ମୁଖ୍ୟମନ୍ତ୍ରୀଙ୍କ ଉପରେ ସମସ୍ତଙ୍କ ଭରସା: ରାଜ୍ୟ ସରକାରଙ୍କ ସହଯୋଗରେ ୟୁକ୍ରେନ୍‌ରୁ ଫେରିବେ ମେଡିକାଲ ଛାତ୍ର ଛାତ୍ରୀ | News Room Odisha

ମୁଖ୍ୟମନ୍ତ୍ରୀଙ୍କ ଉପରେ ସମସ୍ତଙ୍କ ଭରସା: ରାଜ୍ୟ ସରକାରଙ୍କ ସହଯୋଗରେ ୟୁକ୍ରେନ୍‌ରୁ ଫେରିବେ ମେଡିକାଲ ଛାତ୍ର ଛାତ୍ରୀ

ଛତ୍ରପୁର: ଗୋଟିଏ ପଟେ ସାରା ବିଶ୍ୱର ନଜର ଋଷ– ୟୁକ୍ରେନ୍ ଯୁଦ୍ଧ ଉପରେ। ଆରପଟେ ସେଠି ରହି ପଢୁଥିବା ସମସ୍ତ ଓଡ଼ିଆ ତଥା ଭାରତୀୟଙ୍କ ଅଭିଭାବକଙ୍କ ନଜର ଏବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ। ବିଶେଷ କରି ପ୍ରାୟ ଦୁଇ ହଜାର ସଂଖ୍ୟାରେ ୟୁକ୍ରେନ୍‌ରେ ରହି ଡାକ୍ତରୀ ଶିକ୍ଷା ଅଧ୍ୟୟନ କରୁଥିବା ଓଡ଼ିଆଙ୍କ ପିତାମାତାଙ୍କ ନଜର ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିବଦ୍ଧ। ସମସ୍ତଙ୍କ ଆଶା ଓ ବିଶ୍ଵାସ ଯେ କେବଳ ରାଜ୍ୟ ଭିତରେ ନୁହେଁ ରାଜ୍ୟ ବାହାରେ ଏପରିକି ଆବଶ୍ୟକ ସମୟରେ ବିଦେଶରେ ମଧ୍ୟ ଓଡ଼ିଆଙ୍କ ପାଇଁ ତ୍ରାଣକର୍ତ୍ତା ପାଲଟିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚୟ ଭାବେ ସେମାନଙ୍କ ଛୁଆମାନଙ୍କୁ ଯୁଦ୍ଧର ଘନଘଟା ମଧ୍ୟରୁ ଉଦ୍ଧାର କରି ସୁରକ୍ଷିତ ଫେରାଇ ଆଣିବାରେ ସହାୟକ ହୋଇପାରିବେ। ସମସ୍ତ ବିପତ୍ତି ଅଥବା ସୁବିଧା ସମୟରେ ପ୍ରତିଟି ଓଡ଼ିଆ ପାଇଁ ପରିବାରର ମୁଖ୍ୟ ଭାବେ ଚିନ୍ତା କରି ସହାୟତାର ହାତ ବଢ଼ାଇ ଆସିଥିବା ମୁଖ୍ୟମନ୍ତ୍ରୀ ଯେ ଏବେ ମଧ୍ୟ ୟୁକ୍ରେନ୍‌ରୁ ଓଡ଼ିଆ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନିରାପଦରେ ନିଜ ରାଜ୍ୟ ତଥା ଭିଟାମାଟିକୁ ଫେରାଇ ଆଣିବେ ସେହି ଦମ୍ଭ ସମସ୍ତଙ୍କ ମନରେ ରହିଛି।

