ସମ୍ବଲପୁରରେ ମତ୍ସ୍ୟ ଓ ପଶୁପାଳନ ସମ୍ପଦ ସଚିବ ଓ କୃଷି ନିର୍ଦ୍ଦେଶକ | News Room Odisha

ସମ୍ବଲପୁରରେ ମତ୍ସ୍ୟ ଓ ପଶୁପାଳନ ସମ୍ପଦ ସଚିବ ଓ କୃଷି ନିର୍ଦ୍ଦେଶକ

ହୀରାକୁଦରୁ ବାର୍ଷିକ ୩୦ ହଜାର ଟନ୍ ମାଛ ଉତ୍ପାଦନ ଲକ୍ଷ୍ୟ

ସମ୍ବଲପୁର : ମତ୍ସ୍ୟ ଓ ପଶୁପାଳନ ସଚିବ ସଞ୍ଜୀବ ଚୋପରା ଏବଂ କୃଷି ନିର୍ଦ୍ଦେଶକ ଏମ୍. ମୁଥୁକୁମାର ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ବିଶେଷ କରି ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଥିବା ଘେରି ମାଛ ଚାଷର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ସେହିପରି ପ୍ରାଣୀ ସମ୍ପଦ, ଉଦ୍ୟାନ କୃଷି ବିଭାଗ ସଂପର୍କିତ ବିଭିନ୍ନ ପ୍ରକଳ୍ପ ଏବଂ ସାର ଯୋଗାଣ ନେଇ ଏହି ଦୁଇ ଅଧିକାରୀ ସମୀକ୍ଷା କରିଛନ୍ତି।
ଗତକାଲି ଉଭୟ ଅଧିକାରୀ ସମ୍ବଲପୁରରେ ପହଞ୍ଚିଥିଲେ। ପ୍ରଥମେ ହୀରାକୁଦ ନିମପାଲି ଠାରେ କାର୍ଯ୍ୟକାରୀ ହୋଇଥିବା କଦଳୀ ପଚା ଚାମ୍ବର ପରିଦର୍ଶନ କରିଥିଲେ। ସେଠାରୁ ହୀରାକୁଦ ଜଳ ଭଣ୍ଡାରରେ ଆରମ୍ଭ ହୋଇଥିବା ଘେରି ମାଛ ଚାଷ ବା କେଜ୍ କଲଚର୍ ପ୍ରକଳ୍ପର ଅନୁଧ୍ୟାନ କରିଥିଲେ। ହୀରାକୁଦ ଜଳଭଣ୍ଡାରରେ ଏହି ପ୍ରକଳ୍ପ ମାଧ୍ୟମରେ କିପରି ମତ୍ସ୍ଯ ଉତ୍ପାଦନ ବୃଦ୍ଧି କରାଯାଇ ପାରିବ ସେନେଇ ଗୁରୁତ୍ବାରୋପ କରିଛନ୍ତି। ବର୍ତ୍ତମାନ ଜଳଭଣ୍ଡାରରେ 2 ହଜାର କେଜ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରହିଛି। ଏଥି ମଧ୍ୟରୁ ବର୍ତ୍ତମାନ 80ଟି କେଜ୍ ନିର୍ମାଣ ହୋଇ ମାଛ ଚାଷ ଆରମ୍ଭ ହୋଇଛି। ଅନ୍ୟ କେଜ୍ ଗୁଡିକ ଯେଭଳି ଠିକଣା ସମୟରେ ପ୍ରସ୍ତୁତ ହେବ ଏନେଇ ସଚିବ ଶ୍ରୀ ଚୋପରା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବର୍ଷକୁ 26 ହଜାର 780 ଟନ୍ ମାଛ ଉତ୍ପାଦନ ହେଉଛି। କେଜ୍ କଲଚର୍ ଯୋଜନାରେ ନିର୍ମାଣ ହେଉଥିବା ପ୍ରତି କେଜରୁ ବର୍ଷକ 30 ଟନ୍ ମାଛ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ସମସ୍ତ କେଜ୍ ନିର୍ମାଣ ହୋଇ କାର୍ଯ୍ୟକାରୀ ହେଲେ ମାଛ ଉତ୍ପାଦନ ବୃଦ୍ଧି ପାଇବା ସହ ଏହା ସ୍ଥାନୀୟ ଆବଶ୍ୟକତାକୁ ପୂରଣ କରିବ ଓ ରପ୍ତାନି ମଧ୍ୟ ହୋଇପାରିବ।

ସେଠାରୁ ପୁଣି ଉଭୟ ଅଧିକାରୀ କର୍ଣ୍ଣପାଲି ଗସ୍ତ କରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଡ୍ରାଗନ ଫଳ ଚାଷ ଓ ମାଛ ଚାଷର ସ୍ଥିତି ତଦାରଖ କରିଥିଲେ। ପ୍ରକଳ୍ପ କରିଥିବା ଚାଷୀ ମୁରଲୀ କ୍ରିଷ୍ଣାଙ୍କ ସହ ଏନେଇ ଆଲୋଚନା ମଧ୍ୟ କରିଥିଲେ। ସେଠାରୁ ପୁଣି ଭାଲୁପାଲି ଗ୍ରାମକୁ ଗସ୍ତକରି ଗୋ ଖାଦ୍ୟ ପ୍ରକଳ୍ପ ପରିଦର୍ଶନ ସହ ସେଠାରୁ ଫେରି ଗୋଶାଳା ସ୍ଥିତ ହରିଓଁ ଗୋମନ୍ଦିର ପରିଦର୍ଶନ କରିଥିଲେ। ପରେ ରେମେଡ ସ୍ଥିତ ଏକ ସାର ବିକ୍ରୟ କେନ୍ଦ୍ରକୁ ଯାଇ ବିକ୍ରୟ ବ୍ୟବସ୍ଥା କିଭଳି ଚାଲିଛି ତଦାରଖ କରିବା ସହ ମୁଦିପଡ଼ା ସ୍ଥିତ ମାଟି ପରୀକ୍ଷାଗାର ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ନିକଟରେ ଥିବା କୃଷି ପରାମର୍ଶ କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ର କିଭଳି କାର୍ଯ୍ୟ କରୁଛି ଏହାର ତଦାରଖ କରିଥିଲେ। ସେଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି କିଛି ଚାଷୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଆଜି ଉଭୟ ଅଧିକାରୀ ଭର୍ଚୁଆଲରେ ଜିଲ୍ଲାର ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି।
ଗସ୍ତ ଅବସରରେ ଉଭୟ ଅଧିକାରୀଙ୍କ ସହ ଜିଲ୍ଲାପାଳ ଦିବ୍ୟାଜ୍ୟୋତି ପରିଡ଼ା, ସିଡିଏଓ ଟଙ୍କଧର ସାହୁ, ଡିଡିଏଚ୍ ନନ୍ଦ କିଶୋର ଦାସମହାପାତ୍ର, ମତ୍ସ୍ୟ ବିଭାଗ ସହକାରୀ ନିର୍ଦ୍ଦଶେକ ବିରଜା ପ୍ରସାଦ ଦ୍ବିବେଦୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କାଲୋଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।