ବିଜେଡିର ଦାବିକୁ ତେଲେଙ୍ଗାନାର ସମର୍ଥନ ପରେ ଧାନର ଏମ୍ଏସପି ବୃଦ୍ଧିକୁ ନେଇ ଅଡୁଆରେ କେନ୍ଦ୍ର | News Room Odisha

ବିଜେଡିର ଦାବିକୁ ତେଲେଙ୍ଗାନାର ସମର୍ଥନ ପରେ ଧାନର ଏମ୍ଏସପି ବୃଦ୍ଧିକୁ ନେଇ ଅଡୁଆରେ କେନ୍ଦ୍ର

ଭୁବନେଶ୍ବର: ଧାନର ସହାୟକ ମୂଲ୍ୟ ବୃଦ୍ଧିକୁ ନେଇ ପୁଣି ବିଜେଡି ତାର ସ୍ବରକୁ ଶାଣିତ କରିଛି। ଦୀର୍ଘ ବର୍ଷ ହେଲା ଧାନର ସହାୟକ ମୂଲ୍ୟକୁ ୨୯୫୦ ଟଙ୍କା ବୃଦ୍ଧି କରିବାକୁ ରାଜ୍ୟ ଦାବି କରି ଆସୁଥିଲେ ହେଁ ଏ ଦିଗରେ କେନ୍ଦ୍ର କର୍ଣପାତ କରୁନାହିଁ। କେବଳ ଗତବର୍ଷ ମାତ୍ର ୭୨ ଟଙ୍କା ବୃଦ୍ଧି କରି ସ୍ବାମୀନାଥନ କମିଶନଙ୍କ ସୁପାରିଶ ଲାଗୁ କରାଯାଇଛି ବୋଲି ବିଜେପି ଭୁଆଁ ବୁଲାଇ ଆସିଛି। ହେଲେ ବାସ୍ତବରେ କମିଶନଙ୍କ ରିପୋର୍ଟ ଆଧାରରେ ୫ ବର୍ଷ ତଳୁ ଧାନର କ୍ବିଣ୍ଟାଲ ପିଛା ସହାୟକ ମୂଲ୍ୟ ୨୯୫୦ ଟଙ୍କା କରିବାକୁ ରାଜ୍ୟ ସରକାର ଦାବି କରି ଆସୁଛନ୍ତି। ଏପରିକି ଏନେଇ ପୂର୍ବରୁ ସର୍ବଦଳୀୟ କମିଟି ବି ଦାବି କରି ଆସିଛି। ତଥାପି କେନ୍ଦ୍ର ସରକାର ଏ ଦିଗରେ ଅସମ୍ଭବ ନିରବତା ଅବଲମ୍ବନ କରିଆସୁଛନ୍ତି। ହେଲେ ବର୍ତ୍ତମାନ ଆଗାମୀ ରବି ଋତୁ ପୂର୍ବରୁ ପୁଣି ଏହି ଦାବିକୁ ଶାଣିତ କରିଥିବା ବେଳେ ତେଲେଙ୍ଗାନା ସରକାର ଏଥିରେ ସମର୍ଥନ ଦେବା କେନ୍ଦ୍ର ସରକାର ପାଇଁ ମୁଣ୍ଡବ୍ୟଥାର କାରଣ ହେଲାଣି। ସେପଟେ, ପଶ୍ଚିମ ଓଡିଶାରେ ଏମ୍ଏସପି ବୃଦ୍ଧି ପାଇଁ ପୁଣି କୃଷକ ସଂଗଠନ ରଣହୁଙ୍କାର ଦେଲାଣି।

ସ୍ବାମୀନାଥନ କମିଶନଙ୍କ ରିପୋର୍ଟ ଆଧାରରେ ଧାନ ଏବଂ ଅନ୍ୟ ଶସ୍ୟ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ସମଗ୍ର ଦେଶର ଚାଷୀ ଦାବି କରି ଆସୁଛନ୍ତି। ହେଲେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଏହାକୁ ଅଣଦେଖା କରି ଆସୁଛି। ବର୍ତ୍ତମାନ ବଜାର ଦରରେ ଜଳସେଚିତ ଅଞ୍ଚଳରେ ଧାନର ଉତ୍ପାଦନ ଖର୍ଚ୍ଚ କ୍ବିଣ୍ଟାଲ ପିଛା ୧୫ ଶହ ଟଙ୍କା ଟପିଯାଇଥିବା ବେଳେ ସରକାର ୨ ହଜାର ଟଙ୍କା ଯାଏ ପ୍ରଦାନ କରି ପାରିନାହାନ୍ତି। ଏନେଇ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇ ସାରିଛି। ସେପଟେ ବିଜେଡି ସାଂସଦ ପ୍ରତିବର୍ଷ ଏହାକୁ ନେଇ ଦିଲ୍ଲୀରେ ସଂସଦ ଭିତରେ ଏବଂ ବାହାରେ ଆନ୍ଦୋଳନ କରି ଆସୁଛନ୍ତି। ତଥାପି ମୋଦି ସରକାର ସ୍ବାମୀନାଥନ କମିଶନଙ୍କ ସୁପାରିଶ ଲାଗୁ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଗତ ୨୦୧୪ରେ ପ୍ରଥମ କରି ମୋଦି ସରକାର କ୍ଷମତାକୁ ଆସିବା ବେଳେ ନିର୍ବାଚନୀ ଇସ୍ତାହାରରେ ଏହାକୁ ସ୍ଥାନୀତ କରିଥିଲେ। ହେଲେ କ୍ଷମତାକୁ ଆସିବା ପରେ କୃଷକ ବିରୋଧୀ ଆଭିମୁଖ୍ୟ ପୋଷଣ କରିବା ଦ୍ବାରା ସମଗ୍ର ଦେଶରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି।

