ମା’ ତାରାତାରିଣୀ ପୀଠରେ ଭବ୍ୟ ଅନୁଭବ ପାଇବେ ଶ୍ରଦ୍ଧାଳୁ: ଚୈତ୍ର ପର୍ବରେ ମୁଣ୍ଡନ ହେବ | News Room Odisha

ମା’ ତାରାତାରିଣୀ ପୀଠରେ ଭବ୍ୟ ଅନୁଭବ ପାଇବେ ଶ୍ରଦ୍ଧାଳୁ: ଚୈତ୍ର ପର୍ବରେ ମୁଣ୍ଡନ ହେବ

ଛତ୍ରପୁର: ପ୍ରାୟ ଦୁଇ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଯେତେବେଳେ କରୋନା ସଂକ୍ରମଣ ତଳମୁହାଁ ହୋଇଚାଲିଛି, ସେତେବେଳେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଚୈତ୍ର ମଙ୍ଗଳବାର ଯାତ୍ରା ପାଇଁ ମିଳିଛି ପ୍ରଶାସନିକ ଅନୁମତି। ଫଳରେ ଏଥିର ଦକ୍ଷିଣ ଓଡ଼ିଶାର ଏହି ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ଚୈତ୍ର ମାସର ପ୍ରତି ମଙ୍ଗଳବାର ପାଳିରେ ପୁଣି ଭକ୍ତଙ୍କ ସମାଗମ ସହ ଚଳଚଞ୍ଚଳ ହୋଇ ଉଠିବାକୁ ଯାଉଛି। ଏଥର ଶ୍ରଦ୍ଧାଳୁ ଯେତେବେଳେ ଦେବୀ ଦର୍ଶନ ପାଇଁ ଯିବେ ସେତେବେଳେ ଏକ ଭବ୍ୟ ଅନୁଭବ ପାଇବେ, ଏଥିରେ କୌଣସି ଦ୍ଵିମତ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ ତଥା ମାର୍ଗଦର୍ଶନରେ ଏହି ମନ୍ଦିର ଓ ଚତୁଃପାର୍ଶ୍ଵର ଯେଭଳି ରୂପାନ୍ତରଣ ଘଟିଛି ତାହା ଭକ୍ତଙ୍କ ମନକୁ ଏକ ଆଧ୍ୟାତ୍ମିକ ପରିବେଶରେ ପବିତ୍ରତା ଆଡକୁ ଟାଣିନେବ। ଅନ୍ତର୍ଜାତୀୟମାନର ସୁବିଧା ସୁଯୋଗ ସାଙ୍ଗକୁ ସ୍ୱଚ୍ଛତା, ସୌନ୍ଦର୍ଯ୍ୟକରଣ ଫଳରେ ଏହି ପୀଠର ନବକଳେବର ଶ୍ରଦ୍ଧାଳୁଙ୍କୁ ନିଶ୍ଚିତ ଯେ ଆମୋଦିତ କରିବ ତାହା କହିବା ବାହୁଲ୍ୟ।

ମାର୍ଚ୍ଚ ୨୨ ଓ ୨୯ ଏବଂ ଏପ୍ରିଲ ୫ ଓ ୧୨ ତାରିଖରେ ମା’ ତାରାତାରିଣୀ ପୀଠରେ ପାଳିତ ହେବ ଚୈତ୍ର ମଙ୍ଗଳବାର ପର୍ବ। କରୋନା ଲାଗି ଗତ ଦୁଇ ବର୍ଷ ହେବ ଦେବୀ ଦର୍ଶନରୁ ପ୍ରାୟ ବଞ୍ଚିତ ଥିବା ଶ୍ରଦ୍ଧାଳୁଙ୍କୁ ଏଥର ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଆଶ୍ବସ୍ତ ଆଣି ଦେଇଛନ୍ତି। ଏଥର ଚୈତ୍ର ମଙ୍ଗଳବାର ପାଳିରେ ପାରମ୍ପରିକ ମୁଣ୍ଡନ ମଧ୍ୟ ହୋଇପାରିବ। ମାନସିକଧାରୀମାନେ ସେମାନଙ୍କ ମନୋସ୍କାମନା ପୂରଣ ଦୃଷ୍ଟିରୁ ଦେବୀଙ୍କ ଚରଣ ତଳେ ନିଜ ପରିବାରର ଛୁଆମାନଙ୍କ ବାଳ କାଟିପାରିବେ। ତେଣୁ ସ୍ବାଭାବିକ ଭାବେ ଯେତେବେଳେ ପୂର୍ବ ଦୁଇ ବର୍ଷ ହେବ ଯାତ୍ରା ନାମକୁ ମାତ୍ର ହେଉଥିଲା ଆଉ ଭକ୍ତ ପର୍ବରୁ ବାଦ୍ ପଡୁଥିଲେ, ଏବେ ଅନୁମତି ମିଳିବା ପରେ ଅଧିକ ସଂଖ୍ୟାରେ ଆସିବା ନିଶ୍ଚିତ।

ଜିଲ୍ଲା ପ୍ରଶାସନ ସୂଚନା ମୁତାବକ ଭକ୍ତଗଣ ପାହାଚ, ରୋପ୍‌ଓ୍ବେ, ଘାଟି ରାସ୍ତାରେ ପ୍ରଶାସନ ଦ୍ଵାରା ନିର୍ଦ୍ଧାରିତ ବସ୍ ଯୋଗେ ମନ୍ଦିର ନିକଟକୁ ଯାଇପାରିବେ। ମନ୍ଦିର ଉପରକୁ କୌଣସି ବ୍ୟକ୍ତିଗତ ଯାନବାହାନ ଯିବା ମନା। କୋଭିଡ୍ ସଂକ୍ରମଣ ଆଶଙ୍କାକୁ ଏଡ଼ାଇବା ପାଇଁ ମନ୍ଦିର ପ୍ରବେଶ ତଥା ଦେବୀଦର୍ଶନ ବେଳେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ପାଦ ଦେଶ ବା ପାହାଡ଼ ତଳେ ପୂଜା ସାମଗ୍ରୀ ବିକ୍ରି ବ୍ୟବସ୍ଥା ଉପଲବ୍ଧ ହେବ। ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ମନ୍ଦିର ପାଦଦେଶ ଏବଂ ମନ୍ଦିର ନିକଟରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯିବ। ଅସୁସ୍ଥ, ବୟସ୍କ କିମ୍ବା କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ମନ୍ଦିର ନ ଆସିବାକୁ ପରାମର୍ଶ ଦିଆଯାଇଛି। ମନ୍ଦିର ପରିସରରେ ଜରି ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ। ଅସ୍ଥାୟୀ ଶୌଚାଳୟ ଯାନ, ପାନୀୟ ଜଳ, ଆଲୋକ ଆଦି ବ୍ୟବସ୍ଥା କରିବ ପ୍ରଶାସନ। ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ କାନିକା ଖେଚୁଡ଼ି ପ୍ରସାଦ ବିକ୍ରି କରାଯିବ। ସିସି ଟିଭି ନଜର ସହ ପୁଲିସ ବାହିନୀ ମୁତୟନ ରହି ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ଓ ଭକ୍ତଙ୍କ ସୁରୁଖୁରୁରେ ଦର୍ଶନ ବ୍ୟବସ୍ଥା କରାଇବେ।

