ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେଥି ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ। ମହା ଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହି ଦିନ ଭଗବାନ ଶିବଙ୍କ ପୂଜା କରାଯାଇଥାଏ । ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ଏହି ପର୍ବ ସମଗ୍ର ବିଶ୍ୱରେ ପାଳନ କରାଯାଇଥାଏ।
ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । କେତେକ ଶ୍ରୁତି ଅନୁସାରେ ପୁଣ୍ୟମାସ ମାଘ ମାସର ‘ମାଘସ୍ନାନ’ ବ୍ରତ ମଧ୍ୟରେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଏକ ଶିବରାତ୍ରି ବ୍ରତ ପାଳନ କରାଯାଏ ବୋଲି ବର୍ଣ୍ଣନା ଥିଲେ ମଧ୍ୟ ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଉଥିବା ଶିବରାତ୍ରି ବ୍ରତକୁ ସର୍ବଶ୍ରେଷ୍ଠ ଭାବେ ଗ୍ରହଣ କରାଯାଇଛି । ଭାରତର ବିଭିନ୍ନ ସ୍ଥାନରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ପୀଠରେ ଏହିପର୍ବ ବେଶ ଭକ୍ତି ଓ ଉଲ୍ଲାସର ସହ ପାଳିତ ହୋଇଥାଏ ।
ଦେବଦେବ ମହାଦେବଙ୍କ ଦ୍ୱାରା ଏଇଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ପୁରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଭଗବାନ ଶିବ ଲିଙ୍ଗ ରୂପରେ ଆବିର୍ଭୂତ ହୋଇ ଥିବାରୁ, ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ ।
ଶିବରାତ୍ରର ମହିମା ସମ୍ପର୍କରେ ମହାଭାରତର ଶାନ୍ତିପର୍ବରେ କଥିତ ଅଛି ଯେ, ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ଧର୍ମୋପଦେଶ ଦେଲାବେଳେ ମହାଶିବରାତ୍ରି ପାଳନ ସମ୍ପର୍କରେ ଇକ୍ଷାକୁ ବଂଶର ରାଜା ଚିତ୍ରଭାନୁଙ୍କ କାହାଣୀ ଉଦ୍ଧାର କରିଥିଲେ ।
ଜମ୍ବୁଦ୍ୱୀପର ରାଜା ଚିତ୍ରଭାନୁଙ୍କ ସ୍ତ୍ରୀ ଥରେଶିବରାତ୍ରି ଉପବାସ ପାଳନ କରିଥିଲେ।ସେ ସମୟରେ ଋଷି ଅଷ୍ଟବକ୍ର ରାଜଦରବାରକୁ ଆସି ରାଜାଙ୍କୁ ଏହି ଦିବସ ପାଳନର କାରଣ ପଚାରିଥିଲେ । ରାଜା ଜାତିସ୍ମର ଥିବାରୁ ନିଜ ପୂର୍ବଜନ୍ମର କାହାଣୀ ବର୍ଣ୍ଣନା କଲେ: –
ପୂର୍ବଜନ୍ମରେ ସୁସ୍ୱର ନାମରେ ସେ ଜଣେ ଶିକାରୀ ଥିଲେ । ଦିନେ ବଣରେ ବୁଲୁବୁଲୁ ସନ୍ଧ୍ୟା ହେଲା । ନିଜ କୁଟୀରକୁ ଫେରି ନପାରି ରାତିରେ ହିଂସ୍ରଜନ୍ତୁ ଙ୍କ କବଳରୁ ରକ୍ଷାପାଇବା ପାଇଁ ସେ ନିକଟରେ ଥିବା ବେଲଗଛ ଉପରକୁ ଚଢ଼ିଗଲେ । ରାତିସାରା ବେଲପତ୍ର ଛିଡ଼ାଇ ତଳକୁ ପକାଇବା ସହ ନିଜ ପରିବାର କଥା ଭାବି ଲୁହ ଝରାଇବାକୁ ଲାଗିଲେ । ତାଙ୍କ ଅଜାଣତରେ ସେହି ଲୁହ ଓ ପତ୍ର ବିଲ୍ୱ ବୃକ୍ଷର ପାଦଦେଶରେ ଥିବା ଶିବଲିଙ୍ଗ ଉପରେ ପଡୁଥାଏ । ସକାଳ ହେବାରୁ ସେ ଶିକାର ଧରି ଘରକୁ ଫେରିଲେ । ପ୍ରଥମେ ଜଣେ ଭିକ୍ଷୁକୁ କିଛି ଖାଦ୍ୟ ଦାନକରି ନିଜେ ଖାଦ୍ୟଗ୍ରହଣ କଲେ । କିଛି ବର୍ଷ ପରେ ତାଙ୍କ ମୃତ୍ୟୁ ହେବାରୁ ସେ ଶୈବଲୋକ ପ୍ରାପ୍ତ ହେଲେ । ଅଜ୍ଞାତରେ, ସେ ଶିବରାତ୍ରି ଦିନ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ସମର୍ପଣ କରିଥିବାରୁ ସେ ଶିବଙ୍କ ପାଖରେ ରହିବାର ସୁଯୋଗ ଲାଭକରି ପରଜନ୍ମ ରେ ଚିତ୍ରଭାନୁ ରୂପରେ ରାଜଗାଦି ଭୋଗ କଲେ ।
