ଆଜି ଖୋଲିବ ପ୍ରାଥମିକ ବିଦ୍ୟାଳୟ, ଦୁଇ ବର୍ଷ ପରେ ସ୍କୁଲ ଯିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା | News Room Odisha

ଆଜି ଖୋଲିବ ପ୍ରାଥମିକ ବିଦ୍ୟାଳୟ, ଦୁଇ ବର୍ଷ ପରେ ସ୍କୁଲ ଯିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା

ଭୁବନେଶ୍ୱର : ଆଜିଠାରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ। ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛା‌ତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ହେବ। ପାଖାପାଖି ଦୁଇ ବର୍ଷ ପରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍କୁଲ ଯିବେ । ୬ଷ୍ଠ ଓ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଦ୍ବିତୀୟ ପର୍ଯ୍ୟାୟ କ୍ଲାସରୁମ୍‌ ଶିକ୍ଷା ଆରମ୍ଭ ହେବ। ତାହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପାଠ୍ୟକ୍ରମରୁ କୌଣସି ଶିକ୍ଷା ଦିଆଯିବ ନାହିଁ। ବରଂ ସେମାନଙ୍କୁ ମାନସିକ ଚିନ୍ତା ମୁକ୍ତ ରଖିବା ସହିତ କ୍ୟାମ୍ପସରେ ଶିକ୍ଷଣୀୟ ପରିବେଶ ସୃଷ୍ଟି କରାଯିବ। ପିଲାଙ୍କ ସହ କୋଭିଡ୍‌-୧୯ ସମୟର ଅନୁଭୂତି, ସ୍କୁଲ ବନ୍ଦ ସମୟର ଅନୁଭୂତି, ଖେଳ, ଗପ ଶୁଣାଇବା, ଚିତ୍ରାଙ୍କନ, କ୍ରିଏଟିଭ୍‌ ଚିନ୍ତାଧାରା, କ୍ରାଫ୍ଟ ଓ୍ବାର୍କ ଆଦି ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନା କରିବେ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସ୍କୁଲ ଖୋଲିବା ନେଇ ଗତ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ କରାଯାଇଥିଲା। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜିଠୁ କ୍ଲାସରୁମ୍‌ ଶିକ୍ଷା ଦିଆଯିବ। ସ୍କୁଲ ଖୋଲିଲେ ମଧ୍ୟ ପ୍ରଥମ ସପ୍ତାହରେ କେବଳ ବିଭିନ୍ନ ଆକ୍ଟିଭିଟି କରାଯିବ, ପାଠ ପଢ଼ାଯିବ ନାହିଁ। ଏଥିସହ ପ୍ରଥମରୁ ପଞ୍ଚମ ଛାତ୍ରଛାତ୍ରୀ ପ୍ରାୟ ଦୁଇ ବର୍ଷ ହେବ ଶ୍ରେଣୀ ଶିକ୍ଷା ଗ୍ରହଣ କରି ନାହାନ୍ତି। ତେଣୁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ସାମିଲ ହେବ।

ପିଲାଙ୍କ ଉପସ୍ଥାନ ଯେପରି ବଢ଼ିବ ସେଥିପାଇଁ ଅଭିଭାବକଙ୍କ ସହ ବୈଠକ କରାଯାଇ ଆଲୋଚନା ହୋଇଛି ।