିବାର ଲୋକ ଥିବା ବେଳେ ସେମାନଙ୍କ ପାଇଁ ଆଶାର ଆଲୋକ ସାଜିଥିଲା ବିଏସ୍‌କେୱାଇ। ପରିବାରବର୍ଗ ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ଯୋଗାଯୋଗ କରିଥିଲେ। ସେମାନଙ୍କ ପରିବାର ନିକଟରେ ବିଏସ୍‌କେୱାଇ କାର୍ଡ ଥିବା ଜାଣିପାରି ବିଧାୟକ ସେମାନଙ୍କ ଉନ୍ନତ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ଏକ ଘରୋଇ ଅତ୍ୟାଧୁନିକ ହସ୍ପିଟାଲରେ ଗାୟତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଫଳ ଏୟା ହୋଇଥିଲା ଯେ କିଛି ଦିନ ମଧ୍ୟରେ ଗାୟତ୍ରୀଙ୍କ ଉନ୍ନତ
ଚିକିତ୍ସା ସହ ଅସ୍ତ୍ରୋପଚାର କରାଯାଇ ତାଙ୍କୁ ନୂଆ ଜୀବନ ଦେବା ସମ୍ଭବପର ହୋଇଥିଲା। ଏଥିପାଇଁ ପରିବାର ଲୋକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବହୁମୁଖୀ ଜନକଲ୍ୟାଣ ଯୋଜନା ବିଏସ୍‌କେୱାଇ ବାବଦରେ କୃତଜ୍ଞତା ଜଣାଇ ସାରା ଜୀବନ ଋଣୀ ହୋଇ ରହିବୁ ବୋଲି କହିଥିଲେ। ଏହି ଘଟଣାରେ ବିଧାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ- ଏହାର ସମ୍ପୂର୍ଣ୍ଣ ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ତାଙ୍କର ଦୂରଦୃଷ୍ଟି ଏବଂ ଯୁଗାନ୍ତକାରୀ ଯୋଜନା ବିଏସ୍‌କେୱାଇକୁ ଦିଆଯିବା ଉପଯୁକ୍ତ। ସମସ୍ତ ଓଡ଼ିଶାବାସୀଙ୍କ ତରଫରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।

ଆଉ ଏକ ଘଟଣା ହେଲା ଗଞ୍ଜାମ ଜିଲ୍ଲା ଡେଙ୍ଗାପଦର ଗ୍ରାମର ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡ଼ିତ ଭାଗ୍ୟଲକ୍ଷ୍ମୀ ସାହୁଙ୍କ ଉଦାହରଣ। ବ୍ରହ୍ମପୁର ଏମ୍‌କେସିଜି ଟିବି ଓ ଚେଷ୍ଟ ବିଭାଗରେ ଚିକିତ୍ସାଧୀନ ଥିଲେ ଭାଗ୍ୟଲକ୍ଷ୍ମୀ। ଛାତିରେ ପାଣି ଜମି ଯାଉଥିବାରୁ ତାଙ୍କର ଶରୀରରୁ ତାହାକୁ ନିୟମିତ ବ୍ୟବଧାନରେ ନିଷ୍କାସନ କରାଯାଉ ଥିଲା। ତଥାପି ଉଚ୍ଚ ଚିକିତ୍ସା ତଥା ଶୀଘ୍ର ଆରୋଗ୍ୟ ସକାଶେ ଭାଗ୍ୟଲକ୍ଷ୍ମୀଙ୍କୁ କୌଣସି ଅତ୍ୟାଧୁନିକ ହସ୍‌ପିଟାଲକୁ ନିଆଯିବାର ଆବଶ୍ୟକତା ଥିଲା। କିନ୍ତୁ ଏହି ମହିଳାଙ୍କ ପରିବାରର ଆର୍ଥିକ ଅବସ୍ଥା ଏତେ ସ୍ବଚ୍ଛଳ ନଥିଲା ଯେ ସେମାନେ କୌଣସି ବଡ଼ ଡାକ୍ତରଖାନାରେ ଭାଗ୍ୟଲକ୍ଷ୍ମୀଙ୍କ ଚିକିତ୍ସା କରାଇ ପାରିଥାନ୍ତେ। ତେବେ ବ୍ରହ୍ମପୁର ବିଧାୟକଙ୍କ ସହଯୋଗରେ ଭାଗ୍ୟଲକ୍ଷ୍ମୀଙ୍କୁ ବିଏସ୍‌କେୱାଇ ଜରିଆରେ ବିଶାଖାପାଟଣାର ଏକ ଘରୋଇ ହସପିଟାଲରେ ଆଡ୍‌ମିଟ୍ କରାଯାଇ ଥିଲା। ଫଳରେ ଭାଗ୍ୟଲକ୍ଷ୍ମୀଙ୍କ ତୁରନ୍ତ ଉନ୍ନତ ଚିକିତ୍ସା ସମ୍ଭବ ହୋଇଥିଲା। ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ ପରିବାର ଲୋକଙ୍କ ନିକଟକୁ ଆରୋଗ୍ୟ ଶରୀର ଓ ସ୍ୱାସ୍ଥ୍ୟ ନେଇ ଫେରି ଆସିଛନ୍ତି ଭାଗ୍ୟଲକ୍ଷ୍ମୀ। ସତେ ଯେମିତି ବିଏସ୍‌କେୱାଇ ତାଙ୍କ ପାଇଁ ଭାଗ୍ୟର ଆଶୀର୍ବାଦ ପାଲଟିଥିଲା। ଭାଗ୍ୟଲକ୍ଷ୍ମୀ ସୁସ୍ଥ ହୋଇ ଘରକୁ ଫେରିବା ପରେ ପରିବାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।