ବିଜେଡିରେ ମିଶିଲେ ବିଜେପି କୃଷକ ମୋର୍ଚ୍ଚା ସଂଯୋଜକ | News Room Odisha

ବିଜେଡିରେ ମିଶିଲେ ବିଜେପି କୃଷକ ମୋର୍ଚ୍ଚା ସଂଯୋଜକ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ ସରିନି। ହେଲେ ବିଜେଡି ଆଗରେ ବିରୋଧୀ ବିଜେପି ଓ କଂଗ୍ରେସ ଯେଭଳି ଚିତପଟାଙ୍ଗ ମାରିଛନ୍ତି ସେଥିରେ ସମସ୍ତଙ୍କ ବିଶ୍ୱାସ ଶାସକ ଦଳ ପ୍ରତି ଅଧିକ ବୃଦ୍ଧି ପାଇଛି। ଏପରିକି ଏହି ଅବସରରେ ଅନ୍ୟ ଦଳରେ ରହି ଅଣନିଃଶ୍ୱାସୀ ହୋଇଯାଇଥିବା ନେତା ଓ କର୍ମୀ ଏବେ ମନକୁ ସ୍ଥିର ନିଶ୍ଚିତ କରି ସେହି ପାର୍ଟି ଛାଡି ବିଜେଡିରେ ସାମିଲ ହେବା ଆରମ୍ଭ କରିଲେଣି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ଗ୍ରାମାଞ୍ଚଳରେ ଅନ୍ୟ ଦଳର ଶହ ଶହ ନେତା ଓ କର୍ମୀ ବିଜେଡି ସଦସ୍ୟତା ଗ୍ରହଣ କରିଥିବା ବେଳେ ଏବେ ପୌର ନିର୍ବାଚନ ପାଇଁ ଘୋଷଣା ପରେ ସହରାଞ୍ଚଳରେ ସେହି ଧାରା ଦେଖିବାକୁ ମିଳିଲାଣି। ଏବେ ସହରାଞ୍ଚଳର ବିଜେପି, କଂଗ୍ରେସ ନେତାଏ ବିଜେଡିରେ ମିଶିବା ଆରମ୍ଭ କରିଲେଣି।

ରବିବାର ସନ୍ଧ୍ୟାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଘରେ ଆୟୋଜିତ ହୋଇଥିଲା ଏକ ମିଶ୍ରଣ ପର୍ବ। ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଂଯୋଜକ ମଧୁସୂଦନ ସାହୁ ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦାନ କରିଥିଲେ। ବିଜେଡି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଉପସ୍ଥିତିରେ ମଧୁସୂଦନ ସାହୁ ବିଜେଡି ସଦସ୍ୟତା ଗ୍ରହଣ କରିଥିଲେ। ବିଜେଡି ନେତୃବୃନ୍ଦ ତାଙ୍କୁ ଫୁଲତୋଡ଼ା ଦେଇ ଓ ଦଳୀୟ ଉତ୍ତରୀୟ ପିନ୍ଧାଇ ଶାସକ ଦଳରେ ସ୍ବାଗତ କରିଥିଲେ।

ମଧୁସୂଦନ ସାହୁ କହିଛନ୍ତି ଯେ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଧାରା ରାଜ୍ୟବାସୀଙ୍କୁ ଆକୃଷ୍ଟ କରୁଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ବିକାଶର ପଥରେ ଦ୍ରୁତଗତିରେ ଆଗେଇ ଚାଲିଛି। ଅପରପକ୍ଷରେ ବିଜେପି ନିକଟରେ ଦୂରଦୃଷ୍ଟି ନେତୃତ୍ବର ଅଭାବ ଥିବା ସେ ଇଙ୍ଗୀତ କରିଥିଲେ। ରେଶମ ସହର ତଥା ଗଞ୍ଜାମ ଜିଲ୍ଲାର ବିକାଶ ଲକ୍ଷ୍ୟରେ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି। ସଭାରେ ଉପସ୍ଥିତ ସାଂସଦ ଓ ବିଧାୟକ କହିଥିଲେ ଯେ- ବିକାଶ ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବେ ସାରା ଦେଶରେ ଅନ୍ୟତମ ସର୍ବାଧିକ ଚର୍ଚ୍ଚିତ ଚେହେରା। ଗତ କିଛି ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ପାଇଁ ବିକଶିତ ବ୍ରହ୍ମପୁର ସାକାର ରୂପ ନେବାରେ ଲାଗିଛି। ପଞ୍ଚାୟତ ନିର୍ବାଚନ ଫଳ ଦେଖି ବିରୋଧୀ ଛାନିଆ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ବିଜେପି ଛାଡ଼ି ନେତା ଓ କର୍ମୀ ବିଜେଡିରେ ସାମିଲ ହେଉଛନ୍ତି।