ଯେଉଁମାନେ ଗତ କିଛି ବର୍ଷ ତଳେ ଏହି ପୀଠକୁ ଆସିଥିବେ, ସେମାନେ ଏଥର ମନ୍ଦିରର ନୂତନ ତଥା ପରିବର୍ତ୍ତିତ ରୂପ ଦେଖି ବିମୋହିତ ହେବା ଥୟ। ଆଉ ଯେଉଁମାନେ ନିୟମିତ ବ୍ୟବଧାନରେ ପୀଠକୁ ଆସୁଛନ୍ତି, ସେମାନେ କ୍ରମାନ୍ୱୟରେ ଏହି ପୀଠର ବଦଳୁଥିବା ପରିବେଶ ଓ ପରିସ୍ଥିତିର ପ୍ରତ୍ୟକ୍ଷ ପ୍ରମାଣ ଦେଇପାରିବେ। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ପାହାଡ଼ ଉପରକୁ ଅଧିକ ପ୍ରଶସ୍ତ କରାଯାଇଛି ଯାହାଦ୍ଵାରା ହଜାର ହଜାର ଶ୍ରଦ୍ଧାଳୁ ଏକାସାଙ୍ଗରେ ମନ୍ଦିରରେ ଦେବୀଙ୍କ ସୁଚାରୁ ରୂପେ ଦେବୀ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ। ସୌନ୍ଦର୍ଯ୍ୟକରଣ ଦୃଷ୍ଟିରୁ ପ୍ରକୃତି ତ ତାହାର ଅବଦାନ ଦେଇଛି। ପାହାଡ଼ ଶିଖରରୁ ଚାରିପଟର ସବୁଜିମା, ସର୍ପିଳ ଗତିରେ ପୀଠ ଠାରୁ ସ୍ପଳ୍ପ ଦୂରରେ ପ୍ରବାହିତ ପୁଣ୍ୟତୋୟା ଋଷିକୁଲ୍ୟା ନଦୀ, ଦୂରରୁ ଦୃଷ୍ଟିକୁ ଆସୁଥିବା ଛୋଟବଡ଼ ଜନବସତି ଆଦି ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଯଥେଷ୍ଟ। ତେବେ ଗୋଟିଏ ପଟେ ଧାର୍ମିକ ଭାବଧାରାରେ ସମ୍ପନ୍ନ ଶ୍ରଦ୍ଧାଳୁ, ଆରପଟେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ତତ୍ପର ପର୍ଯ୍ୟଟକ ଉଭୟ ଯେ ନବୀକରଣ ପରେ ତାରାତାରିଣୀ ପୀଠରେ ନିଜ ମନକୁ ତୃପ୍ତ କରିପାରିବେ ସେହି ଆଶା କରିହୁଏ।

ତାରାତାରିଣୀ ପୀଠ ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଶକ୍ତି ପୀଠ। ସେ ନିଜେ ପ୍ରତ୍ୟକ୍ଷ ଭାବେ ଏହାର ବିକାଶ ପ୍ରତି ନଜର ଦେଇ ଆସୁଛନ୍ତି। ଏଥିପାଇଁ ଆବଶ୍ୟକ ଆର୍ଥିକ ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାରଙ୍କ ଦ୍ଵାରା ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ଯାହା ଭକ୍ତଙ୍କ ପାଇଁ ଅଧିକ ସୁବିଧାଦାୟକ ହେଉଛି। ସେଥିପାଇଁ ତ ଖୋଦ୍ ମୁଖ୍ୟମନ୍ତ୍ରୀ କୁହନ୍ତୁ ଅବା ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଅଥବା ରାଜ୍ୟ ସରକାରଙ୍କ ଅନ୍ୟ ପଦସ୍ଥ ଅଧିକାରୀଗଣ ବାରମ୍ବାର ଓ ନିୟମିତ ବ୍ୟବଧାନରେ ଏଠାକୁ ଆସି ଏହି ପୀଠରେ ବିକାଶମୂଳକ କାର୍ଯ୍ୟର ପ୍ରଗତି ଅନୁଧ୍ୟାନ କରି ଆସୁଛନ୍ତି। ଆଉ ବର୍ତ୍ତମାନ ଚୈତ୍ର ମଙ୍ଗଳବାର ପାଳିରେ ରାଜ୍ୟ, ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସି ଦେବୀ ଦର୍ଶନ କରିବେ, ସେତେବେଳେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତା ସମ୍ପନ୍ନ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ବିକାଶ ଯୋଜନାର ଝଲକ ନିଜ ଚକ୍ଷୁରେ ଦେଖିବାକୁ ପାଇପାରିବେ।

Ganjam AdminOdisha GovernmentTara Tarini Temple