ଅଭିଭାବକଙ୍କ ଆଶା ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ଯୁଦ୍ଧଗ୍ରସ୍ତ ସୁଦୂର ଦେଶରୁ ନିଜ ରାଜ୍ୟର ଭବିଷ୍ୟତ ପିଢ଼ିଙ୍କୁ ଫେରାଇ ଆଣିବାକୁ ଘୋଷଣା କରିଛନ୍ତି। ୟୁକ୍ରେନରେ ଫସି ରହିଥିବା ଓଡ଼ିଆଙ୍କ ଉଦ୍ଧାର ପାଇଁ ସ୍ଵତନ୍ତ୍ର ରିଲିଫ୍ କମିଶନରୄ କାର୍ଯ୍ୟାଳୟ ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀସ୍ଥିତ ଓଡ଼ିଶା ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ଲାଗି ସ୍ବତନ୍ତ୍ର ସହାୟତା ସେଲ୍ ଖୋଲାଯାଇଛି। ୟୁକ୍ରେନରେ ଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଏ ବାବଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣୁ ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ଆଶା ଓ ବିଶ୍ଵାସ ଉଦଜୀବିତ ହୋଇ ଉଠିଛି।

ୟୁକ୍ରେନ୍‌ରୁ ଯୁଦ୍ଧ ଆରମ୍ଭ ପରେ ଏବେ ଓଡ଼ିଶାବାସୀଙ୍କ ଚିନ୍ତା ବଢ଼ିଛି। କାରଣ ସେମାନଙ୍କ ପୁଅ ଝିଅ ଋଷର ମିଶାଇଲ୍ ମାଡ଼ ହେଉଥିବା ୟୁକ୍ରେନ୍‌ର ବିଭିନ୍ନ ସହର ଯଥା ଖାରକିଭ, ଡେନ୍‌ପ୍ରୋ, କାରାଜିନ୍, ଲାଭିବ୍, ଭିନିସ୍ତିଆ ଓ ରାଜଧାନୀ କିଭରେ ଭୟଭୀତ ଅବସ୍ଥାରେ ଆତ୍ମଗୋପନ କରି ବଙ୍କର, ଅଣ୍ଡର୍‌ଗ୍ରାଉଣ୍ଡ୍‌ରେ ଦିନରାତି କାଟୁଛନ୍ତି। ସତେଯେମିତି ଗୋଟିଏ ଗୋଟିଏ ଦିନ ଗୋଟିଏ ଗୋଟିଏ ଯୁଗ ଭଳି ଲାଗୁଛି । ଅର୍ଥ ନାହିଁ, ଖାଦ୍ୟ ଅଭାବ, ପୁଣି ଜୀବନ ଭୟ… ଏହା ମଧ୍ୟରେ ଜୀବନ ଭୟରେ ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ କିନ୍ତୁ ରାଜ୍ୟ ସରକାରଙ୍କ ଘୋଷଣା ଓ ସହାୟତାରେ ଆଶାବାନ ହୋଇ ଉଠିଛନ୍ତି ଯେ- ସେମାନେ ସୁରକ୍ଷିତ ଭାବେ ନିଜ ରାଜ୍ୟକୁ ଫେରି ଆସିବେ। କେବଳ ହ୍ବାଟ୍‌ସ୍ ଆପ୍ ଓ ଫୋନ୍ କଲ୍ ଜରିଆରେ ପରିବାର ଲୋକଙ୍କ ସହ ଯୋଗାଯୋଗ ରକ୍ଷା କରି ଆସୁଛନ୍ତି।

