୨୪ ଶିଶୁ ହୃଦ୍‌ରୋଗୀ ପାଇବେ ନୂଆ ଜୀବନ | News Room Odisha

୨୪ ଶିଶୁ ହୃଦ୍‌ରୋଗୀ ପାଇବେ ନୂଆ ଜୀବନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୨୪ ଜଣ ଶିଶୁ ଯେଉଁମାନେ ବିଭିନ୍ନ ହୃଦ୍‌ରୋଗରେ ପୀଡ଼ିତ ସେମାନଙ୍କ ପାଇଁ ଚିକିତ୍ସା ଜରିଆରେ ଆରୋଗ୍ୟ ହୋଇ ନୂଆ ଜୀବନ ଲାଭ କରିବାର ଆଶା ସୃଷ୍ଟି ହୋଇଛି। ସେମାନଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହଯୋଗରେ ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍‌ବିଏସ୍‌କେ) ଅନ୍ତର୍ଗତ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯିବ। ସେମାନଙ୍କୁ ସର୍ଜରୀ କିମ୍ବା ଡିଭାଇସ୍ ଦ୍ୱାରା ଉତ୍ତମ ରୂପେ ଚିକିତ୍ସିତ କରି ସୁସ୍ଥ କରାଯିବ। ସେଥିପାଇଁ ଏହି ୨୪ ଶିଶୁଙ୍କୁ ସେମାନଙ୍କ ପିତା କିମ୍ବା ମାତାଙ୍କ ସହ ଗୁଜରାଟ ରାଜ୍ୟର ଅହମ୍ମଦାବାଦସ୍ଥିତ ଶ୍ରୀସତ୍ୟସାଇ ହୃଦ୍‌ରୋଗ ଚିକିତ୍ସାଳୟକୁ ପଠାଯାଇଛି। ସେମାନଙ୍କୁ ଚିକିତ୍ସା ବେଳେ ସହାୟତା ତଥା ଆବଶ୍ୟକ ଦିଗ୍‌ଦର୍ଶନ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୫ ଜଣିଆ ଏସ୍କର୍ଟ ଷ୍ଟାଫ୍ ମଧ୍ୟ ଟ୍ରେନ୍ ଯୋଗେ ବ୍ରହ୍ମପୁର ଷ୍ଟେସନ୍‌ରୁ ଯାତ୍ରା କରିଛନ୍ତି।

ଗଞ୍ଜାମ ଜିଲ୍ଲାର ଏହି ଶିଶୁମାନଙ୍କ ମଧ୍ୟରେ ରହିଛନ୍ତି ୧୨ ଜଣ ନାବାଳକ ଓ ୧୨ ଜଣ ନାବାଳିକା। ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ସମେତ ଚିକିତ୍ସା ଅବଧିରେ ଶିଶୁ ଓ ଜଣେ ଅଭିଭାବକଙ୍କ ରହଣୀ ଓ ଖାଦ୍ୟ ବାବଦ ସମସ୍ତ ବ୍ୟବସ୍ଥା କରିବା ସହ ଉକ୍ତ ଖର୍ଚ୍ଚ ବହନ କରିବେ ସରକାର। ଏହି ଶିଶୁମାନଙ୍କ ମଧ୍ୟରୁ ସର୍ବକନିଷ୍ଠ ରୋଗୀର ବୟସ ୨ ବର୍ଷ ୬ ମାସ ଥିବା ବେଳେ ସବୁଠାରୁ ଅଧିକ ବୟସ୍କ ରୋଗୀର ବୟସ ହେଉଛି ୧୫ ବର୍ଷ। ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କ ସର୍ଜରୀ ଓ ୧୩ ଜଣଙ୍କ ଡିଭାଇସ୍ ଦ୍ଵାରା ଚିକିତ୍ସା କରାଯିବ। ଯାତ୍ରା ପୂର୍ବରୁ ସେମାନଙ୍କୁ ସିଡିଏମ୍ଓ ଅଫିସ୍‌ରେ ଶୁଭେଚ୍ଛା ଜ୍ଞାପନ କରି ସେମାନଙ୍କ ସୁସ୍ଥ ହୋଇ ଘରକୁ ଫେରିବା କାମନା କରିଛନ୍ତି ସ୍ବାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀଗଣ।

