ବିଜୟ ପାଇଁ ରାଜ୍ୟବାସୀ ଓ ଦଳୀୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଅର୍ପଣ | News Room Odisha

ବିଜୟ ପାଇଁ ରାଜ୍ୟବାସୀ ଓ ଦଳୀୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଅର୍ପଣ

ପଞ୍ଚାୟତ ନିର୍ବାଚନର ସଫଳତା ଗଣତାନ୍ତ୍ରିକ ଇତିହାସରେ ଅଭୂତପୂର୍ବ

ପୌର ଭୋଟ୍ ପାଇଁ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା

ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରୁହ

ଅପହଞ୍ଚ ଇଲାକାର ଗରିବର ବିଶ୍ବାସଭାଜନ ହିଁ ଆମର ଶ୍ରେଷ୍ଠ ସଫଳତା

ଭବନେଶ୍ବର: ପଞ୍ଚାୟତ ନିର୍ବ।ଚନର ଏହି ସଫଳତା ଅଭୂତପୂର୍ବ। ଗଣତାନ୍ତ୍ରିକ ଇତିହାସରେ ଏହି ବିଜୟ ନିହାତି ଭାବେ ବିରଳ। ରାଜ୍ୟର ସବୁଠୁ ଅପହଞ୍ଚ ଇଲାକାର ସବୁଠୁ ଗରିବ ଲୋକର ବିଶ୍ବାସଭାଜନ ହେବା ହିଁ ଆମର ଶ୍ରେଷ୍ଠ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ରାଜ୍ୟବାସୀ ଏବଂ ଦଳୀୟ କର୍ମକର୍ତ୍ତ।ଙ୍କୁ ଧନ୍ୟବାଦ ଦେଇଛନ୍ତି। ପୌର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ପ୍ରତିଟି ପ୍ରାନ୍ତର ଲୋକେ ବିଜେଡିକୁ ଆର୍ଶୀବାଦ କରିଛନ୍ତି। ଫଳରେ ଲୋକଙ୍କ ଏହି ବିଶ୍ବାସକୁ ଅଧିକ ସୁଦୃଢ କରିବାକୁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସେ ପୌର ନିର୍ବାଚନର ପ୍ରସ୍ତୁତି ସଂକ୍ରାନ୍ତରେ ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଏବଂ ପର୍ଯ୍ୟବେକ୍ଷକମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ କଥା ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ପଞ୍ଚାୟତ ନିର୍ବାଚନରେ, ଆମର ଏହି ଅସାଧାରଣ ଓ ଅଭୂତପୂର୍ବ ସଫଳତା ପାଇଁ, ମୁଁ ସବୁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି। ଓଡିଶାବାସୀ ପୁଣିଥରେ, ଆମ କାମ ଉପରେ, ଆସ୍ଥା ପ୍ରକାଶ କରିଛନ୍ତି। ଏହି ବିଜୟ, ଗଣତାନ୍ତ୍ରିକ ନିର୍ବ।ଚନରେ ନୂଆ ରେକର୍ଡ ସୃଷ୍ଟି କରିଛି। ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ, ଓଡିଶାର ସବୁ ଅଞ୍ଚଳର ଜନସାଧାରଣ, ଏହି ନିର୍ବ।ଚନରେ ସମାନ ଭାବରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି ବୋଲି ସେ ପ୍ରକାଶ କରିବା ସହିତ ଏହି ଆଶୀର୍ବ।ଦ ଓ ସ୍ନେହ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଉଛି ବୋଲି କହିଛନ୍ତି। ନିଜର ସବୁ ସୁଖ ସୁବିଧାକୁ ତ୍ୟାଗ କରି ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଉଥିବା ଦଳୀୟ କର୍ମୀଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି ସେ ପ୍ରକାଶ କରିଛନ୍ତି।

“ଏହି ସଫଳତା ହେଉଛି ଆପଣମାନଙ୍କର ଯେଉମାନେ ଘର ଘର ବୁଲି ପ୍ରଚାର କରି ଲୋକଙ୍କୁ ବୁଝାଇଛନ୍ତି। ଏ ସଫଳତା ହେଉଛି ଓଡିଶାବାସୀଙ୍କର। ଯେଉଁମାନେ ଆମର ସୁଶାସନ ଉପରେ ଆସ୍ଥା ରଖିଛନ୍ତି। ଗଣତନ୍ତ୍ରରେ ଲୋକଙ୍କ ସ୍ବର ହିଁ ସର୍ବଶ୍ରେଷ୍ଠ। ରାଜ୍ୟର ସବୁ ପଞ୍ଚାୟତରେ ଜନମତ ସ୍ପଷ୍ଟ ଏବଂ ନିର୍ବିବାଦୀୟ ହୋଇପାରିଛି। ବିଜୁ ଜନତା ଦଳ ଲୋକଙ୍କ ଏହି ଜନମତକୁ ନମ୍ରତାର ସହ ଗ୍ରହଣ କରୁଥିବା ବେଳେ ଆମେ ଆମର ଭଲ କାମ ଜାରି ରଖିବୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସେହିପରି ଆଗାମୀ ପୌର ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳର ଅପପ୍ରଚାର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ବର୍ତ୍ତମାନ ସହରୀ ଭୋଟ୍ ର ସମୟ ଆସିଛି। ଆପଣ ଜାଣନ୍ତି, ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳ କେତେ ଅପପ୍ରଚାର କରିଛନ୍ତି। ମୋ ସରକାରକୁ ବଦନାମ କରିବା ପାଇଁ ମିଛ କାହାଣୀ କହିଛନ୍ତି ଓ ନକରାତ୍ମକ ରାଜନୀତିର ଆଶ୍ରୟ ନେଇଛନ୍ତି। କିନ୍ତୁ ଓଡିଶାବାସୀ ସେମାନଙ୍କ କଥାକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ତଥାପି ଆଗାମୀ ପୌର ନିର୍ବାଚନରେ ମଧ୍ୟ ବିରୋଧୀ ପୁଣି ଥରେ ସେହି ଅପପ୍ରଚାରର ଆଶ୍ରୟ ନେବେ। ଏହି ପରିପ୍ରେକ୍ଷୀରେ ବିରୋଧୀଙ୍କ ଅସଲ ମୁଖାକୁ ଖୋଲିବା ହେଉଛି ଆମ ଦଳର ପ୍ରତି କର୍ମୀ ଭାଇ ଭଉଣୀଙ୍କ ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

