ମୁଖ୍ୟମନ୍ତ୍ରୀ ପାଳିଲେ ପଖାଳ ଦିବସ, କହିଲେ- ‘ପଖାଳ ମୋର ପସନ୍ଦ’ | News Room Odisha

ମୁଖ୍ୟମନ୍ତ୍ରୀ ପାଳିଲେ ପଖାଳ ଦିବସ, କହିଲେ- ‘ପଖାଳ ମୋର ପସନ୍ଦ’

ଭୁବନେଶ୍ୱର- ପଖାଳ । ଏହା ଏକ କେବଳ ଖାଦ୍ୟ ନୁହେଁ , ବରଂ ପ୍ରତିଟି ଓଡିଆଙ୍କ ମହନୀୟ ଖାଦ୍ୟ ପରମ୍ପରାର ଏକ ପରିଚୟ । ପଖାଳ ପାଖରେ ଗରିବ ଧନୀ, ଛୁଆଁ ଅଛୁଆଁର କିଛି ବାଛବିଚାର ନାହିଁ । ସବୁ ଓଡିଆଙ୍କ ପ୍ରାଣ ହେଉଛି ପଖାଳ ଭାତ । କଂସାଏ ପଖାଳ ଭାତରେ ଯେଉଁ ତୃପ୍ତି ଓ ଆତ୍ମସନ୍ତୋଷ ମିଳେ, ସେହି ତୃପ୍ତି କେଉଁ ରାଜକୀୟ ଖାଦ୍ୟରେ ବି ନ ଥିବ । ସେଥିପାଇଁ ତ ପଖାଳ ହେଉଛି ସବୁ ଓଡିଆଙ୍କ ପ୍ରିୟ ଖାଦ୍ୟ । ଓଡିଆଙ୍କ ଗର୍ବ,ଗୌରବ । ଡହ ଡହ ଖରାବେଳେ ସମସ୍ତେ ଖୋଜନ୍ତି ପଖାଳ । ଦହି ପଖାଳ ଟିକେ ପେଟରେ ପଡିଗଲେ ଯେଉଁ ଶାନ୍ତି, ତାହା ଖାଇବା ଲୋକ ହିଁ ଜାଣିବ । ଓଡିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱରେ ଲୋକପ୍ରିୟ କରିବାକୁ ଗତ କିଛି ବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳନ କରାଯାଉଛି ବିଶ୍ୱ ପଖାଳ ଦିବସ । ଏବେ ଓଡିଶା ବାହାରେ ବି ଆମ ପ୍ରିୟ ପଖାଳର ଆଦର ବଢିବାରେ ଲାଗିଛି ।

ଆମ ରାଜ୍ୟର ବିଚାରଧାରା ଓ ସଂସ୍କୃତି ସହ ଜଡିତ ପଖାଳ । ପଖାଳ ଦିବସ ବେଶ୍ ଧୂମଧାମରେ ପାଳନ ହେଉଛି । ସମସ୍ତେ ବେଶ ଗର୍ବର ସହ ଏହି ଦିବସ ପାଳନ କରନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି କୋଟି କୋଟି ଓଡିଆଙ୍କ ସହ ପଖାଳ ଦିବସ ପାଳନରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ନବୀନ । ଅନ୍ୟ ଓଡିଆଙ୍କ ପରି ନବୀନ ନିବାସରେ ପଖାଳ ଦିବସ ମନାଇଛନ୍ତି ମୁଖ୍ୟମନ୍ତ୍ରୀ । ପଖାଳ ଭାତ ସହ ଚୁନା ମାଛ ଭଜା, ଆଳୁ ଭଜା, ଛୁଇଁ ଭଜା ଓ ଶାଗ ଭଜା । ପଖାଳ ସହ ଏସବୁ ବ୍ୟଞ୍ଜନ ସୌଖୀନ ନୁହେଁ । ବରଂ ପ୍ରତି ଓଡିଆ ପଖାଳ ଭାତ ସହ ଆନୁଷଙ୍ଗିକ ବ୍ୟଞ୍ଜନର ମଜା ନିଅନ୍ତି । ପଖାଳ ସବୁ ଓଡିଆଙ୍କ ପସନ୍ଦ । ତେଣୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କର ବା କେମିତି ଏହା ପସନ୍ଦ ନ ହେବ । ତେଣୁ ପଖାଳ ଦିବସ ପାଳନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି- ‘ପଖାଳ’ ମୋର ପସନ୍ଦ ।