ଚରଦାରେ ନିର୍ବାଚନୀ ହିଂସା, ଫେରାର ୯ଜଣଙ୍କୁ ଗିରଫ କରାନଗଲେ ଆନ୍ଦୋଳନ ଚେତାବନୀ | News Room Odisha

ଚରଦାରେ ନିର୍ବାଚନୀ ହିଂସା, ଫେରାର ୯ଜଣଙ୍କୁ ଗିରଫ କରାନଗଲେ ଆନ୍ଦୋଳନ ଚେତାବନୀ

ସୁବର୍ଣ୍ଣପୁର: ବିନିକା ଥାନା ଚରଦା ଗ୍ରାମରେ ରାଜନୈତିକ ହିଂସାକାଣ୍ଡ ଯୋଗୁଁ ୩ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଏଥିରେ ସଂଶ୍ଳିଷ୍ଟ ଅନ୍ୟ ୯ଜଣଙ୍କୁ ତୁରନ୍ତ ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଆଜି ରାଜ୍ୟ ଭୀମ ସେନା ସଭାପତି ସମ୍ରାଟ ସୁରଜଙ୍କ ନେତୃତ୍ୱରେ ବିନିକା ଥାନାକୁ ଆସିଥିବା ଏକ ପ୍ରତିନିଧି ଦଳ ସୂଚନା ଦେଇଛନ୍ତି |

ପ୍ରକାଶ ଥାଉଜି ଗତ ୧୨ତାରିଖରେ ବିନିକା ବ୍ଲକ ଅଧ୍ୟକ୍ଷା ନିର୍ବାଚନ ପରେ ନିର୍ବାଚିତ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦଙ୍କ ସମର୍ଥକ ମାନେ ଚରଦା ଗ୍ରାମରେ ବାଣ ଫୁଟାଇ ରାତିରେ ଉତ୍ସବ ମନାଇଥିଲେ | ପରେ ଗ୍ରାମର ହରିଜନପଡା ଓ ନୂଆଁପଡାକୁ ଯାଇ ସେଠାକାର ମହିଳା ଏବଂ ଲୋକ ମାନଙ୍କୁ ତମେ ଆମକୁ ଭୋଟ ନଦେଇ ସମର୍ଥନ କଲନାହିଁ ବୋଲି ଗାଳିଗୁଲଜ କରିବା ସହିତ ଜାତିଆଣ ଆକ୍ଷେପ କରି ଧମକ ଚମକ ଦେଇଥିବା ବିନିକା ଥାନାରେ ଅଭିଯୋଗ ହୋଇଥିଲା |

ସେହିପରି ହରିଜନ ପଡାରେ ଲାଗିଥିବା ସୋଲାର ପମ୍ପର ପାଇପ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି | ଏନେଇ ଶୋଭାଗିନୀ କୁମ୍ଭାରଙ୍କ ସମେତ ପ୍ରାୟ ୫୦ଜଣ ମହିଳା ଗ୍ରାମର ଦୀପକ ବାରିକ,ଗୁଲେଖ ଥନାପତି,ପେଟୁ ଥନାପତି,ପ୍ରତାପ ସାଲମା, ଗନସ ବାଘ,ପଞ୍ଚାନନ ଥନାପତି,ସଦାନନ୍ଦ ନେଗି,ରଞ୍ଜନ ଷାଣ୍ଡ,ସୁରେନ୍ଦ୍ର ସେଠୀ,ଖିର ଥନାପତି, ଟିଙ୍କଲ ଥନାପତି,ପଞ୍ଚା ଥନାପତି ଆଦି ୧୨ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ | ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା | ଏନେଇ ବିନିକା ଥାନାରେ ଏକ ମାମଲା ରୁଜୁ ହେବା ସହିତ ଏହି ଘଟଣାରେ ସଂପୃକ୍ତ ୧୨ଜଣଙ୍କ ମଧ୍ୟରୁ ଦୀପକ ବାରିକ,ଗୁଲେଖ ଥନାପତି, ପେଟୁ ଥନାପତିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା | ସେଠାରେ ବେଲ ନାମଞ୍ଜୁର ହେବାରୁ ସେମାନେ ବର୍ତ୍ତମାନ ସୋନପୁର ଜେଲ ହାଜତରେ ଅଛନ୍ତି । ଏହି କେଶର ଦାୟିତ୍ୱ ଏସଡ଼ିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ନେଇଛନ୍ତି | ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୯ଜଣ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୀମସେନା ରାଜ୍ୟ ସଭାପତି ସମ୍ରାଟ ସୁରଜ,ରାଜ୍ୟ ସାଧାରଣ ସମ୍ପାଦକ ରାଧେଶ୍ୟାମ ବାଦି,ସୁବର୍ଣ୍ଣପୁର ଜିଲ୍ଲା ସଭାପତି ବଳଦେବ ଆଜାଦ ରାବଣ,ଉପ ସଭାପତି ପ୍ରଶାନ୍ତ ନାଗ,ଡୁଙ୍ଗୁରିପାଲି ବ୍ଲକ ସଭାପତି କାର୍ତ୍ତିକ ମହାନନ୍ଦ ପ୍ରମୁଖଙ୍କ ନେତୃତ୍ୱରେ ଚରଦା ଗ୍ରାମର ଉଭୟ ପଡ଼ାବାସି ବିନିକା ଥାନାକୁ ଆସି ଦାବି କରିଛନ୍ତି ।