ସମ୍ବଲପୁରରେ ହାଇକୋର୍ଟ ମୁଖ୍ୟ ବିଚାରପତି: ବାର୍ ଏବଂ ବେଞ୍ଚ ମଧ୍ଯରେ ସମନ୍ଵୟ ରହିଲେ ବିଚାର ପ୍ରକ୍ରିୟା ତ୍ବରାନ୍ବିତ ହେବ- ଜଷ୍ଟିସ ମୂରଲୀଧର | News Room Odisha

ସମ୍ବଲପୁରରେ ହାଇକୋର୍ଟ ମୁଖ୍ୟ ବିଚାରପତି: ବାର୍ ଏବଂ ବେଞ୍ଚ ମଧ୍ଯରେ ସମନ୍ଵୟ ରହିଲେ ବିଚାର ପ୍ରକ୍ରିୟା ତ୍ବରାନ୍ବିତ ହେବ- ଜଷ୍ଟିସ ମୂରଲୀଧର

ସମ୍ବଲପୁର: ସମସ୍ତ ଓକିଲ ସଂଘ (ବାର୍) ଓ କୋର୍ଟ ଖଣ୍ଡପୀଠ (ବେଞ୍ଚ) ମଧ୍ଯରେ ଉତ୍ତମ ସମନ୍ଵୟ ରହିଲେ ବିଚାର ପ୍ରକ୍ରିୟା ତ୍ବରାନ୍ବିତ ହେବା ସହ ଶୃଙ୍ଖଳିତ ହୋଇପାରିବ। ସମ୍ବଲପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ସ୍ବାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଓକିଲ ଚନ୍ଦ୍ରଶେଖର ବେହେରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ତଥା ୧୫୦ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ହାଇକୋର୍ଟ ମୁଖ୍ଯ ବିଚାରପତି ଜଷ୍ଟିସ ଡ. ଏସ୍ ମୂରଲୀଧର ଏହା ପ୍ରକାଶ କରିଛନ୍ତି।

ଓକିଲ ସଂଘ ସଭାପତି ଡ. ପ୍ରମୋଦ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଷ୍ଟିସ ମୂରଲୀଧର ବିଚାର ବ୍ୟବସ୍ଥାରେ ବୈଷୟିକ ସଂସ୍କାର ଉପରେ ଆଲୋକପାତ କରିଛନ୍ତି। ବର୍ତ୍ତମାନ କୋଭିଡ ସମୟରେ ଭିସି ମାଧ୍ୟମରେ ଶୁଣାଣୀ ଏକ ଉତ୍ତମ ବିକଳ୍ପ ଭାବେ ଉଭା ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।
ଆଇନ ସେବା କ୍ଷେତ୍ରରେ ଚନ୍ଦ୍ରଶେଖରଙ୍କ ଅବଦାନ ତଥା କୁସଂସ୍କାର ବିରୋଧୀ ଆନ୍ଦୋଳନରେ ତାଙ୍କ ଭୂମିକାକୁ ସ୍ମରଣ କରିଥିଲେ। ଏହାଛଡା ତାଙ୍କ ଜୀବନୀ ଆଗାମୀ ଅନେକ ପିଢିକୁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି।

ସଭାପତି ଡ.ରଥ ସ୍ବାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ରବିରଞ୍ଜନ ପୂଜାରୀ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଶେଷରେ ଉପସଭାପତି ଚନ୍ଦ୍ରକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସିଭିଲ୍ ସୋସାଇଟି ପକ୍ଷରୁ ଜଷ୍ଟିସ ମୂରଲୀଧରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।