ଏଭଳି ସ୍ଥିତିରେ ଧାନର ଉତ୍ପାଦନ ମୂଲ୍ୟ (ସି-୨)ର ଦୁଇଗୁଣା ଆଧାରରେ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ପରିବର୍ତ୍ତେ ବର୍ଷକ ତଳେ ମାତ୍ର ୭୨ ଟଙ୍କା ବୃଦ୍ଧି କରି କଟା ଘାରେ ଚୂନ ଲଗାଇଛନ୍ତି ବୋଲି ବିଜେଡି ଅଭିଯୋଗ କରି ଆସିଛି। ସେପଟେ, ପଶ୍ଚିମ ଓଡିଶା କୃଷକ ସଂଗଠନ ପୁଣି ଏହି ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଜୋରଦାର କରିବାକୁ ଅଣ୍ଟା ଭିଡିଲାଣି। ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ଖରିଫରେ ୫୭ ଲକ୍ଷ ୨୨ ହଜାର ୩୦୪ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ଆଗାମୀ ରବିକୁ ମିଶାଇଲେ ଏହା ୭୦ ଲକ୍ଷ ମେଟ୍ରିକ୍ ଟନ୍ ଟପିବ। ହେଲେ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନଥିବାରୁ ପ୍ରଚୂର ଉତ୍ପାଦନ ସତ୍ତ୍ବେ ଓଡିଶାର ଚାଷୀ କ୍ଷତିର ସମ୍ମୁଖୀନ ହେଉଛନ୍ତି।

ଏହାକୁ ନେଇ ବିଜେଡି ପୁଣି କେନ୍ଦ୍ରକୁ ଘେରିବା ଆରମ୍ଭ କଲାଣି। ପୁଣି କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କ ନିକଟରେ ଦଳ ଧାନର କ୍ବିଣ୍ଟାଲ ପିଛା ସହାୟକ ମୂଲ୍ୟ ୨୯୫୯୦ ଟଙ୍କା କରିବାକୁ ଦାବି କଲାଣି। ଏଭଳି ସ୍ଥିତିରେ ତେଲେଙ୍ଗାନାର ଟିଆରଏସ୍ ସରକାର ବିଜେଡିର ଏହି ଦାବି ସହିତ ସ୍ବର ମିଳାଇବା ପରେ କେନ୍ଦ୍ର ସରକାର ସାଂଘାତିକ ଅଡୁଆରେ ପଡିଯାଇଛି। ଅପରପକ୍ଷେ, କେନ୍ଦ୍ର ସରକାର ଉଷୁନା ଚାଉଳ ଉଠାଇବାକୁ ମନା କରୁଥିବାରୁ ଓଡିଶା ଗୁରୁତର ଭାବେ ପ୍ରଭାବିତ ହେଉଛି। ଆଉ ଉଷୁନା ଚାଉଳ ଉଠାଇବାକୁ ଓଡିଶା ପରେ ତେଲେଙ୍ଗାନା ବି ଦାବି କରି ଆସୁଛି। ଚଳିତ ରବି ଋତୁରେ ତେଲେଙ୍ଗାନାରୁ କେବଳ ଅରୁଆ ଚାଉଳ ହିଁ ଉଠାଇବାକୁ କେନ୍ଦ୍ର ସ୍ଥିର କରିଥିବାରୁ ଏହାକୁ ନେଇ ଟିଆରଏସ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହାଦ୍ବାରା ତେଲେଙ୍ଗାନାର ୬୧ ଲକ୍ଷ କୃଷକ ସିଧାଳଖ ପ୍ରଭାବିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆଉ ଏହାକୁ ଦୃଷ୍ଟିରେ ରଖି ପ୍ରତିବାଦ ସ୍ବରୂପ ରବିରେ ଧାନ ଚାଷ ନ କରିବାକୁ ବି ଆନୁଷ୍ଠାନିକ ଭାବେ ତେଲେଙ୍ଗାନା ସରକାର ନିଜର ଚାଷୀଙ୍କୁ ଆହ୍ବାନ ଦେଇଥିବା ଜଣାପଡିଛି। ଫଳରେ ଓଡିଶା ଦାବି ସହିତ ଲେଲେଙ୍ଗାନା ସରକାର ସ୍ବର ମିଳାଇବା ପରେ କେନ୍ଦ୍ର ସରକାର ହରଡଘଣାରେ ପଡିବାର ଆଶଙ୍କା ସୃଷ୍ଟି ହେଲାଣି। ସେହିପରି ଏହି ପ୍ରସଙ୍ଗରେ ଆଗାମୀ ଦିନରେ ପୁଣି କେନ୍ଦ୍ର ସରକାର ଚାଷୀଙ୍କ ଆକ୍ରୋଶର ଶିକାର ହେବା ଏକପ୍ରକାର ଥୟ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।