କନ୍ଧମାଳ: ଯବାନ, ଆମ୍ବୁଲାନ୍ସ ଷ୍ଟାଫ୍‌ଙ୍କ ମହନୀୟତା | News Room Odisha

କନ୍ଧମାଳ: ଯବାନ, ଆମ୍ବୁଲାନ୍ସ ଷ୍ଟାଫ୍‌ଙ୍କ ମହନୀୟତା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ସାଧାରଣ ଜନତାଙ୍କ ସେବାରେ କିଭଳି ସରକାରୀ କର୍ମଚାରୀ ତତ୍ପରତା ଦେଖାଇଛନ୍ତି ତାହା ନଜରକୁ ଆସିଛି। କେବଳ ସୁରକ୍ଷା ନୁହଁ, ଜନସାଧାରଣଙ୍କ ଜୀବନ ରକ୍ଷାକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ଦେଶର ଯବାନ। କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ସଶସ୍ତ୍ର କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ। ଏହି ସିଆର୍‌ପିଏଫ୍ ଯବାନମାନେ ପୂର୍ବରୁ ବିଭିନ୍ନ ସାମାଜିକ କାର୍ଯ୍ୟ ଜରିଆରେ ଲୋକଙ୍କ ନିକଟତର ହେଉଥିବା ବେଳେ ଜନହିତକର କାର୍ଯ୍ୟରେ ମଧ୍ୟ ନିଜକୁ ସାମିଲ କରି ଆସୁଛନ୍ତି।

ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାରେ ଦୁଇ ଜଣ ସିଆର୍‌ପିଏଫ୍ ଯବାନ ରକ୍ତଦାନ କରି ଦୁଇ ବର୍ଷ ଓ ଚାରି ବର୍ଷ ବୟସର ଦୁଇ କୋମଳମତି ଶିଶୁଙ୍କ ଜୀବନ ରକ୍ଷାରେ ସହାୟକ ହୋଇଛନ୍ତି। ଦୁଇ ଶିଶୁ ରକ୍ତଶିକୁଳି ରୋଗାକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ସେମାନଙ୍କ ଶରୀର ତଥା ରକ୍ତରେ ହିମୋଗ୍ଲୋବିନ୍ ମାତ୍ରା ୪ ପ୍ରତିଶତରୁ ତଳକୁ ଖସି ଯାଇଥିବାରୁ ତୁରନ୍ତ ରକ୍ତର ଆବଶ୍ୟକତା ଥିଲା। ଏଭଳି ସ୍ଥିତିରେ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବାଲିଗୁଡ଼ା ସିଆର୍‌ପିଏଫ୍ ଶିବିରକୁ ଖବର ଦିଆଯାଇଥିଲା। ଶିବିରରୁ ଦୁଇ ଜଣ ଯବାନ ଡାକ୍ତରଖାନାକୁ ଆସି ରକ୍ତଦାନ କରି ସେମାନଙ୍କ ଜୀବନ ରକ୍ଷା କରିପାରିଥିଲେ। ଯବାନଙ୍କ ଏଭଳି କାର୍ଯ୍ୟକୁ ନେଇ ଅସୁସ୍ଥ ଶିଶୁଙ୍କ ପରିବାର ଲୋକଙ୍କ ସମେତ ଡାକ୍ତରଖାନା କର୍ମଚାରୀ ଓ ସ୍ଥାନୀୟ ଲୋକ ସିଆର୍‌ପିଏଫକୁ ସାଧୁବାଦ ଜଣାଇଥିଲେ।