ଏହି ଶିଶୁମାନଙ୍କ ପରିବାରବର୍ଗ ପ୍ରାୟତଃ ଆର୍ଥିକ ଦୁର୍ବଳ ଶ୍ରେଣୀର କିମ୍ବା ମଧ୍ୟବିତ୍ ବର୍ଗର ଅଟନ୍ତି ଯେଉଁମାନଙ୍କ ପାଇଁ ହୃଦ୍‌ରୋଗର ବ୍ୟୟବହୁଳ ଚିକିତ୍ସା ଅତ୍ୟନ୍ତ କାଠିକର। ଅନେକ ପିତାମାତା ନିଜର ଶିଶୁର ଭବିଷ୍ୟତ ନେଇ ଅତ୍ୟନ୍ତ ଆଶଙ୍କାରେ ରହିଥିଲେ। ଏହି ସମୟରେ ସେମାନଙ୍କ ପାଇଁ ଆଶାର ଆଲୋକ ସାଜିଥିଲା ଆର୍‌ବିଏସ୍‌କେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନେଟଓ୍ବର୍କ ଏମାନଙ୍କ ପିତାମାତାଙ୍କୁ ଆଶ୍ୱସ୍ତ କରିଥିଲା। ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ୨ଟି ଲେଖାଏଁ ଆର୍‌ବିଏସକେ ଟିମ୍ ଅଛନ୍ତି ଯେଉଁମାନେ ପ୍ରତିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜରିଆରେ ଏଭଳି ଶିଶୁ ରୋଗୀଙ୍କୁ ଚିହ୍ନଟ କରିଥାନ୍ତି। ପ୍ରତି ଆର୍‌ବିଏସକେ ଟିମ୍‌ରେ ଜଣେ ଲେଖାଏଁ ପୁରୁଷ ଓ ମହିଳା ଆୟୁଷ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଜଣେ ଏଏନ୍ଏମ୍ ଥାଆନ୍ତି। ଏମାନେ ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ ବୁଲିବା ସହ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କ ପାଇଁ ଆବଶ୍ୟକ ଚିକିତ୍ସା ପଦ୍ଧତି ସ୍ଥିର କରିଥାନ୍ତି।

ଯେଉଁମାନଙ୍କୁ ଅଧିକ ଚିକିତ୍ସା ଆବଶ୍ୟକ ସେମାନଙ୍କୁ ରାଜ୍ୟ ଓ ରାଜ୍ୟ ବାହାରର ଅତ୍ୟାଧୁନିକ ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା କରାଯାଇ ଥାଏ। ଶିଶୁମାନଙ୍କର ୩୮ ପ୍ରକାର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରିଥାଏ ଆର୍‌ବିଏସକେ ଟିମ୍। ଗଞ୍ଜାମ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ବେଳେ ଏଯାବତ୍ ସହସ୍ରାଧିକ ଶିଶୁଙ୍କ ହୃଦ୍‌ରୋଗ, ପାଦ ବଙ୍କା, ଗ୍ରହଣ ଖଣ୍ଡିଆ ଆଦି ଅନେକ ଜନ୍ମଗତ ତ୍ରୁଟିର ସଫଳ ଚିକିତ୍ସା ଓ ଅସ୍ତ୍ରୋପଚାର ସମ୍ପୂର୍ଣ ମାଗଣାରେ କରାଯାଇ ପାରିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଜରିଆରେ ଏଭଳି ଅନେକ ଶିଶୁ ଆରୋଗ୍ୟ ଲାଭ କରି ନୂଆ ଜୀବନ ଜୀଇଁବାକୁ ଓ ନିଜ ଶୈଶବକୁ ମନଭରି ଉପଭୋଗ କରିବାକୁ ସମର୍ଥ ହୋଇପାରିଛନ୍ତି।