ନିର୍ବାଚିତ ପ୍ରତିନିଧିଙ୍କ ଶାସନରେ ବ୍ରହ୍ମପୁର: ପୁଣି ଆରମ୍ଭ ହେଲା ବିକାଶର ଧାରା | News Room Odisha

ନିର୍ବାଚିତ ପ୍ରତିନିଧିଙ୍କ ଶାସନରେ ବ୍ରହ୍ମପୁର: ପୁଣି ଆରମ୍ଭ ହେଲା ବିକାଶର ଧାରା

ବ୍ରହ୍ମପୁର: ଦୀର୍ଘ ସମୟ ପରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ରେ ପୁଣି ଆରମ୍ଭ ହୋଇଛି ଜନସାଧାରଣଙ୍କ ଦ୍ଵାରା ନିର୍ବାଚିତ ଲୋକପ୍ରତିନିଧିଙ୍କ ଶାସନ। ଏଥିସହ ବିକାଶର ଧାରା ପୁଣି ଥରେ ସ୍ୱଚ୍ଛଳ ଭାବେ ପ୍ରବାହ କରିବା ଆରମ୍ଭ ହୋଇଛି। ଗୋଟିଏ ଦିନରେ ଏକାଧିକ ନିଆରା ପ୍ରକଳ୍ପ ଉଦ୍‌ଘାଟନ ତଥା ଲୋକାର୍ପଣ କରାଯାଇଛି। ସଫେଇ ଉପକରଣରୁ ଆରମ୍ଭ କରି ପାଟ ବୁଣାକାରଙ୍କ ତାଲିମ ଭବନ ଓ ମିଶନ୍ ଶକ୍ତି ଡାଏରୀ ଷ୍ଟଲ୍‌ ନିର୍ବାଚିତ ଜନପ୍ରତିନିଧି ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ଉଦ୍‌ଘାଟିତ ତଥା ଲୋକାର୍ପିତ ହୋଇଛି। ଏଥସହ ବ୍ରହ୍ମପୁର ବିଧାୟକଙ୍କ ହାତ ପାଣ୍ଠିରୁ ୩୮ ଲକ୍ଷ ଟଙ୍କା ବ୍ୟୟରେ ଅଣାଯାଇଥିବା ଅତ୍ୟାଧୁନିକ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ମଧ୍ୟ ଜନତାଙ୍କ ସେବାରେ ଲୋକାର୍ପିତ କରାଯାଇଛି।

