ଵସନ୍ତ ଉତ୍ସବର ପ୍ରଥମପର୍ବ ଫଗୁଦଶମୀ | News Room Odisha

ଵସନ୍ତ ଉତ୍ସବର ପ୍ରଥମପର୍ବ ଫଗୁଦଶମୀ

ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଭାଇଚାରା ତଥା ବସନ୍ତର ପର୍ବ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ I ଉକ୍ତ ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ I ସାଧାରଣ ଭାବରେ ବସନ୍ତଋତୁ ର ଆଗମନରେ ଏହିଦିନ ଠାରୁ ବସନ୍ତ ଉତ୍ସବ ଆରମ୍ଭ ହୋଇଥାଏ। ତେଣୁ ସ୍ୱଭାବତଃ ରାଧାକୃଷ୍ଣ ମନ୍ଦିରଗୁଡିକ ଫଗୁ ଦଶମୀ ଠାରୁ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇଉଠେ I

ବୈଷ୍ଣବ ଧର୍ମାବଲମ୍ବୀଙ୍କ ମତାନୁଯାୟୀ ବୃନ୍ଦାବନର ଗୋପୀମାନେ ସେମାନଙ୍କର ପରମାରାଧ୍ୟ ଓପରମ ପ୍ରେମିକ ଶ୍ରୀକୃଷ୍ଣଙ୍କ ସହ ଚାଚେରି ଖେଳିଥିଲେ I ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଫୁଲହାରରେ ମଣ୍ଡନ କରିଥିଲେ,ଦୋଳି ଖେଳାଇଥିଲେ ଏବଂ ତାଙ୍କସହ ଫଗୁଖେଳି ଆତ୍ମାନଂଦରେ ବିହାର କରିଥିଲେ। ତେଣୁ ଦୋଳଯାତ୍ରା ଅବସରରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଚିତ୍ତାକର୍ଷକ ବିମାନରେ ସାଜସଜ୍ଜା ସହିତ ମହାଆଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ I ପ୍ରାୟତଃ ପ୍ରତ୍ୟେକଙ୍କ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବା ସଙ୍ଗେସଙ୍ଗେ ପୁରୋହିତଙ୍କୁ ଦକ୍ଷିଣା ମଧ୍ୟ ଦିଆଯାଏ I ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ‘ଦ୍ୱାରୀ ଭୋଗ’ କୁହାଯାଏ I

ଭଗବାନ ସବୁବେଳେ ଭକ୍ତଙ୍କର- ଏହା ହିଁ ପ୍ରତିପାଦିତ କରିବା ବୋଧହୁଏ ଦ୍ୱାରୀ ଭୋଗର ଉଦ୍ଦେଶ୍ୟ I ଭକ୍ତମାନେ ସବୁବେଳେ ଠାକୁରଙ୍କୁ ଦର୍ଶନ କରୁଥିଲେ ମନ୍ଦିରରେ I ନୈବେଦ୍ୟ ଅର୍ପଣ କରୁଥିଲେ ଭଗବାନଙ୍କ ପୀଠସ୍ଥଳୀରେ; କିନ୍ତୁ ଦୋଳଉତ୍ସବ ପାଳନ କରାଯାଉଥିବାବେଳେ ତାଙ୍କର ସୁଉଚ୍ଚ ସିଂହାସନ ଉପରୁ ଠାକୁରେ ଓହ୍ଲାଇ ଆସୁଥିଲେ ରାଜଦାଣ୍ଡ ଉପରକୁ I ଭକ୍ତର ଦ୍ୱାର ନିକଟକୁ I ସେମାନଙ୍କ ନିକଟକୁ ଯାଇ ଭକ୍ତି ନୈବେଦ୍ୟ ଗ୍ରହଣ କରିବା ଉଦ୍ଦେଶ୍ୟରେ ଏହି ଯାତ୍ରା; ଦୋଳି ବା ହୋଲି ଉତ୍ସବ I ଯାହାର ଅଦ୍ୟପର୍ବ ହେଉଛି ଫଗୁ ଦଶମୀ।

ରଥଯାତ୍ରାବେଳେ ଯେଭଳି ଜଗତର ନାଥ ଜଗନ୍ନାଥ ନିଜ ସିଂହାସନ ଉପରୁ ରାଜଦାଣ୍ଡକୁ ଓହ୍ଲାଇ ଆସନ୍ତି ଭକ୍ତବୃନ୍ଦକୁ ଦର୍ଶନ ଦେବା ପାଇଁ ଠିକ ସେହିପରି ଶ୍ରୀକୃଷ୍ଣ ଭକ୍ତମାନଙ୍କଠାରୁ ଭୋଗ ନେବା ପାଇଁ ଠିକ୍ ଚାଲିଯାଇଥାନ୍ତି ଭକ୍ତମାନଙ୍କ ଅତିନିକଟକୁ – ଘର ପାଖକୁ I ଏହି ପବିତ୍ର ଭାଇ ଚାରାର ଉତ୍ସବ ପୁରୀ ଶ୍ରୀମନ୍ଦିର ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସହିତ ଭାରତର ବିଭିନ୍ନ ଧାମ ତଥା ମଠ ମନ୍ଦିରରେ ମହାସମାରୋହରେ ପାଳିତ ହୁଏ ।