ମହିଳା ସଶକ୍ତିକରଣର ଅନନ୍ୟ ଉଦାହରଣ ଶଙ୍ଖଜିନୀ, ସବୁଜ ବିପ୍ଳବର ବଳିଷ୍ଠ ବାର୍ତ୍ତାବହ | News Room Odisha

ମହିଳା ସଶକ୍ତିକରଣର ଅନନ୍ୟ ଉଦାହରଣ ଶଙ୍ଖଜିନୀ, ସବୁଜ ବିପ୍ଳବର ବଳିଷ୍ଠ ବାର୍ତ୍ତାବହ

ସମ୍ବଲପୁର : ବିଶ୍ବ ମହିଳା ଦିବସ ଅବସରରେ ସାରା ବିଶ୍ବରେ ମହିଳାଙ୍କ ସଶକ୍ତିକରଣ ନେଇ ଦିନତମାମ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହେବ। ହେଲେ ଆଜି ଆମେ ଏଭଳି ଜଣେ ମହିଳାଙ୍କ କଥା କହୁଛୁ ଯାହାଙ୍କ ସଂଘର୍ଷ ସମାଜର ଅଗଣିତ ମହିଳାଙ୍କ ପାଇଁ ଏକ ଆଲୋକବର୍ତ୍ତିକା ଭାବେ ଉଭା ହୋଇଛି। ଦିନେ ମୁଠାଏ ଅନ୍ନ ପାଇଁ ଯାହାର ଚିନ୍ତାରେ ଦିନ କଟୁଥିଲା, ଏବେ ସେ ଶତାଧିକ ଲୋକଙ୍କ ପାଇଁ ଅନ୍ନସଂସ୍ଥାନ ଯୋଗାଡ କରିପାରିଛନ୍ତି। ତାଙ୍କ ହାତରେ ଗଢା ପରିବା କିଆରି ଏବେ ଅଗଣିତ ଚାଷୀଙ୍କ ପାଇଁ ବଳିଷ୍ଠ ନିଦର୍ଶନ ଭାବେ ଉଭା ହୋଇଛି। ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ଘେନୁପାଲି ପଞ୍ଚାୟତ ଠାକୁରମାଲ ଗାଁର ଶଙ୍ଖଜିନୀ ପଧାନଙ୍କ ଭେଳିକି ଭେଳି ରଙ୍ଗୀନ ଫୁଲକୋବିରୁ ଆରମ୍ଭ କରି ପରିବା ଫାର୍ମ ବାସ୍ତବରେ ଆଗନ୍ତୁକଙ୍କୁ ଆନମନା କରୁଛି। ଜଣେ ସଫଳ ମହିଳା ଚାଷୀ ଭାବେ ଶଙ୍ଖଜିନୀ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ସମ୍ବଲପୁର ଜିଲ୍ଲାର ଧନକଉଡା ବ୍ଲକର ଚିପିଲିମା ନିବାସୀ ଲାଇନମ୍ୟାନ୍ ଭାବେ କାମ କରୁଥିବା ଦୈତାରୀ ପଧାନଙ୍କ ଝିଅ 21 ବର୍ଷ ତଳେ ଠାକୁରମାଲ ଗାଁର ସୁଶାନ୍ତ ପଧାନଙ୍କ ହାତ ଧରିଥିଲେ। ଜନ୍ମରୁ ଚାଷ କଣ ଜାଣିନଥିବା ଶଙ୍ଖଜିନୀ ହଠାତ ଏକ ଚାଷୀ ପରିବାରର ପରିଚାଳନା କରିବା ତାଙ୍କ ପକ୍ଷେ କାଠିକର ହୋଇ ପଡିଥିଲା। ଚାଷୀ ମୂଳିଆଙ୍କୁ ଖାଇବା ଦେବାରୁ ଆରମ୍ଭ କରି ଉତ୍ପାଦିତ ଶସ୍ୟର ସଂଗ୍ରହ, ଗାଈ ଗୁହାଳର କଥାରୁ ଖଳା ସଫା ଯାଏ ପ୍ରତିଟି କାମ ତାଙ୍କ ପାଇଁ ବହୁତ ସମସ୍ୟା ସୃଷ୍ଟି କରୁଥିଲା। ଫଳରେ ସେ ଏସବୁକୁ ସମ୍ଭାଳିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ବାରମ୍ବାର ମାଁ ଘରକୁ ଚାଲି ଯାଉଥିଲେ। ଏହାକୁ ନେଇ ଶାଶୁଘର ଲୋକଙ୍କ ସହିତ ବୁଝାମଣାର ବି ଅଭାବ ଦେଖା ଦେଉଥିଲା ।