ଉକ୍ତ କାହାଣୀ ଶ୍ରବଣ କରିବାପରେ ଋଷି ଅଷ୍ଟବକ୍ର ସନ୍ତୋଷ ଲାଭ କରିବା ସହିତ ଏହି ପବିତ୍ର ଦିବସ ସମଗ୍ର ବିଶ୍ୱରେ ପାଳନ ପାଇଁ ପରାମର୍ଶ ଦେଇଥିଲେ। ସେହିଦିନ ଠାରୁ ଏହି ପବିତ୍ର ଶିବରାତ୍ରି ଆଜି ପର୍ଯ୍ୟନ୍ତ ପାଳିତ ହୋଇ ଆସୁଅଛି।
ଭାରତ ବର୍ଷରେ ପ୍ରତିଷ୍ଠିତ ସ୍ୱୟଂଭୁ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ପୀଠରେ ଏହା ଆଡମ୍ବର ସହିତ ବିଧି ବିଧାନରେ ପାଳିତ ହୋଇଥାଏ।
ବିଶେଷ କରି ସମଗ୍ର ଓଡ଼ିଶାର ଶୈବପୀଠ ଶ୍ରୀକ୍ଷେତ୍ରର ଶ୍ରୀଲୋକନାଥ, ଆରଡ଼ି, କପିଳାସ, ଗୁପ୍ତେଶ୍ୱର, ବେଦବ୍ୟାସ, ଭୁବନେଶ୍ୱର, ମହେନ୍ଦ୍ରଗିରି, ହରିଶଙ୍କର, ହୁମାରେ ଏହି ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଏହା ପାଳନ କରିଥାନ୍ତି ।
ଶିବଙ୍କ ପୂଜା ଉପାସନା ନିମନ୍ତେ ସୋମବାର, ପ୍ରତ୍ୟେକ ପକ୍ଷର ଚତୁର୍ଦ୍ଦଶୀ ତିଥି ଓ ଶିବରାତ୍ରି ସର୍ବୋକୃଷ୍ଟ ଅଟେ। ଅନ୍ୟ ଦେବତାଙ୍କ ପୂଜା ଦିନରେ ହେଉଥିବାବେଳେ ଏହି ପର୍ବରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ। ବ୍ରତାଚାରୀ ମାନେ ଉକ୍ତ ଦିନରେ ଉପବାସ ରହନ୍ତି ଓସନ୍ଧ୍ୟାରେ ଶିବମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରହନ୍ତି । ସେହି ରାତ୍ରିର ଚାରିପ୍ରହରରେ ଦୀପ ଜାଳିବା ସହିତ ଶିବଙ୍କର ପୂଜାସହିତ ନାମଜପ କରାଯିବାର ବିଧି ରହିଛି । ଗୁରୁଦତ୍ତ ନାମ ଜପର ବିଧି ରହିଛି ଯିଏ ଗୁରୁ କରିନଥିବ ସେ ଶିବଙ୍କର ଅଷ୍ଟନାମ ଯଥା- ଭବ, ଶର୍ବ, ରୁଦ୍ର, ପଶୁପତି, ଉଗ୍ର, ମହାନ ଭୀମ, ଈଶାନ ମଧ୍ୟରୁ ଯେକୌଣସି ନାମ କିମ୍ବା ‘ ଓଁ ନମଃ ଶିବାୟ’ ପଞ୍ଚାକ୍ଷର ମନ୍ତ୍ର ଜପ କରିପାରିବ ।
ଶିବରାତ୍ରିକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଏ । ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା । ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ ଅଭିଷେକ କରାଯାଏ । ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ । ତୃତୀୟ ପ୍ରହର ବା ଘୋର ରାତ୍ର ସମୟରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ । ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୁଡ଼ାଦେଶକୁ ମହାଦୀପ ଉଠାଯାଏ । ସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂରକରି ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଇବାର ଉଦ୍ଦେଶ୍ୟ । ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ । ଏହିଦିନ ଭଗବାନ ଶିବଙ୍କ ଉପରେ କେତକୀଫୁଲ ଚଢ଼ାଯିବାର ବିଧି ରହିଛି ।
ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗରବ୍ରତ ମଧ୍ୟ କୁହାଯାଇଥାଏ । ଆତ୍ମ କଲ୍ୟାଣର ରାସ୍ତାକୁ ପରିସ୍କାର କରିବାପାଇଁ ଅଖଣ୍ଡ ସଜାଗତା ଓ ଜ୍ଞାନର ଆଲୋକ ଏ ଦୁଇଟିର ଆବଶ୍ୟକତା ରହିଛି ବୋଲି ଏଇ ମହାନପର୍ବ ଶିକ୍ଷା ଦେଇଥାଏ । ମଝିରାତିକୁ ମନ୍ଦିରର ଶିଖରକୁ ବିଶାଳ ମହାଦୀପ ନିଆଯାଏ । ତାହାକୁ ଦର୍ଶନ କରି ଭକ୍ତମାନେ ବିହ୍ୱଳ ହୁଅନ୍ତି । ପରଦିନ ସ୍ନାନାଦି ସମାପନ କରି ଭକ୍ତମାନେ ସେମାନଙ୍କ ଉପବାସ ଭଙ୍ଗ କରିଥାନ୍ତି।