ପାନୀୟ ଜଳ ପାଇଁ ଛଟପଟ ବୌଦ୍ଧବାସୀ | News Room Odisha

ପାନୀୟ ଜଳ ପାଇଁ ଛଟପଟ ବୌଦ୍ଧବାସୀ

ବୌଦ୍ଧ: ଜିଲ୍ଲାରେ ଗତ ସାତ ଦିନ ହେଲାଣି ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଗୋଟିଏ ପଟେ ଉତ୍ତାପ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟେ ମହାନଦୀରେ ଦେଖାଗଲାଣି ଉତ୍କଟ ଜଳସଙ୍କଟ । ଯାହାଫଳରେ ପାଣି ପାଇଁ ହାହାକାର ପରିସ୍ଥିତି ଉପୁଜିଛି ଜିଲ୍ଲାରେ । ଏଠିକାର ବାସିନ୍ଦା ପାଣି ଉପରେ ନିର୍ଭର କରୁଥିବା କୂଅ, ନଦୀ, ପାେଖରୀ ପ୍ରଚଣ୍ଡ ଖରାରେ ଶୁଖିଗଲାଣି । ଗ୍ରୀଷ୍ମ ପ୍ରବାହର ଲହରରେ ଏସବୁ ପୁଷ୍କରଣୀ ଶୁଖି ଏକ ପ୍ରକାର ମରୁଭୂମି ପାଲଟି ଯାଇଛି ।
ଅନ୍ୟପକ୍ଷରେ ଭିନ୍ନ ଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ ଉତ୍ତାପ ଆହୁରି ବୃଦ୍ଧି ପାଉଛି । ବୌଦ୍ଧ ଜିଲ୍ଲାର ଲାଇଫଲାଇନ କୁହାଯାଉଥିବା ମହାନଦୀ ବି ବର୍ତ୍ତମାନ ଶୁଖିଯିବାକୁ ବସିଲାଣି । କେବଳ ଅଳ୍ପ ଧାରରେ ମହାନଦୀର ଜଳପ୍ରବାହ ହେଉଛି । ଫଳରେ ସାଧାରଣ ଲୋକ ଗାଧେଇବା ପାଇଁ ପ୍ରଚଣ୍ଡ ଖରାର ବାଲିରେ ଦୀର୍ଘ ବାଟ ଚାଲି ଚାଲି ଯାଉଛନ୍ତି ।

ଗ୍ରୀଷ୍ମପ୍ରବାହ ଯୋଗୁଁ ମଣିଷ ସହିତ ବନ୍ୟଜନ୍ତୁ ମାନେ ମଧ୍ୟ ଗଭୀର ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ଜିଲ୍ଲାରେ ମହାନଦୀ ଭଳି ଅନେକ ନଦୀନାଳ ଶୁଖିଯିବାକୁ ବସିଥିବା ବେଳେ ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ଯୋଗାଣ ପାଇଁ ନିର୍ମାଣ ହୋଇଥିବା ଓଭରହେଡ ଟାଙ୍କି ଗୁଡ଼ିକ ଅଚଳ ହୋଇପଡିଛି । ତେଣୁ ଉପାନ୍ତ ଅଞ୍ଚଳର ଲୋକେ ବାଧ୍ୟ ହୋଇ ପାହାଡ଼ି ଝରଣାର ଶୁଷ୍କ ଶଯ୍ୟାରୁ ଚୂଆ ଖୋଳି ପାଣି ସଂଗ୍ରହ କରିବାକୁ ପଡୁଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି।