ଖାଇବା ତେଲର କଳାବଜାରୀ ରୋକିବାକୁ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ | News Room Odisha

ଖାଇବା ତେଲର କଳାବଜାରୀ ରୋକିବାକୁ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଋଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିରେ ଅନେକ ଦେଶ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ ହେଉଛନ୍ତି । ଏଭଳି ସ୍ଥିତିରେ ଦେଶରେ ଖାଇବା ତେଲ ଦର ବୃଦ୍ଧି ହେବାର ଆଶଙ୍କା ସୃଷ୍ଟି ହୋଇଛି । ବିଶେଷ ଭାବେ ସୂର୍ଯ୍ୟମୁଖୀ ତେଲର ଦର ଅହେତୁକ ଭାବେ ବଢିବା ସହ କଳାବଜାରୀ ବଢିବା ଆଶଙ୍କା ରହିଛି । ଏହାକୁ ରୋକିବାକୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀ ଟୁଇଟ କରି କହିଛନ୍ତି, ରାଜ୍ୟ ସରକାରଙ୍କ ସୀମିତ କ୍ଷମତା ମଧ୍ୟରେ କୃତ୍ରିମ ସଙ୍କଟ କିମ୍ବା କଳାବଜାରୀ ରୋକିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆ ଯାଇଛି। କେନ୍ଦ୍ର ସରକାର ଖାଇବା ତେଲ ଉପରେ ସଂଗ୍ରହ କରୁଥିବା ଆମଦାନୀ ଏବଂ ଅନ୍ୟାନ୍ୟ ଶୁଳ୍କ ଅତିକମରେ ସାମୟିକ ଭାବେ ହ୍ରାସ କରିବା ଉଚିତ। ନ ହେଲେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ଯାସର ଦରବୃଦ୍ଧି ସହ ଖାଇବା ତେଲର ଦରବୃଦ୍ଧି ଗରିବ, ଚାଷୀ, ମୁଲିଆ, ଖଟିଖିଆ ଏପରିକି ମଧ୍ୟବିତ୍ତ ପରିବାରଙ୍କ ପାଇଁ ଦୁର୍ବିସହ ହୋଇଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।