ବ୍ରହ୍ମପୁର ସହର ଓ ଆଖପାଖ ଅଞ୍ଚଳରୁ ପ୍ରାୟ ୨୦ ଜଣ ବିଦ୍ୟାର୍ଥୀ ୟୁକ୍ରେନ୍‌ରେ ଫସି ରହିଥିବା ସୂଚନା ମିଳିଛି। ହାତଗଣତି କେଇ ଜଣ ଫେରି ଆସିଛନ୍ତି। ହିଲପାଟଣା ଗୋପବନ୍ଧୁ ନଗରର ଅର୍ପଣ ପାଢ଼ିଙ୍କ ସମେତ ବ୍ରହ୍ମପୁରର ପ୍ରତ୍ୟୁଷ କୁମାର ମହାନ୍ତି, କିରଣ କୁମାର ପୁଲି, ପ୍ରତୀକ ମାଇଣ, ପ୍ରେମ ଆନନ୍ଦ ମହାଙ୍କୁଡ଼, ବିଦିଶ୍ରୀ ସାହୁ, ଆଦିତ୍ୟ ନାରାୟଣ ପାତ୍ର, ପ୍ରତ୍ୟୁଷ ମହାନ୍ତି, ଆଶିଷ ସେଠୀ ୟୁକ୍ରେନ୍‌ର ଖାରକିଭ୍ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟିରେ ଅଧ୍ୟୟନରତ। କେଉଁ ସମୟରେ କିଛି ବି ଘଟିପାରେ ବୋଲି ସେମାନଙ୍କ ମନରେ ଭୟ ରହିଛି। ଓଡ଼ିଶା ସମେତ ଅନ୍ୟ ବହୁ ଭାରତୀୟ ଏବଂ ଅନ୍ୟ କିଛି ଦେଶର ବହୁ ବିଦ୍ୟାର୍ଥୀ ସେଠାରେ ଗୋଟିଏ ହଷ୍ଟେଲରେ ରହୁଛନ୍ତି। ହେଲେ ହଷ୍ଟେଲ୍‌ରେ ରୋଷେଇ ବନ୍ଦ ଥିବାରୁ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି ପିଲାଏ। କିଛି ସମୟ ପାଇଁ ଦୋକାନ ବଜାର ଖୋଲିବାରୁ କେକ୍ ଓ ବିସ୍କୁଟ୍ କିଣି ଆଣି ରଖିଛନ୍ତି। ଏଟିଏମ୍‌ରେ ଟଙ୍କା ଉଠଇ ପାରୁନାହାନ୍ତି। ବେଳେ ବେଳେ ବିସ୍ଫୋରଣ ଶବ୍ଦ ମଧ୍ୟ ଶୁଣିବାକୁ ପାଉଛନ୍ତି। ସରକାର ଆମକୁ ଅତି ଶୀଘ୍ର ଏଠାରୁ ନେବା ବନ୍ଦୋବସ୍ତ କରିବେ ବୋଲି ସେମାନଙ୍କ ମନରେ ଆଶା ଜୀବନ୍ତ ରହିଛି। ଅର୍ପଣଙ୍କ ପିତା ଡ. ନଳିନୀକାନ୍ତ ପାଢ଼ୀ ଓ ମା’ ମମତା ପାଢ଼ୀ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ସରକାରଙ୍କ ଉପରେ ଅନେକ ଆଶା ରଖିଛନ୍ତି।

ସେହିପରି କାରାଜିନ୍ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟିରେ ପଢୁଛନ୍ତି ବିଜୟ ନଗରର ଉମାକାନ୍ତ ମହାପାତ୍ର, ଲିପି ମହାପାତ୍ର ପ୍ରମୁଖ। କିଛି ଛାତ୍ରଛାତ୍ରୀ ବଙ୍କରରେ ଆଶ୍ରୟ ନେଇଥିବା ବେଳେ ଅନେକ ପିଲା ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ ଷ୍ଟେସନ୍ ଭଳି ସୁରକ୍ଷିତ ଆଶ୍ରୟସ୍ଥଳୀ ଖୋଜି ସେଠାରେ ଶରଣ ନେଇଛନ୍ତି। କିଛି ଜଣ ଭାରତୀୟ ଦୂତାବାସରେ ମୁଣ୍ଡ ଗୁଞ୍ଜି ରହିଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ଆଶା ଯେ- ଶୀଘ୍ର ସ୍ବଦେଶ ଫେରିବାକୁ ସକ୍ଷମ ହେବେ। ରାଜ୍ୟ ସରକାରଙ୍କ ପଦକ୍ଷେପ ନିଶ୍ଚିତ ଭାବେ ଏ ଦିଗରେ ସହାୟକ ହେବ ବୋଲି କହିଛନ୍ତି ବାବାଜୀତୋଟା ସାହିର ଡ . ସୁବ୍ରତ ସାହୁ ଓ ସୁଜାତା ଦାସ। ତାଙ୍କ ବଡ଼ ଝିଅ ଆକାଂକ୍ଷା ସାହୁଙ୍କ ଭଳି ଅନେକ ଶେଷ ବର୍ଷ ମେଡିକାଲ ଛାତ୍ରଛାତ୍ରୀ ୟୁକ୍ରେନ୍‌ରେ ପଢ଼ୁଛନ୍ତି। ୟୁକ୍ରେନ୍‌ର ମେଡିକାଲ୍ ୟୁନିଭର୍ସିଟି କର୍ତ୍ତୃପକ୍ଷ ସେମାନଙ୍କୁ ଢାଲ ଭଳି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଆକାଂକ୍ଷା।

