ବରଗଡ଼ ମାଟିରେ ଡ୍ରାଗନ ଫ୍ରୁଟ ଚାଷ | News Room Odisha

ବରଗଡ଼ ମାଟିରେ ଡ୍ରାଗନ ଫ୍ରୁଟ ଚାଷ

ବରଗଡ଼: ବରଗଡ଼ ମାଟିରେ ଫଳିଛି ବିଦେଶୀ ଫଳ ଡ୍ରାଗନଫ୍ରୁଟ । ଆଉ ଏହି ଡ୍ରାଗନ ଫ୍ରୁଟ ଚାଷ କରି ସଫଳ ହୋଇଛନ୍ତି ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ଯୁବଚାଷୀ ଜଟାଧାରୀ ପ୍ରଧାନ । ମାତ୍ର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଜଟାଧାରୀ ୟୁଟ୍ୟୁବ ଜରିଆରେ ଚାଷ କାର୍ଯ୍ୟର ପ୍ରଣାଳୀ ଦେଖି ଚାରା ମଗାଇବା ସହ ବରପାଲିର ବାରଙ୍ଗପାଲି ଠାରେ ୨୦ ଡେସିମିଲ ଜାଗାରେ ଚାଷ କରିଛନ୍ତି । ଜଟାଧାରୀ କୁମ୍ଭାରୀ ଗ୍ରାମରେ ନିଜ ଜମି ଏବଂ ଭାଗରେ ୧ ଏକର ଜମିରେ ଧାନ ଚାଷ କରି ପରିବାର ପୋଷଣ କରନ୍ତି । ହେଲେ ୟୁଟ୍ୟୁବ ମାଧ୍ୟମରେ ଦେଖି ଏବଂ କିଛି ନୂଆ କରିବାର ଆଶା ନେଇ ଜଟାଧାରୀ ଆରମ୍ଭ କଲେ ଡ୍ରାଗନ ଫ୍ରୁଟ ଚାଷ । ଅନଲାଇନ ମାଧ୍ୟମରେ ଚାରା ଆଣି ଚାଷ କରିଥିବାବେଳେ ୯ ମାସ ପରେ ଫୁଲ ସହ ରଙ୍ଗ ବେରଙ୍ଗର ଡ୍ରାଗନଫ୍ରୁଟ ଉତ୍ପାଦନ ହେଉଛି । ଧାନ ଚାଷର ବିକଳ୍ପ ଚାଷ ଭାବେ ଏହି ଡ୍ରାଗନଫ୍ରୁଟ ଉତ୍ପାଦନ କରିଛନ୍ତି ।

ବଜାରରେ ଏହାର ଭଲ ଚାହିଦା ରହିଥିବାରୁ ଆଗାମୀ ଦିନରେ ଆହୁରି ଚାଷ କରିବି ବୋଲି ଜଟାଧାରୀ ପ୍ରଧାନ କହିଛନ୍ତି । ଏହି ଫଳରେ ଔଷଧୀୟ ଗୁଣ ରହିଥିବା ବେଳେ ଏହାର ବଜାର ଦାମ କିଲୋ ପ୍ରତି ୨ ଶହ ଟଙ୍କା ରହିଛି । ଥରେ ଏହି ଚାଷ କଲେ ୨୫ ବର୍ଷ ପର୍ଯ୍ୟନ୍ତ ଫଳ ଉତ୍ପାଦନର କ୍ଷମତା ରହିଥାଏ । ଯାହା ଫଳରେ ଏହା ଏକ ଲାଭ ଓ ଦାୟକ ଫସଲ ଭାବେ ପରିଗଣିତ ହେବାରେ ଲାଗିଛି । ନୂତନ ପ୍ରକାରର ବିଦେଶୀ ଡ୍ରାଗନଫ୍ରୁଟ ବରପାଲିର ବାରଙ୍ଗପାଲି ଠାରେ ଥିବାରୁ ଏହି ଚାଷ ବଗିଚାକୁ ଦେଖିବା ପାଇଁ ପ୍ରତିଦିନ ଲୋକଙ୍କ ସୁଅ ଛୁଟୁଛି ।