ରାଜ୍ୟ ସରକାର ହଟାଇଲେ କୋରୋନା କଟକଣା | News Room Odisha

ରାଜ୍ୟ ସରକାର ହଟାଇଲେ କୋରୋନା କଟକଣା

ଭୁବନେଶ୍ୱର- କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ସହ ସ୍ଥିତି ସ୍ୱାଭାବିକ ହେବା ପରେ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍ କଟକଣାକୁ ହଟାଇ ଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡ୍ ପରିଚାଳନା କରାଯାଉଥିବାବେଳେ ଏହି ମହାମାରୀ ସଂକ୍ରାନ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି।ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ୨୦୨୦ ମାର୍ଚ୍ଚ ୧୩ତାରିଖରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡକୁ ମହାମାରୀ ଘୋଷଣା କରାଯିବା ସହ ଏହାର ପରିଚାଳନା ନିମନ୍ତେ ଆବଶ୍ୟକ ଗାଇଡଲାଇନ୍ ଜାରି ହୋଇଥିଲା । କିନ୍ତୁ ସାରା ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ଓ କେନ୍ଦ୍ର ସରକାର ବିପର୍ଯ୍ୟୟ ଆଇନରୁ କୋଭିଡ୍ ପରିଚାଳନାକୁ ବାଦ୍ ଦେବା ସଂକ୍ରାନ୍ତ ବିଜ୍ଞପ୍ତି ମାର୍ଚ୍ଚ ୨୨ତାରିଖରେ ଜାରି କରିବା ସହ ସମସ୍ତ ରାଜ୍ୟକୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସରକାର ମାର୍ଚ୍ଚ ୨୮ତାରିଖରେ ଏହି କୋଭିଡ୍ ପରିଚାଳନାକୁ ବିପର୍ଯ୍ୟୟ ଆଇନ-୨୦୦୫ରୁ ବାଦ୍ ଦେବାକୁ ବିଜ୍ଞପ୍ତି ଜାରି କରିଥିଲେ ।