ଝାରସୁଗୁଡା : ଛତିଶଗଡ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ ଓଡିଶା ଉପରେ ଦାଦାଗିରି କରିବାରେ ଲାଗିଛି। ପ୍ରଥମେ ମହାନଦୀକୁ ଏକଛାଟିଆ ଅଧିକାର ସାବ୍ୟସ୍ତ କରିବା ପରେ ବର୍ତ୍ତମାନ ଓଡିଶାର ସୀମାନ୍ତରେ ମନଇଚ୍ଛା ଶିଳ୍ପାୟନ କରି ଦାଉ ସାଧିବାରେ ଲାଗିଲାଣି। ପୂର୍ବରୁ ଓଡିଶାର ସୀମାନ୍ତ ଜିରୋ ପଏଣ୍ଟରେ ଏନଟିପିସି ପ୍ରତିଷ୍ଠା କରି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକର ଲୋକଙ୍କୁ ଦହଗଞ୍ଜ କରି ଆସୁଛି। ଆଉ ଏବେ ସେହି ବ୍ଲକର ଅତାବିରା ପଞ୍ଚାୟତକୁ ଲାଗି ଥିବା ଛତିଶଗଡର ଜମଗାଁ ଠାରେ ଏମ୍ଏସପି ପ୍ଲାଣ୍ଟର ସଂପ୍ରସାରଣରେ ଓଡିଶାକୁ ପୁଣି ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ହେଲାଣି। ଓଡିଶାର ସୀମାକୁ ଲାଗିଥିଲେ ହେଁ ଏଠାରେ ଜନଶୁଣାଣି କରାଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ଏପରିକି ଏଥିପାଇଁ ଜମଗାଁ ଠାରେ ଅନୁଷ୍ଠିତ ଜନଶୁଣାଣିରେ ଅଭିଯୋଗ କରିବାକୁ ଯାଇଥିବା ଓଡିଶାର ପ୍ରଭାବିତଙ୍କୁ ପୁଲିସ ପ୍ରତିରୋଧ କରିବା ଭଳି ଘଟଣା ସାମ୍ନାକୁ ଆସିଲାଣି।
ପୂର୍ବରୁ ମହାନଦୀର ପାଣିକୁ ଛତିଶଗଡ ମନଇଚ୍ଛା ବନ୍ଧ ଓ ବ୍ୟାରେଜ୍ କରି ଅବରୋଧ କରିସାରିଛି। ଏହାର ବିରୋଧରେ ଓଡିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ଟ୍ରିବୁୟନାଲ ଗଠନ ହୋଇ ଏହାର ବିଚାର ଚାଲିଛି। ସେପଟେ ଆଜକୁ 10 ବର୍ଷ ହେଲା ଓଡିଶା ସୀମାକୁ ଲାଗି ରହିଥିବା ଲରା ଠାରେ ଛତିଶଗଡ ସରକାର ଏନଟିପିସିର ବୃହତ ତାପଜ କାରଖାନା ପ୍ରତିଷ୍ଠା କରିଛନ୍ତି। ଏହି ପ୍ରକଳ୍ପର ବଫର୍ ଜୋନରେ ଝାରସୁଗୁଡା ଜିଲ୍ଲାର 6ଟି ପଞ୍ଚାୟତ ଆସୁଥିଲେ ହେଁ ଏହାକୁ ଏନଟିପିସି କର୍ତ୍ତୃପକ୍ଷ କୌଣସି କର୍ଣପାତ କରିନାହାନ୍ତି। ଏପରିକି ଓଡିଶାରେ ଆଦୌ ଜନଶୁଣାଣି ବି ହୋଇନାହିଁ। ଏହାର ବିରୋଧରେ ଓଡିଶାର ମୁଖ୍ୟମନ୍ତ୍ରୀ 3 ଥର କେନ୍ଦ୍ରକୁ ଚିଠି ଲେଖି ଜଣାଇଥିଲେ ହେଁ କେନ୍ଦ୍ର ସରକାର କର୍ଣପାତ କରିନାହିଁ।