ସେପଟେ କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ପୁଣି ସାଧାରଣ ଜନତାଙ୍କୁ ନିଃସ୍ୱାର୍ଥପର ସେବାର ଆଉ ଏକ ଦୃଷ୍ଟାନ୍ତ ପ୍ରଦର୍ଶନ କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଯେଉଁଠି ଯିବାକୁ ରାସ୍ତା ନଥିଲା, ହେଲେ କିଛି ଦୂରରେ ଅଟକି ରହିଥିଲା ଆମ୍ବୁଲାନ୍ସ ସେଠି ନିଜ ମାନବିକତା ଦେଖାଇ ପ୍ରସବ ଯନ୍ତ୍ରଣା ଭୋଗୁଛନ୍ତି ଜଣେ ମହିଳାଙ୍କୁ ଷ୍ଟ୍ରେଚର୍‌ରେ ବୋହି ନେଇଥିଲେ। ଆଉ ସୁରକ୍ଷିତ ଭାବେ ଡାକ୍ତରଖାନାରେ ପହଞ୍ଚାଇ ଗର୍ଭବତୀ ଓ ତାଙ୍କ ନବଜାତକଙ୍କ ଜୀବନ ରକ୍ଷାରେ ସହାୟକ ସାଜିଥିଲେ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ତଥା କଳାହାଣ୍ଡି ଜିଲ୍ଲା ସୀମାକୁ ଲାଗିଥିବା ଗୁମୁଡୁମାହା ନିକଟ ଲାହାଡ଼ି ଗ୍ରାମରେ ରାସ୍ତା ନଥିବାରୁ ନଦୀ ଏପଟେ ଅଟକି ରହିଥିଲା ୧୦୮ ଆମ୍ବୁଲାନ୍ସ। ଗ୍ରାମବାସୀ ସ୍ୱାସ୍ଥ୍ୟ ସେବା ପାଇଁ ତୁମୁଡ଼ିବନ୍ଧ କିମ୍ବା ବାଲିଗୁଡ଼ା ଉପରେ ନିର୍ଭରଶୀଳ। ଗାଁର ଜଣେ ମହିଳାଙ୍କ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ସେବାକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଆସିଥିଲେ ହେଁ ରାହୁଲ ନଦୀ ଉପରେ ପୋଲ ନଥିବାରୁ ନଈ ଆରପଟେ ଅଟକି ରହିଥିଲା। ସେଠାରୁ ଗାଁର ଦୂରତା ଥିଲା ପ୍ରାୟ ୨ କିମି। ତେବେ ଗର୍ଭ ଯନ୍ତ୍ରଣା ଭୋଗୁଥିବା ମହିଳାଙ୍କ ପାଇଁ ଜରୁରି ଚିକିତ୍ସାର ଆବଶ୍ୟକତା ଅନୁଭବ କରି ଆମ୍ବୁଲାନ୍ସ କର୍ମଚାରୀ ମାନସ ରଞ୍ଜନ ଦିଗାଲ, ଦିବ୍ୟଜ୍ୟୋତି ବଡ଼ସେଠ୍ ଏବଂ ଆଦର୍ଶ ନାୟକ ପାଣି ଭିତରେ ପଶି ଗର୍ଭବତୀଙ୍କ ଘରେ ପହଞ୍ଚି ଯାଇଥିଲେ। ଷ୍ଟ୍ରେଚରରେ ପରିବାର ସଦସ୍ୟଙ୍କ ସହଯୋଗରେ ଆଣ୍ଠୁଏ ପାଣିରେ ନଦୀ ପାର ହୋଇ ପ୍ରାୟ ୨ କିଲୋମିଟର ଚାଲି ଚାଲି ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ।

ତେବେ ସମସ୍ୟା ଏତିକିରେ ସରି ନଥିଲା। ତୁମୁଡ଼ିବନ୍ଧ ଡାକ୍ତରଖାନା ଆଣିବା ବାଟରେ ଗାଡ଼ିରେ ମହିଳାଙ୍କ ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ଉଭୟ ମା’ ଓ କନ୍ୟାଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ସେମାନଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନିଶ୍ଚିତ କରିଥିଲେ ଆମ୍ବୁଲାନ୍ସ କର୍ମଚାରୀ। ସେଥିପାଇଁ ଗ୍ରାମବାସୀ ୧୦୮ ଷ୍ଟାଫଙ୍କୁ ସାଧୁବାଦ ଜଣାଇଛନ୍ତି।