ହେଲେ ସମୟକ୍ରମେ ଭାଇ ଭାଗ ହେବା ପରେ ତାଙ୍କ ସ୍ବାମୀ ଅନ୍ୟ ଭାଇଙ୍କ ଠାରୁ ଅଲଗା ହୋଇଥିଲେ। ଏହାପରେ ଶଙ୍ଖଜିନୀଙ୍କ ଉପରେ ଯେମିତି ବଜ୍ର ପରି ବୋଝ ମାଡି ବସିଥିଲା। ସ୍ବାମୀଙ୍କ ସହ ପରିବାର ଚଳାଇବା କାଠିକର ପାଠ ହୋଇଯାଇଥିଲା। ଏପରିକି ଗଣ୍ଡାଏ ଖାଇବା ଯୋଗାଡ କରିବା ଚିନ୍ତାରେ ଦିନ ବିତୁଥିଲା। ହେଲେ ସେ ମନୋବଳ ଦୃଢ କରି ନିଜ ସ୍ବାମୀଙ୍କ ଅଧା ଉତ୍ତରଦାୟିତ୍ବ ନିଜ ଉପରକୁ ନେବାକୁ ଅଣ୍ଟା ଭିଡିଥିଲେ। ଆଉ ଶ୍ବଶୁରଙ୍କ ଠାରୁ 30 ହଜାର ଟଙ୍କା ଆଣି ପ୍ରଥମେ ସେ ଏକ ଖଳି ଦନା ତିଆରି ଛୋଟିଆ କାରଖାନା ବସାଇଥିଲେ। ପରେ ଭିଣୋଇଙ୍କ ଠାରୁ ଆଉ 20 ହଜାର ଧାର କରି କିଛିଟା ପରିବାର ଚାଷ ବି ଆରମ୍ଭ କରିଥିଲେ। ସେହିଦିନ ଠାରୁ ସେ ଆଉ ପଛକୁ ଫେରି ନାହାନ୍ତି।

ମାତ୍ର 2 ବର୍ଷ ମଧ୍ୟରେ ସେ 50 ହଜାର ଟଙ୍କାର କରଜ ପରିଶୋଧ କରିବା ସହ ଚାଷ କାମରେ ବେଶ୍ ନିପୁଣା ହୋଇଯାଇଥିଲେ। ସ୍ବୟଂ ସହାୟକ ଗୋଷ୍ଠୀର ସହାୟତାରେ ସେ ନିଜ ଚାଷ କାମକୁ ବଢାଇ ଚାଲିଥିଲେ। ଇତିମଧ୍ୟରେ ସେ ଏକ ବିରାଟ ଅଞ୍ଚଳରେ ଗୋଳାପୀ, ହଳଦିଆ, ନୀଳ ଆଦି ରଙ୍ଗ ବେରଙ୍ଗର ଫୁଲକୋବି ଚାଷ କରି ବେଶ୍ ଚର୍ଚ୍ଚ।ରେ ରହିଛନ୍ତି। ଖାଲି ସେତିକି ନୁହେଁ, ବର୍ତ୍ତମାନ ତାଙ୍କ ଫାର୍ମରୁ ସବୁ କିସମର ପରିବା ବିପୁଳ ପରିମାଣରେ ଉତ୍ପାଦିତ ହେଉଥିବା ବେଳେ ପଶ୍ଚିମ ଓଡିଶାର ସବୁ ଜିଲ୍ଲାକୁ ରତ୍ପାନି ହେଉଛି। ସକାଳ ପାହିଲେ ବେପାରୀଙ୍କ ଲମ୍ବା ଲାଇନ ଲାଗୁଛି ତାଙ୍କ ଫାର୍ମ ଆଗରେ।

ସେପଟେ, ଗୋପାଳନ, ଛତୁ ଚାଷ, ଲଙ୍କା ଚାଷରୁ ଆରମ୍ଭ କରି ଦହି, ପନିର ଆଦି ତିଆରି କରି ବି ସେ ବେଶ୍ ଲାଭାନ୍ବିତ ହେଉଛନ୍ତି। ଏହାଛଡା ସେହି ଅଞ୍ଚଳରେ ବହୁ ମହିଳାଙ୍କୁ ସ୍ବାବଲମ୍ବୀ କରିବାର ବାଟ ଦେଖାଉଛନ୍ତି। ଶଙ୍ଖଜିନୀଙ୍କ ପାଇଁ ବର୍ତ୍ତମାନ ଶତାଧିକ ପରିବାର ଜୀବନ ଜୀବିକାର ବାଟ ପାଇପାରିଛନ୍ତି। ମୋଟ୍ ଉପରେ କହିବାକୁ ଗଲେ ଶଙ୍ଖଜିନୀ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ବଳିଷ୍ଠ ଉଦାହରଣ ଭାବେ ପରିଚୟ ପାଇପାରିଛନ୍ତି। ତାଙ୍କର ଏଭଳି ଉଦ୍ୟମ ଯୋଗୁଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ବି ପୁରସ୍କୃତ ହୋଇପାରିଛନ୍ତି।