ବିଜୁ ଜନତା ଦଳର ଆଦର୍ଶ ଓ ସହରାଞ୍ଚଳର ବିକାଶ କାର୍ଯ୍ୟ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଆମେ ସକରାତ୍ମକ ରାଜନୀତିରେ ବିଶ୍ବାସ କରୁ। ସକରାତ୍ମକ ରାଜନୀତି। ସଂସ୍କାରପୂର୍ଣ ପ୍ରଶାସନ ଏବଂ ଲୋକଙ୍କ ସଶକ୍ତିକରଣ ହେଉଛି ଆମ ସରକାରର ହଲମାର୍କ। ସହରାଞ୍ଚଳରେ ବହୁ ଭଲ କାମ ହୋଇଛି। ସହରର ଗରିବଙ୍କ ପାଇଁ ଜାଗା ମିଶନ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। ଷ୍ଟ୍ରିଟ୍ ଲାଇଟ୍ ଠାରୁ ଆରମ୍ଭ କରି ଇନଡୋର ଷ୍ଟାଡିଅମ୍, ଭଲ ପିଇବା ପାଣି ଠାରୁ ଆରମ୍ଭ କରି ଆଧୁନିକ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା, ମିଶନ ଶକ୍ତିର ମାଁ ମାନଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ, ୱାର୍ଡସ୍ତରରେ ଭିତ୍ତିଭୂମି ବିକାଶ ଓ ନାଗରିକ ସୁବିଧା ସହିତ ଅନଲାଇନରେ ପୌର ସେବା ଆଦି ନାଗରିକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବସ୍ତି ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଆପାର୍ଟମେଣ୍ଟ ମାଲିକ, ମା ମାନଙ୍କ ଠାରୁ ଆରମ୍ଭ କରି ଶିଶୁ ତଥା ଯୁବସମାଜ ପ୍ରତିଟି ବର୍ଗର ଲୋକଙ୍କ ପାଇଁ ଆମେ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରକାଶ କରିଛନ୍ତି।

ଓଡିଶାବାସୀ ନକରାତ୍ମକ ରାଜନୀତିକୁ କେବେ ବି ଗ୍ରହଣ କରିବେ ନାହିଁ ବୋଲି ମତ ଦେଇ କହିଥିଲେ ଯେ, “ ଏହିସବୁ କାର୍ଯ୍ୟକ୍ରମକୁ ଆମକୁ ଲୋକଙ୍କ ପାଖକୁ ନେଇଯିବାକୁ ହେବ। ବିରୋଧୀ ଦଳର ମିଛ ତଥା ନକରାତ୍ମକ ରାଜନୀତିକୁ ସକରାତ୍ମକ ତଥା ସତ୍ ଉଦ୍ୟମ ଜରିଆରେ ହିଁ ମୁକାବିଲା କରିବାକୁ ପଡିବ। ମୋର ପୁରା ବିଶ୍ବାସ, ଏହି ପଞ୍ଚାୟତ ନିର୍ବାଚନରେ ଆପଣମାନେ ଯେପରି କଠିନ ପରିଶ୍ରମ କରିଥିଲେ, ଏହି ପୌର ନିର୍ବାଚନରେ ମଧ୍ୟ ସେହିପରି ଉଦ୍ୟମ ଜାରି ରଖିବେ। ଆମେ ପୁଣି ଥରେ ଲୋକଙ୍କ ଆସ୍ଥା ଓ ଆଶୀର୍ବ।ଦ ଲାଭ କରିପାରିବା ଏବଂ ବିରୋଧୀ ଦଳଙ୍କୁ ଦେଖାଇ ଦେବା ମିଛ ଓ ଛଳନାର ରାଜନୀତି ଓଡିଶାରେ କାମ କରିବ ନାହିଁ।”

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜନୀତିର ଅର୍ଥ କେବଳ କ୍ଷମତା ନୁହେଁ, ଗୋଟିଏ ଗଣତନ୍ତ୍ରରେ ଲୋକମାନେ ହିଁ ହେଉଛନ୍ତି, କ୍ଷମତାର ସ୍ରୋତ। ରାଜ୍ୟର ସବୁଠାରୁ ଦୁର୍ଗମ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଟିର ବିଶ୍ବାସ ହେବା ଦରକାର ଯେ ବିଜୁ ଜନତା ଦଳ ସବୁ ବେଳେ ତାର କଲ୍ୟାଣ ଏବଂ ତାର ସଶକ୍ତିକରଣ ପାଇଁ କାମ କରୁଛି। ଏହି ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ପରିଶେଷରେ ଏହି ଅଭୂତପୂର୍ବ ଜନାଦେଶ ପାଇଁ ଓଡିଶାର ଜନସାଧାରଣଙ୍କୁ ଓ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଧନ୍ୟବାଦ ଜଣାଇଥିଲେ।