ଓଡ଼ିଶାର ପ୍ରସିଦ୍ଧ ଏକପାଦ ବିଶିଷ୍ଟ ସିଦ୍ଧ ଭୈରବୀ ପୀଠ | News Room Odisha

ଓଡ଼ିଶାର ପ୍ରସିଦ୍ଧ ଏକପାଦ ବିଶିଷ୍ଟ ସିଦ୍ଧ ଭୈରବୀ ପୀଠ

ଗଞ୍ଜାମ ଜିଲ୍ଲାର ମନ୍ତ୍ରିଡ଼ି ଗ୍ରାମରେ ରହିଛି ଦେବୀ ସିଦ୍ଧ ଭୈରବୀଙ୍କ ପୀଠ। ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ଦେବୀ ଭୂସଂଜାତା, ଏହିଠାରେ ଦେବୀଙ୍କର ଆବିର୍ଭାବ ହୋଇଥିଲା । ଜଣେ କୃଷକ ଚାଷ କରୁଥିବା ବେଳେ ଲଙ୍ଗଳ ମୁନ ରକ୍ତାକ୍ତ ହୋଇଯିବାର ଦେଖି ଭୟଭୀତ ହୋଇଯାଇଥିଲେ । ସେହି ରାତିରେ ଦୈବବାଣୀ ହେଲା ଉକ୍ତ ଜମିରେ ଦେବୀ ଭୈରବୀ ବାସ କରୁଛନ୍ତି ଏବଂ ସେଠାରେ ସବୁଦିନେ ପୂଜା ପାଇବେ । ପରଦିନ କୃଷକ ଜମିରୁ ମାଟି ଖୋଳି ଦେବୀଙ୍କୁ ବାହାର କଲେ ଏବଂ ସେଠାରେ ନିର୍ମାଣ ହେଲା ଦେବୀଙ୍କ ପୀଠ।ବର୍ତ୍ତମାନ ଭୈରବୀ ମୂର୍ତ୍ତିଙ୍କ ଡାହାଣପାଖରେ ଯେଉଁ ଖଣ୍ଡିତ ଅଂଶ ଦେଖାଯାଏ ତାହା ଲଙ୍ଗଳ ବାଜି ଆଘାତ ହୋଇଥିବା ବିଶ୍ୱାସ କରାଯାଏ ।ହିନ୍ଦୁ ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ଏହି ମନ୍ଦିର ନିର୍ମିତ ହୋଇଛି।

ମନ୍ଦିର ଭିତରେ ପ୍ରତିଷ୍ଠିତ ଦେବୀ ଭୈରବୀଙ୍କ ମୂର୍ତ୍ତିର ଏକ ବିଶେଷତ୍ୱ ରହିଛି । ସେ ବିଶେଷତ୍ୱ ହେଉଛି ଏହି ଦେବୀ ବିଗ୍ରହଟି ଚତୁର୍ଭୁଜା ଏବଂ ଏକପାଦ ବିଶିଷ୍ଟା । ମୂର୍ତ୍ତିର ବାମପାର୍ଶ୍ୱ ସ୍କନ୍ଧ ନିକଟରେ ଥିବା ଖାଲୁଆ ଅଂଶରୁ ସୁବାସିତ ଗଙ୍ଗାଜଳ ନିର୍ଝରିତ ହୁଏ । ମୂର୍ତ୍ତି ଈଶାନ୍ୟମୁଖା ହୋଇ ଅଧିଷ୍ଠିତା । ତାଙ୍କ ଦୃଷ୍ଟି ମନ୍ଦିରର ବେଢା ସଂଲଗ୍ନ ବ୍ରାହ୍ମଣମାନଙ୍କ ଶ୍ମଶାନ ମଧ୍ୟ ଦେଇ ପ୍ରାୟ ଏକ ମାଇଲ ଦୂର ପାଲୁରୁ ପାହାଡ ଯାଏ ଲମ୍ବିଛି । ଲୋକ ବିଶ୍ୱାସ ରହିଛି ଏହି ପାହାଡ଼ଟି ଦେବୀଙ୍କ ଲୀଳାପୀଠ । ମଧ୍ୟରାତ୍ରରେ ଅତି ଉଲ୍ଲାସ ଚିତ୍ତରେ ସେଠାରେ ବିହରଣ କରନ୍ତି ଭୈରବୀ । ପୁଣି ପାହାଡ଼ର ଉପର ଭାଗରେ ଥିବା ଜଳକୁଣ୍ଡ ଦେବୀଙ୍କର ବିଳାସ ତଡାଗ ଏବଂ ବର୍ଷସାରା ସେଠାରେ ସମ ପରିମାଣର ଜଳ ରହିଥାଏ । ଏଠାରେ ଦେବୀ ଶାକ୍ତ ପରମ୍ପରା ଅନୁସାରେ ପରମ ବୈଷ୍ଣବୀ ଭାବରେ ପୂଜା ପାଆନ୍ତି । ମୁଖ୍ୟତଃ ଗାୟତ୍ରୀ ମନ୍ତ୍ରରେ ଦେବୀଙ୍କୁ ପୂଜା କରାଯାଏ । ପ୍ରତି ମାସର ସଂକ୍ରାନ୍ତି ଦିନ ଦେବୀଙ୍କର ମାସିକ ପର୍ବ ଉତ୍ସବ ପାଳିତ ହୁଏ । ନିଃସନ୍ତାନମାନେ ବର୍ଷର ସବୁ ସଂକ୍ରାନ୍ତି ଦିନ ଉପବାସ ରହି ନିଷ୍ଠାପର ଭାବେ ଦେବୀଙ୍କ ସେବାପୂଜା କଲେ ସନ୍ତାନ ପ୍ରାପ୍ତି ହେବାର ବିଶ୍ୱାସ ରହିଛି ।

ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଦେବୀ ଭୈରବୀ ପୂଜା ପାଉଛନ୍ତି । ଆନନ୍ଦ ବଜାର ନିକଟରେ ବେଢା ପଟକୁ ମୁହଁ କରି ଏକପାଦ ବିଶିଷ୍ଟ ଦେବୀ ଭୈରବୀ ମୂର୍ତ୍ତି ବିରାଜମାନ । କିନ୍ତୁ ମନ୍ତ୍ରିଡ଼ି ଗ୍ରାମରେ ପୂଜା ପାଉଥିବା ଭୈରବୀ ହେଉଛନ୍ତି ଐଶାନ୍ୟ ମୁଖା ଯାହା ଭାରତ ବର୍ଷରେ ବିରଳ ବିଗ୍ରହ।