୩ ଅନାଥଙ୍କ ଦାୟିତ୍ଵ ନେଲା ଗଜପତି ଜିଲ୍ଲା ପ୍ରଶାସନ | News Room Odisha

୩ ଅନାଥଙ୍କ ଦାୟିତ୍ଵ ନେଲା ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ଦାୟିତ୍ଵବାନ ଓ ସମ୍ବେଦନଶୀଳ ସରକାର ତଥା ପ୍ରଶାସନ ହିଁ ଉତ୍କୃଷ୍ଟ ଜନସେବା ଯୋଗାଇ ଦେଇପାରିବ। ସେଥିପାଇଁ ତ ମୂଳତଃ ଓଡ଼ିଆ ହୋଇ ମଧ୍ୟ ପେଟପାଟଣା ପାଇଁ ସୁଦୂର ଅରୁଣାଚଳ ପ୍ରଦେଶ ଯାଇ ଅନାଥ ହୋଇଥିବା ୩ ଶିଶୁଙ୍କ ଦାୟିତ୍ବ ଗ୍ରହଣ କରିଛି ଗଜପତି ଜିଲ୍ଲା ପ୍ରଶାସନ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ଅଞ୍ଚଳର ରାଇକା ଦମ୍ପତିଙ୍କ ତିନି ଝିଅ ଥିଲେ ଯେଉଁମାନଙ୍କ ବୟସ ମାତ୍ର ୪ ବର୍ଷ, ୫ ବର୍ଷ ଓ ୬ ବର୍ଷ ବୟସର ଥିଲା। ସ୍ୱାମୀ – ସ୍ତ୍ରୀ କିଛି ବର୍ଷ ତଳୁ ମୂଲ ଖଟି ପେଟ ପୋଷିବା ପାଇଁ ଅରୁଣାଚଳପ୍ରଦେଶ ଯାଇଥିଲେ। ତେବେ କୌଣସି କାରଣରୁ କୋଭିଡ୍ ୧୯ ପୂର୍ବରୁ ତିନି ଛୋଟ ଛୁଆମାନଙ୍କ ମା’ଙ୍କ ମୃତ୍ୟୁ ଘଟି ସାରିଥିଲା। ପିଲାମାନଙ୍କ ପାଇଁ ଅଧିକ ଦୁଃଖକଷ୍ଟ ସେତେବେଳେ ଆସିଥିଲା ଯେତେବେଳେ କରୋନା ମହାମାରୀରେ ତିନି ସନ୍ତାନଙ୍କ ପିତା ବିଜୟ ରାଇକାଙ୍କ ମଧ୍ୟ ଜୀବନ ଚାଲି ଯାଇଥିଲା। ସ୍ଵଳ୍ପ ବୟସରେ ବାପା ମା’ ଛେଉଣ୍ଡ ହୋଇଯାଇଥିଲେ ୩ ଶିଶୁ କନ୍ୟା। ସେଠାରେ ସେମାନଙ୍କର କେହି ନିଜର ନଥିଲେ ଯେଉଁମାନେ କି ଏମାନଙ୍କ ଯତ୍ନ ନେଇଥାନ୍ତେ କିମ୍ବା ସେମାନଙ୍କ ଲାଳନପାଳନ କରିଥାନ୍ତି। ତେବେ ଅନାଥ ତିନି ଛୁଆଙ୍କୁ ଅରୁଣାଚଳପ୍ରଦେଶ ରାଜ୍ୟ ଅପରସିଆଁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଥିଲା। ଅପରସିଆଁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ତତ୍ତ୍ୱାବଧାନରେ ସେମାନଙ୍କ ସେବାଶୁଶ୍ରୁଷା କରାଯାଉଥିଲା। ତେବେ ପିଲାମାନଙ୍କ ବାସ୍ତବ ପରିଚୟ ଜାଣିପାରି ଗଜପତି ଜିଲ୍ଲା ପ୍ରଶାସନ ସାଙ୍ଗରେ ଯୋଗାଯୋଗ କରିଥିଲା ଅପରସିଆଁ ଜିଲ୍ଲା ପ୍ରଶାସନ।

ସମନ୍ୱୟ ଶିଶୁ ସୁରକ୍ଷା ଯୋଜନା ଅନ୍ତର୍ଗତ ଶିଶୁ ମାନଙ୍କୁ ଅପରସିଆଂ ଜିଲ୍ଲା ପ୍ରଶାସନ ନିକଟରେ ଗଜପତି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିଲା। ତିନି ପିଲାଙ୍କୁ ପାଇବା ପରେ ଗଜପତି ଜିଲ୍ଲା ପ୍ରଶାସନ ଶିଶୁମାନଙ୍କୁ ସ୍ଥାନୀୟ ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇ ଥିଲା। ସମିତି ପରାମର୍ଶକ୍ରମେ ତିନି ଶିଶୁ କନ୍ୟାଙ୍କ ଲାଳନପାଳନ ବ୍ୟବସ୍ଥା କରିଥିଲା ଗଜପତି ଜିଲ୍ଲା ପ୍ରଶାସନ। ୬ ଓ ୫ ବର୍ଷ ବୟସର ବଡ଼ ଦୁଇ ଝିଅଙ୍କୁ ଜିଲ୍ଲାର ଏକମାତ୍ର କନ୍ୟା ସନ୍ତାନ ଯତ୍ନ ଅନୁଷ୍ଠାନ ‘ପ୍ରାଉଡ୍‌’ରେ ରଖାଯାଇ ଥିଲା। ୪ ବର୍ଷ ବୟସର ସବୁଠାରୁ ଛୋଟ ଝିଅକୁ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରହଣୀ ବ୍ୟବସ୍ଥା କରିଥିଲା ଜିଲ୍ଲା ପ୍ରଶାସନ। ଅନେକ ଦିନ ଧରି ଓଡ଼ିଶା ବାହାରେ ରହିଥିବାରୁ କିଛି କିଛି ଜାଣି ଓ ବୁଝି ପାରୁଥିବା ଦୁଇ ଝିଅ ଓଡ଼ିଆ ବଦଳରେ ହିନ୍ଦୀ ଲେଖିବା, କହିବା ଏବଂ ପଢ଼ିବା ହିଁ କରି ପାରୁଥିଲେ। ଏଣୁ ସେମାନଙ୍କୁ ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ନାମ ଲେଖାଯାଇଛି। ପିଲାମାନଙ୍କୁ ପୋଷ୍ୟ ସନ୍ତାନ କାର୍ଯ୍ୟକ୍ରମ ଦ୍ଵାରା ପାଳିତ ପିତାମାତା ଦେବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପ୍ରୟାସ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା।