ସମ୍ବଲପୁର: ବାମରା ଷ୍ଟେସନରେ ୮ଟି ଏକ୍ସପ୍ରେସ ଟ୍ରେନ ସମେତ ୩ଟି ନୂତନ ଟ୍ରେନ ଚଳାଚଳ ଦାବିରେ ବିଶାଳ ରେଳରୋକୋ କରାଯାଇଛି। ଏଥିରେ ରେଳ ଧାରଣା ଉପରେ ହଜାର ହଜାର ଲୋକ ବସି ରହିଛନ୍ତି। ଫଳରେ ରାଉରକେଲା- ସମ୍ବଲପୁର ଏବଂ ଝାରସୁଗୁଡା ମଧ୍ଯରେ ଟ୍ରେନ ଚଳାଚଳ ଠପ୍ ହୋଇଯାଇଛି।
ବାମରା ସମ୍ବଲପୁର ଜିଲ୍ଲାର ଏକ ଆଦିବାସୀ ତଥା ବ୍ୟବସାୟିକ ପେଣ୍ଠସ୍ଥଳ। ଏହି ରୁଟ୍ ଦେଇ ପଶ୍ଚିମବଙ୍ଗରୁ ମୁମ୍ବାଇକୁ ବହୁ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଚଳାଚଳ କରିଥାଏ। ହେଲେ ଏଥିରୁ କିଛି ଟ୍ରେନ ପୂର୍ବରୁ ଏଠାରେ ରହଣୀ ଥିବା ବେଳେ କୋଭିଡ ଆଳରେ ବନ୍ଦ ହୋଇଯାଇଛି। ଏହାଛଡା ଅନେକ ଟ୍ରେନର ରହଣୀ ପାଇଁ ଦାବି ହୋଇଆସୁଛି। ଏଥିପାଇଁ ୨ ବର୍ଷ ତଳେ ରେଳରୋକ ହେବାରୁ ରେଳବାଇ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ଭୁଲି ଯାଇଥିଲା। ଫଳରେ ଆଜି ରେଳ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୁଣି ବିଶାଳ ରେଳରୋକୋ କରାଯାଇଛି। ଏଥିରେ ସବୁ ରାଜନୈତିକ ଦଳ ସମେତ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ତେବେ ଆନ୍ଦୋଳନ ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି।