ଭିଡ ଉପରେ ମାଡିଗଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡି, ଉତକ୍ତ ଲୋକଙ୍କ ଆକ୍ରମଣ | News Room Odisha

ଭିଡ ଉପରେ ମାଡିଗଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡି, ଉତକ୍ତ ଲୋକଙ୍କ ଆକ୍ରମଣ

ଖୋର୍ଦ୍ଧା- ବାଣପୁରରେ କିଛି ଲୋକଙ୍କ ଉପରେ ଗାଡ଼ି ଚଢ଼ିଯିବା ଘଟଣାର ପ୍ରତିବାଦ କରାଯାଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏ ନେଇ ହୋଇଥିବା ଅଭିଯୋଗ ଅନୁସାରେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ଚଢ଼ାଇବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ଲୋକେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରେ ଆକ୍ରମଣ କରିଥିଲେ। ବିଧାୟକ ଲହୁଲୁହାଣ ହୋଇ ପ୍ରଥମେ ବାଣପୁର ଓ ପରେ ଟାଙ୍ଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି ଘଟଣାରେ ସ୍ଥାନୀୟ ପୁଲିସ ଆଇଆଇସିଙ୍କୁ ବି ଆକ୍ରମଣ ହୋଇଥିବା ସୂଚନା ରହିଛି।

ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିର୍ବାଚନ ମଣ୍ଡଳୀରେ ନିଜେ ଗାଡ଼ି ଚଳାଇ ଯାଉଥିଲେ । ତାଙ୍କ ଗାଡ଼ି କିଛି ଲୋକଙ୍କ ଉପରେ ଚଢ଼ିଯାଇଥିଲା। ଏଥିରେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏଥିରେ ଉତ୍ତ୍ୟକ୍ତ ଲୋକେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।