ମୁଖ୍ୟମନ୍ତ୍ରୀଙ୍କ ଉତ୍କଳ ଦିବସ ଭେଟି: ଆଉ ୬ ମାସ ପାଇଁ ହିତାଧିକାରୀଙ୍କୁ ଅତିରିକ୍ତ ମାଗଣା ଚାଉଳ | News Room Odisha

ମୁଖ୍ୟମନ୍ତ୍ରୀଙ୍କ ଉତ୍କଳ ଦିବସ ଭେଟି: ଆଉ ୬ ମାସ ପାଇଁ ହିତାଧିକାରୀଙ୍କୁ ଅତିରିକ୍ତ ମାଗଣା ଚାଉଳ

ଭୁବନେଶ୍ବର – ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଉ ୬ ମାସ ପାଇଁ ରାଜ୍ୟର ହିତାଧିକାରୀଙ୍କୁ ଦିଆଯିବ ଅତିରିକ୍ତ ମାଗଣା ଚାଉଳ। ଏପ୍ରିଲରୁ ସେପ୍ଟେମ୍ବର ମାସ ଯାଏଁ ହିତାଧିକାରୀଙ୍କୁ ମାଗଣା ଚାଉଳ ମିଳିବ। ଏଥିରେ ରାଜ୍ୟର ୮.୦୯ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ଜଣାଯାଇଛି। ଏହା ବାବଦରେ ୯୧.୭୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଆସନ୍ତା ୬ମାସ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ମାଗଣାରେ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀ ଏପ୍ରିଲ ୨୦୨୨ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମାସିକ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପାଇବେ। ପ୍ରାୟ ୮.୦୯ ଲକ୍ଷ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ରହିବେ। ଏଥିପାଇଁ ୨୪,୨୭୦ଟନ୍ ଚାଉଳ ପ୍ରଦାନ କରାଯିବ। ଏଥିଲାଗି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୯୧.୭୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାମ ଲେଖାଇଥିବା ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ |