ନିର୍ବାହୀ ଯନ୍ତ୍ରୀଙ୍କ ଦେଢ଼ କେଜି ସୁନା ଜବତ, ଫ୍ରିଜରୁ ମିଳିଲା ନଗଦ ଟଙ୍କା | News Room Odisha

ନିର୍ବାହୀ ଯନ୍ତ୍ରୀଙ୍କ ଦେଢ଼ କେଜି ସୁନା ଜବତ, ଫ୍ରିଜରୁ ମିଳିଲା ନଗଦ ଟଙ୍କା

କଟକ – ଭିଜିଲାନ୍ସ ଜାଲରେ ବସିଥିବା କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ୪ଟି ଠିକଣାରେ ଚଢ଼ାଉ ଜାରି ରହିଛି। କଟକ ଓ ଭୁବନେଶ୍ବରରେ ବ୍ୟାଙ୍କ ଲକରରୁ ସୁନା ଓ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏଯାଏ ଯନ୍ତ୍ରୀଙ୍କର ଦେଢ଼ କେଜି ସୁନା ଓ ନଗଦ ୬ ଲକ୍ଷ ୧୭ ହଜାର ଟଙ୍କା ଜବତ ହେଲାଣି ।

ଚଢାଉ ବେଳେ ୭୫ ହଜାର ୫ ଶହ ଟଙ୍କା ଫ୍ରିଜ୍‌ ଭିତରୁ ଭିଜିଲାନ୍ସ ଜବତ କରିଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଡ୍ରେନେଜ୍ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଚଢ଼ାଉ କରିଥିଲେ। ଭିଜିଲାନ୍ସ ଟିମ୍‌ ଏକକାଳୀନ କଟକ ମହାନଦୀ ବିହାରସ୍ଥିତ ତାଙ୍କର ଦୁଇ ମହଲା କୋଠା, ଗଣ୍ଡରପୁରସ୍ଥିତ ଅଫିସ, ନେମାଳ ସ୍ଥିତ ପୈତୃକ ବାସଭବନ ଓ ଭୁବନେଶ୍ୱର ଉପକଣ୍ଠ ପାହାଳ ସ୍ଥିତ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା ଘରେ ଏକକାଳୀନ ଚଢ଼ଉ କରିଥିଲା। କଟକ ଓ ଭୁବନେଶ୍ୱରରେ ୬ଟି ପ୍ଲଟ୍ ମଧ୍ୟ ଠାବ କରିଛି ଭିଜିଲାନ୍ସ।