ମେ ୬ରୁ ରବି ଧାନ ସଂଗ୍ରହ ଆରମ୍ଭ: ଜିଲ୍ଲାପାଳ | News Room Odisha

ମେ ୬ରୁ ରବି ଧାନ ସଂଗ୍ରହ ଆରମ୍ଭ: ଜିଲ୍ଲାପାଳ

ରବି ଫସଲର ଧାନ କ୍ରୟ ପାଇଁ ପୂର୍ବ ପ୍ରସ୍ତୁତି

ବରଗଡ଼: ଜିଲ୍ଲାରେ ଆସନ୍ତା ମେ ୬ରୁ ରବିଧାନ ସଂଗ୍ରହ ଆରମ୍ଭ ହେବ । ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ଅଧୀନ ମଣ୍ଡି ଗୁଡ଼ିକରୁ ଏହା ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଧାନ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେହିପରି ବରଗଡ଼ ଆରଏମସି ଅଧୀନ ମଣ୍ଡି ଗୁଡ଼ିକରୁ ମେ ୧୨ ଏବଂ ପଦ୍ମପୁର ଆରଏମସି ଅଧିନ ମଣ୍ଡି ଗୁଡ଼ିକରୁ ମେ ୧୫ତାରିଖରୁ ଧାନ କିଣାବିକା ଚାଲିବ । ଏକର ପ୍ରତି ପ୍ରତି କେତେ ପରିମାଣ ଧାନ କିଣାଯିବ ଏବଂ ଟୋକନ ଅବଧି କେତେଦିନ ରହିବ, ତାହା ସ୍ପଷ୍ଟ କରାଯାଇନାହିଁ । ଜିଲ୍ଲା ପ୍ରଶାସନ ହାତରେ ସେହି କ୍ଷମତା ନାହିଁ ଏବଂ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଜିଲ୍ଲାପାଳ ମୋନିଷା ବାନାର୍ଜୀ ସୂଚନା ଦେଇଛନ୍ତି । ଜିଲ୍ଲାରେ ଏଥର ୧୫୬ ମଣ୍ଡି ଖୋଲିବ। ସେଥିମଧ୍ୟରେ ବରଗଡ଼ ଆରଏମ୍‌ସି ଅଧୀନରେ ସର୍ବାଧିକ ୬୦ ମଣ୍ଡି ରହିଥିବା ବେଳେ ଅତାବିରା ଆରଏମ୍‌ସି ଅଧୀନରେ ୫୪ ଏବଂ ପଦ୍ମପୁର ଆରଏମ୍‌ସି ଅଧୀନରେ ୪୨ମଣ୍ଡି ରହିଛି।
ଯେଉଁ ମଣ୍ଡିଗୁଡ଼ିକରେ ସାପ୍ତାହିକ ବଜାର ବସୁଛି, ସେଠାରେ ବଜାର ଦିନ ବ୍ୟତୀତ ସପ୍ତାହକୁ ୬ ଦିନ ଏବଂ ଯେଉଁଠି ସାପ୍ତାହିକ ବଜାର ବସୁନାହିଁ, ସେଠାରେ ସପ୍ତାହର ସବୁଦିନ ମଣ୍ଡି ଖୋଲାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ମଣ୍ଡିଗୁଡ଼ିକରେ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଧାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ଧାନ ସଂଗ୍ରହ ପ୍ରକ୍ରିୟାରେ ଏଥର ୧୧୨ ମିଲର୍ସଙ୍କୁ ସାମିଲ କରାଯିବ। ଜିଲ୍ଲାର ୫୩ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ୨୫ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଯୋଗାଣ ନିଗମ ଧାନ କିଣିବ।