ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି 'ସାହିଯାତ' | News Room Odisha

ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ‘ସାହିଯାତ’

ପରମ୍ପରା ଅନୁସାରେ ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ‘ସାହିଯାତ’।

ଶତାବ୍ଦୀ ଶତାବ୍ଦୀ ଧରି ନିରବଚ୍ଛିନ୍ନ ଭାବରେ ଚାଲିଥିବା ଏହି ଯାତ ,ପୁରୀର ଗର୍ବ ଓ ଗୌରବର ବିଷୟ।

ଐତିହାସିକ ମାନଙ୍କ ମତରେ ଚଉଦଶହ ଶତାବ୍ଦୀ ରୁ ଏହି ପରମ୍ପରା ଚାଲିଆସିଛି। ବ୍ୟାପକତା ଦୃଷ୍ଟିରୁ ଦେଖିଲେ ସମଗ୍ର ପୁରୀ ସହର ସେତେବେଳେ ସାତସାହି ରେ ବିଭକ୍ତ ଥିଲା।ଏହି ସାତ ସାହିର ଜନସାଧାରଣ ଏଥିରେ ଭାଗ ନେଇଥାନ୍ତି । ଯେତେବେଳେ ଓଡ଼ିଶାର ମୁକ୍ତାକାଶ ରଙ୍ଗମଞ୍ଚ କଥା ଉଠିଲେ ସର୍ବପ୍ରଥମେ ଆମ ପୁରୀର ସାହି ଯାତ ହେଉଛି ସର୍ବ ପୁରାତନ ଓ ବ୍ୟାପକ ରଙ୍ଗମଞ୍ଚ କହିଲେ କିଛି ଅତ୍ୟୁକ୍ତି ହେବନାହିଁ।

ସାହିଯାତ ଶ୍ରୀରାମ ନବମୀ ଠାରୁ ଶ୍ରୀରାମ ଙ୍କ ବିଭିନ୍ନ ଲୀଳାକୁ ନେଇ ପ୍ରସ୍ତୁତ ହୋଇଥାଏ। ବିଭିନ୍ନ ପ୍ରକାରର ମେଢ ନୃତ୍ୟ ଓ ନାଗାନୃତ୍ୟ ସହିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ବିଭିନ୍ନ ଲୀଳାକୁ ନିଷ୍ଠାର ସହିତ ପ୍ରଦର୍ଶନ କରାଯାଇଥାଏ। ଏହି ସମସ୍ତ ଲୀଳା ଶ୍ରୀମନ୍ଦିର ସହିତ ଓତଃପ୍ରୋତ ଭାବରେ ଜଡିତ। ସାହିଯାତ ଶ୍ରୀରାମଲୀଳାକୁ ନେଇ ହେଉଥିଲେ ମଧ୍ୟ ଏଥିରେ ରାବଣ ଚରିତ୍ର ହେଉଛି ମୁଖ୍ୟନାୟକ। ସାହିଯାତ ରେ କେବଳ ଅଭିନୟ କୁ ଗୁରୁତ୍ବ ଦିଆଯାଇନାହିଁ ,ଏଥିରେ କଠୋର ଅଧ୍ୟବସାୟ, ଶକ୍ତି, ତପସ୍ୟା ଓ ସମରକଳାର ପ୍ରଦର୍ଶନକୁ ସର୍ବାଗ୍ରେ ସ୍ଥାନିତ କରାଯାଇଥାଏ।

ଏହି ଗଣ ଉତ୍ସବରେ ସାହି ସାହି ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ବାଦୀସାହି ର ପରିକଳ୍ପନା ହୋଇଥିଲା ଓ ଏବେ ବି ବାଦୀ ସାହି କୁ ଯାଇ ସେଠାରେ ନିଜ ସାହିର ପରାକ୍ରମ ପ୍ରଦର୍ଶନ କରାଯାଇଥାଏ।

ପରମ୍ପରା ଅନୁସାରେ ସର୍ଵ ପ୍ରଥମେ କାଳିକାଦେବୀ ସାହି ତରଫରୁ ରାମ, ଲକ୍ଷ୍ମଣ,ଭରତ, ଶତ୍ରୁଘ୍ନ,ଦଶରଥ ଓ ବିଶ୍ଵାମିତ୍ର ଆଦି ଚରିତ୍ର ବାହାରିଥିଲେ। ସାଙ୍ଗରେ ନାଗା,ମେଢ, ବନାଟି ଖେଳ ମଧ୍ୟ ପ୍ରଦର୍ଶିତ ହୋଇଥିଲା। କାଳୀକାଦେବୀ ସାହିର ଗୋଟିଏ ମେଳ , ଯାହା ଗଣ୍ଡମାଳ ଯାଗା ତରଫରୁ ବାହାରିଥିଲା।

ମୁଖ୍ୟ ଚରିତ୍ର ମାନେ ନିଜସାହି ରୁ ବାହାରି ପ୍ରଥମେ ଶ୍ରୀରାମ ଲୀଳା କ୍ରମରେ ଶ୍ରୀମନ୍ଦିରରୁ ଚରୁ ଗ୍ରହଣ କରିଥିଲେ। ତତ୍ପରେ ଶ୍ରୀନଅର ଯାଇଥଲେ। ଆଜିର ନୀତି ସମ୍ପନ୍ନ କରି ସାରି ଏହି ଯାତ୍ରା ନିଜ ସାହି ପରିକ୍ରମା କରିବା ସହ ନିଜ ସାହିର ନିଶାଣ ଧରି ବାଦୀସାହି ମାଟିମଣ୍ଡପ ସାହିକୁ ଯାଇ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଉକ୍ତ ସାହିରେ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।