ଏଭଳି ସ୍ଥିତିରେ ସେହି ଲଖନପୁର ବ୍ଲକର ଅତାବିରା ପଞ୍ଚାୟତକୁ ଲାଗି ରହିଥିବା ଜମଗାଁରେ ପୂର୍ବରୁ ଏମଏସପି ଷ୍ଟିଲ୍ କାରଖାନା ପ୍ରତିଷ୍ଠା ହୋଇସାରିଛି। ହେଲେ ପୂର୍ବରୁ ବି ଓଡିଶାରେ ଏହାର ପରିବେଶ ପ୍ରଭାବ ସର୍ଭେ ହୋଇନଥିବା ବେଳେ ବର୍ତ୍ତମାନ ଏହି କାରଖାନା ତାର ସଂପ୍ରସାରଣ କାମ ଆରମ୍ଭ କରିଛି। ଆଉ ଏଥିପାଇଁ ଗତ ସପ୍ତାହରେ ତାର ଜନଶୁଣାଣି କରିଛି। ହେଲେ ସେଠାକୁ ଆପତ୍ତି ଅଭିଯୋଗ କରିବା ପାଇଁ ଓଡିଶାବାସୀଙ୍କୁ ଆଦୌ ସୁଯୋଗ ଦିଆଯାଇନାହିଁ। ଏପରିକି ଜନଶୁଣାଣିରେ ସବୁ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଆପତ୍ତି ରଖିବାର ସୁଯୋଗ ଦେବାର ନିୟମ ଥିଲେ ହେଁ ସେଠାକାର ପୁଲିସ ଓଡିଶା ଲୋକଙ୍କୁ ବାଧା ସୃଷ୍ଟି କରିଛି। ଖାଲି ସେତିକି ନୁହେଁ, ଓଡିଶା ସୀମା ଅତିକ୍ରମ କଲେ ଗିରଫ କରାଯିବ ବୋଲି ବି ଧମକ ଦେଇଛି। ଏହାକୁ ନେଇ ଲଖନପୁର ବ୍ଲକବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ତେବେ ଅତାବିରା ସରପଞ୍ଚ ସଞ୍ଜିତ ପଧାନଙ୍କ ନେତୃତ୍ବରେ ପ୍ରଭାବିତ ଅଞ୍ଚଳର ଲୋକେ ଛତିଶଗଡର ରାୟଗଡ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିବା ପରେ ଦାବି ଜଣାଇବାରେ ସକ୍ଷମ ହୋଇଛନ୍ତି। ହେଲେ ଛତିଶଗଡ ସରକାରଙ୍କ ମାନସିକତାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।
କୌଣସି ଶିଳ୍ପାନୁଷ୍ଠାନର 10 କିମି ପରିଧି ଅଞ୍ଚଳକୁ ବଫର ଜୋନ୍ କୁହାଯାଇଥାଏ। ଆଉ ଏହି ବଫର୍ ଜୋନକୁ ପ୍ରଭାବିତ ଅଞ୍ଚଳ ଭାବେ ଗ୍ରହଣ କରି ସଂପୃକ୍ତ ଏରିଆରେ ପରିବେଶ ପ୍ରଭାବ ଆକଳନ ସର୍ଭେ ବା ଇଆଇଏ ସର୍ଭେ କରିବା ବାଧ୍ୟତାମୂଳକ କରାଯାଇଛି। ହେଲେ ଓଡିଶାର ସୀମାକୁ ଲାଗି ଛତିଶଗଡ ସରକାର ଗୋଟିଏ ପରେ ଗୋଟିଏ ଶିଳ୍ପ ପ୍ରତିଷ୍ଠା କରି ଚାଲିଥିଲେ ହେଁ ଓଡିଶାକୁ ଅଣଦେଖା କରୁଛନ୍ତି। ଆଉ ଓଡିଶାର ଲୋକଙ୍କୁ ଉକ୍ତ କାରଖାନାର ପାରିପାର୍ଶ୍ବିକ ବିକାଶ ପାଣ୍ଠିରୁ ବାଦ୍ ରଖି କେବଳ ଧୂଳି ଧୁଆଁରେ ଅତିଷ୍ଠ କରିବାରେ ଲାଗିଛନ୍ତି। ଏହି ଏମ୍ଏସପି କାରଖାନା ସଂପ୍ରସାରଣ ଦ୍ବାରା ନିକଟସ୍ଥ ଓଡିଶାବାସୀ ସାଂଘାତିକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।