ରେକର୍ଡ ବୁକ୍‌ରେ ଦୁଇ କୁନି ରଣପା ନୃତ୍ୟାଙ୍ଗନା | News Room Odisha

ରେକର୍ଡ ବୁକ୍‌ରେ ଦୁଇ କୁନି ରଣପା ନୃତ୍ୟାଙ୍ଗନା

ବ୍ରହ୍ମପୁର: ରଣପା… ପ୍ରାଚୀନ ଓ ରଣକୌଶଳ ଆଧାରିତ ନୃତ୍ୟ ଭାବେ ପରିଚିତ। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଉପକଣ୍ଠ ନରେନ୍ଦ୍ରପୁର, ବଡ଼କୁଶସ୍ଥଳୀ ଆଦି ହାତଗଣତି କେତୋଟି ଗାଁ ଏଇ ଲୋକନୃତ୍ୟ ପାଇଁ ଜଣାଶୁଣା। ଧିରେ ଧିରେ ଏହି ଲୋକନୃତ୍ୟ ଅଧିକରୁ ଅଧିକ ଜନପ୍ରିୟ ହେବାରେ ଲାଗିଛି। ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର ପ୍ରୋତ୍ସାହନ ଓ ସହଯୋଗ ବଳରେ ରଣପା ନୃତ୍ୟ ଦଳ ଏବେ କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରି ପ୍ରସିଦ୍ଧି ହାସଲ କରିଲେଣି। ତେଣୁ ଦେଶବିଦେଶରେ ପରିଚୟ ହାସଲ କରିଥିବା ଏଇ ନୃତ୍ୟ ଏବେ ରେକର୍ଡ ବୁକ୍‌ରେ ମଧ୍ୟ ସ୍ଥାନ ପାଇଛି। କାରଣ ଦୁଇ କୁନି ରଣପା ନୃତ୍ୟାଙ୍ଗନା ବିଭୁଦତ୍ତ ସାହୁ ଓ ବିଭାସ ସାହୁ ଏଇ ନୃତ୍ୟ ମାଧ୍ୟମରେ ନିଜ ପ୍ରତିଭାକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଓ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡସ୍‌ରେ ସାମିଲ କରିବାକୁ ସକ୍ଷମ ହୋଇଛନ୍ତି।

ବିଭୁଦତ୍ତ ଲଗାତାର ୨୫ ମିନଟ୍ ୪୭ ସେକଣ୍ଡ ଧରି ଏହି କଷ୍ଟସାଧ୍ୟ ନୃତ୍ୟ ଜାରି ରଖିଥିଲେ। ଏହି ନିଆରା ନୃତ୍ୟ ପ୍ରୟାସକୁ ପ୍ରଥମେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ନିକଟରେ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡସ୍ କର୍ତ୍ତୃପକ୍ଷ ସ୍ବୀକୃତି ଦେଇଛନ୍ତି। ସେହିପରି ବିଭାସ ୧୨ ମିନିଟ୍ ୫୮ ସେକଣ୍ଡ ଧରି ଲଗାତାର ନୃତ୍ୟ କରି ଚାଲିଥିଲେ। ତାଙ୍କର ଏହି କୃତିତ୍ଵକୁ ସର୍ବକନିଷ୍ଠ ବର୍ଗରେ ସ୍ଥାନ ଦେଇଛନ୍ତି ଉଭୟ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ୍ କର୍ତ୍ତୃପକ୍ଷ। ଦୁହେଁ ୨୦୨୧ ମସିହା ମାର୍ଚ୍ଚ ମାସରେ କୋଭିଡ୍ କଟକଣାକୁ ନଜରରେ ରଖି ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିଥିଲେ। ଅନ୍‌ଲାଇନ୍‌ ମାଧ୍ୟମରେ ବିଚାରକମଣ୍ଡଳୀ ଦୁହିଁଙ୍କ ନୃତ୍ୟ ଦେଖିଥିଲେ। ଏହାପରେ ଦୁଇ କୁନି ରଣପା ନୃତ୍ୟାଙ୍ଗନା ବିଭୁଦତ୍ତ ଓ ବିଭାସଙ୍କୁ ରେକର୍ଡସ୍ ବୁକ୍ ତରଫରୁ ମାନ୍ୟତାପତ୍ର, ଉପଢୌକନ, ପୁରସ୍କାର ପ୍ରଦାନ କରାଯାଇ ଥିଲା।

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ବଡ଼କୁଶସ୍ଥଳୀ ଗ୍ରାମର ଭଗବାନ ସାହୁ ଓ ସ୍ନେହଲତା ସାହୁଙ୍କ ବଡ଼ ଓ ସାନ ପୁଅ ବିଭୁଦତ୍ତ ସାହୁ ଏବଂ ବିଭାସ ସାହୁ। ସେମାନଙ୍କ ଆଉ ଏକ ପ୍ରମୁଖ ପରିଚୟ ହେଲା ଦୁହେଁ ରଣପା ସମେତ ଯୋଡ଼ିଶଙ୍ଖ ଲୋକକଳା ପାଇଁ ପଦ୍ମଶ୍ରୀ ଉପାଧି ପାଇଥିବା ବିଶିଷ୍ଟ ଲୋକନୃତ୍ୟ ଗୁରୁ ଭଗବାନ ସାହୁଙ୍କ ନାତି। ସେମାନଙ୍କ ପିତା ଭଗବାନ ସାହୁ ମଧ୍ୟ ରଣପା ନୃତ୍ୟ, ଚଢ଼େୟା ନାଚ, ବାଘ ନାଟ ଆଦି ଶିକ୍ଷା ପ୍ରଦାନ କରୁଛନ୍ତି। ଜଣେ ଲୋକକଳା ପ୍ରଶିକ୍ଷକ ଭାବେ ପିତା ସୁପରିଚିତ ଥିବା ବେଳେ ପିତାଙ୍କୁ ହିଁ ଗୁରୁ ରୂପେ ଗ୍ରହଣ କରିଥିଲେ ୧୪ ବର୍ଷୀୟ ବିଭୁଦତ୍ତ ଓ ୭ ବର୍ଷର ବିଭାସ। ଦୁହେଁ ବ୍ରହ୍ମପୁରର ଏକ ଘରୋଇ ଇଂରାଜୀ ମାଧ୍ୟମ ପବ୍ଲିକ୍‌ ସ୍କୁଲରେ ସମ୍ପ୍ରତି ଅଧ୍ୟୟନରତ। ସତେଯେମିତି ବଂଶାନୁକ୍ରମେ ଲୋକନୃତ୍ୟ ଏମାନଙ୍କ ଜୀବନର ଗୁରୁତ୍ଵପୂର୍ଣ ଅଙ୍ଗ ପାଲଟିଯାଇଛି। ବିଭୁଦତ୍ତ ଓ ବିଭାସଙ୍କ ସଫଳତା ପାଇଁ ବାପା ଓ ମା’ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଗ୍ରାମବାସୀ ଓ ସମ୍ପର୍କୀୟ ବେଶ୍ ଆନନ୍ଦିତ। ଓଡ଼ିଶାର ଲୋକକଳା ଓ ଲୋକନୃତ୍ୟ ପରମ୍ପରାକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ପ୍ରୟାସ କରିବୁ ବୋଲି କହିଛନ୍ତି ଦୁଇ ଶିଶୁ ରଣପା କଳାକାର।