ରଙ୍ଗେଇଲୁଣ୍ଡା ଵ୍କକ୍ ରଣ୍ଡା ଗ୍ରାମର ଲିଙ୍ଗରାଜ ସାବତଙ୍କ ପୁଅ ବାଦଲ କୁମାର ସାବତ ଓ କନିଷି ହାଟର ସନାତନ ଶତପଥୀଙ୍କ ଭଳି ଓଡ଼ିଆ ଡାକ୍ତରୀ ଛାତ୍ର ମଧ୍ୟ ୟୁକ୍ରେନରେ ଫସି ରହିଛନ୍ତି। ସବୁ ସମୟରେ ମିଶାଇଲ୍ ମାଡ଼ର ଭୟ ରହୁଛି ବୋଲି କହିଛନ୍ତି ବାଦଲ। ଦୁହେଁ ଗୋଟିଏ ଜାଗାରେ ରହିଥିବା ବେଳେ ଶୀତ ଋତୁରେ ପାଣି, ଖାଦ୍ୟ ଅଭାବ ଆଶଙ୍କା ଦେଖାଦେଇଛି। ବାପା ଲିଙ୍ଗରାଜ ଓ ମା’ ସୁଦେଖା ଦିନ ରାତି ଟିଭି ଦେଖିବା ସହ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି। ଆଉ ଆଶା କରୁଛନ୍ତି ଓଡ଼ିଶା ସରକାରଙ୍କ ଉଦ୍ୟମ ନିଶ୍ଚିତ ଫଳବତୀ ହେବ।

ସେପଟେ ୟୁକ୍ରେନରୁ ଫେରି ଆସିଛନ୍ତି ବ୍ରହ୍ମପୁର ଅଶୋକ ନଗରର ଡି. ଆଦର୍ଶ ପାତ୍ର ଏବଂ ସିଦ୍ଧାର୍ଥ ନଗରର ବିଶ୍ବମ୍ବର ବାଡ଼ତ୍ୟା। ଉଭୟେ କାରାଜିନ୍ ନ୍ୟାସନାଲ ମେଡିକାଲ୍ ୟୁନିଭର୍ସିଟିରେ ତୃତୀୟ ବର୍ଷରେ ଡାକ୍ତରୀ ଅଧ୍ୟୟନ କରୁଥିଲେ। ୨୦୧୯ ସେପ୍ଟେମ୍ବରରେ ସେମାନେ ୟୁକ୍ରେନ୍ ଯାଇଥିଲେ। ଦୁହିଁଙ୍କ ସହ ପୁରୀର ମିହିର ନାରାୟଣ ଦଳେଇ ୟୁକ୍ରେନ୍‌ରୁ ତୁର୍କୀ ଏୟାରଲାଇନ୍ସ ଯୋଗେ ବାହାରି ଆସିବାରେ ସକ୍ଷମ ହୋଇଛନ୍ତି। ଶୁକ୍ରବାର ରାତିରେ ସେମାନେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ସେପଟେ ଆଙ୍କୋଲିସ୍ଥିତ ପଶ୍ଚିମେଶ୍ଵର ଶିବ ମନ୍ଦିର ନିକଟ ପଦ୍ମଶେଖର ମିଶ୍ର ଓ ମମତା ମିଶ୍ରଙ୍କ ପୁଅ ଅସିତ୍ ମିଶ୍ର ଯେକି ୟୁକ୍ରେନ୍‌ର ଲଭିବ ନ୍ୟାସନାଲ୍ ଡାକ୍ତରୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଥିଲେ ସେ ଫେବୃୟାରୀ ୧୬ରୁ ୟୁକ୍ରେନ୍‌ରୁ ଫେରିଛନ୍ତି।