ବିଏମ୍‌ସିକୁ ଆସିଛି ୧ କୋଟି ୯୪ ଲକ୍ଷ ୧୫ ହଜାର ଟଙ୍କାର ସଫେଇ ମେସିନ୍। ମହାନଗର ବାସିନ୍ଦାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ୭ଟି ସାନିଟାରି ମେସିନ୍ ଉଦ୍‌ଘାଟନ କରାଯାଇଛି। ଏଥିରେ ରହିଛି ଡ୍ରେନ୍‌ରୁ ମଇଳା ଉଠାଇବା ୩ଟି ମେସିନ୍, ୨ଟି ୱାଟର ପ୍ରେସର ୱାସିଂ ମେସିନ୍, ଗୋଟିଏ ସେପ୍ଟିକ୍ ଟ୍ୟାଙ୍କ୍‌ ସଫେଇ ମେସିନ୍, ଡ୍ରେନ୍ ବା ସେପ୍‌ଟିକ୍ ଟ୍ୟାଙ୍କ୍‌ରେ ପଡ଼ିଥିବା ଓଜନିଆ ଜିନିଷକୁ ଉଠାଇବା ପାଇଁ ଗୋଟିଏ ଗ୍ରାବିଂ ମେସିନ୍। ସେହିପରି ୫ଟି ମଶାଧୁଆଁ ପୋର୍ଟବଲ୍ ମେସିନ୍ ମଧ୍ୟ କାର୍ଯ୍ୟରେ ନିୟୋଜିତ କରିଛି ବିଏମ୍‌ସି ପ୍ରଶାସନ। ପୂର୍ବରୁ ବିଏମ୍‌ସି ନିକଟକୁ ବ୍ୟାଟେରୀଚାଳିତ ୪ଟି ଗାଡ଼ି, ଆବର୍ଜନା ଉଠାଇବା ପାଇଁ ଭ୍ୟାକ୍ୟୁମ୍ ମେସିନ୍ ଆସି ସାରିଥିଲା। ଫଳରେ ସହରର ପରିମଳ ରକ୍ଷା ତଥା ସ୍ଵଚ୍ଛତା ଓ ସଫେଇ ଦୃଷ୍ଟିରୁ ରେଶମ ସହର ଆଉ ଏକ ସଫଳତା ହାସଲ କରିଛି। ସଫେଇ କର୍ମଚାରୀଙ୍କ ନିରାପତ୍ତା, ସମ୍ମାନ ରକ୍ଷା ସହ ନାରୀ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ଦୃଷ୍ଟିରୁ ସଫେଇ ମେସିନ୍ କିଣିବା ପାଇଁ ୧୬ ଜଣ ମହିଳା ସଫେଇ କର୍ମଚାରୀଙ୍କୁ ନେଇ ଗଠିତ ବ୍ରହ୍ମପୁର ସ୍ୱଚ୍ଛତା ବାହିନୀକୁ ରିହାତିଯୁକ୍ତ ଋଣ ପ୍ରଦାନ କରାଯାଇଛି। ୨୫.୪.୨୦୨୦ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରାୟ ୫ଟି ପର୍ଯ୍ୟାୟରେ ୧୬ ଜଣ ମହିଳା କର୍ମଚାରୀଙ୍କୁ ବିଏମ୍‌ସି ସହାୟତାରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଜଗବନ୍ଧୁ ସାହି ଠାରେ ଉଦ୍‌ଘାଟିତ ହୋଇଛି ପାଟ ବୁଣାକାରଙ୍କ ତାଲିମ ଭବନ। କେନ୍ଦ୍ର ସରକାରଙ୍କ ସହଯୋଗରେ ମାଇକ୍ରୋ – ସ୍ମଲ- ମିଡିୟମ୍ ଏଣ୍ଟରପ୍ରାଇଜେସ୍ ପକ୍ଷରୁ ୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟ ବ୍ୟୟରେ ୧୫ଟି ବୁଣାକାର ୟୁନିଟ୍ କରାଯାଇଛି ଯାହାର ଦାୟିତ୍ବରେ ରହିଛନ୍ତି ୨୦ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ। ପ୍ରଥମ ପର୍ଯ୍ୟାୟରେ ୨୦୦ ବୁଣାକାରଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହ ୨୦୦ ପାଟ ଉତ୍ପାଦନ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ବୁଣାକାରଙ୍କୁ କଞ୍ଚାମାଲ ଯୋଗାଇଦେବା ବ୍ୟବସ୍ଥା ମଧ୍ୟ କରାଯାଇଛି। ପାଟ ବୁଣା ଓ ବିକ୍ରି ପାଇଁ ପ୍ରସିଦ୍ଧ ରେଶମ ସହରରେ ଏହାଦ୍ଵାରା ଏଣିକି ରେଶମ ପାଟ ବୁଣା କ୍ଷେତ୍ରରେ ନୂଆ ଜ୍ଞାନକୌଶଳ ପ୍ରୟୋଗ କରିହେବ। ଏହାଦ୍ୱାରା ରେଶମ ପାଟ ବିକ୍ରି କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ମିଳିବ। ବୁଣାକାରଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲକ୍ଷ୍ୟରେ ଏହାକୁ ୨୦୨୧ ଡିସେମ୍ବର ୧୨ରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ଏବେ ତାଙ୍କ ଯୋଜନା ସାକାର ରୂପ ନେଇଛି।

ଗଞ୍ଜାମ ଜିଲ୍ଲା ପ୍ରଶାସନ, ମିଶନ୍ ଶକ୍ତି, ଓରମାସ ଏବଂ ଓଡ଼ିଶା ଜୀବିକା ମିଶନ୍ (ଓଏଲ୍‌ଏମ୍) ପକ୍ଷରୁ ବ୍ରହ୍ମପୁର ରାମଲିଙ୍ଗମ୍ ପ୍ରମୋଦ ଉଦ୍ୟାନ ନିକଟରେ ମିଶନ୍ ଶକ୍ତି ଡାଏରୀ ଷ୍ଟଲ୍ ଉଦ୍‌ଘାଟନ କରାଯାଇଛି। ଏହି ଷ୍ଟଲ୍‌ରେ ମିଳିବ ଏ-୧ ଜର୍ସି ଗାଈ କ୍ଷୀର, ଏ- ୨ ଦେଶୀ ଗାଈ କ୍ଷୀର ଓ ମଇଁଷି କ୍ଷୀର ସହ ଦେଶୀ ଗାଈ କ୍ଷୀରରୁ ପ୍ରସ୍ତୁତ ପନିର୍, ମିଠା ଦହି, ସାଧାରଣ ଦହି, ଛେନା ପୋଡ଼, ରାବିଡ଼ି, ଘୋଳ ଦହି, ଲସି, ଗୁଣ୍ଡ ଛେନା, କ୍ଷୀରରୁ ପ୍ରସ୍ତୁତ ଚକୋଲେଟ୍‌ ଆଦି। ସୁଲଭ ମୂଲ୍ୟରେ ଓ ସୁବିଧାରେ ପାଇପାରିବେ ସହରବାସୀ। ଛତ୍ରପୁର ବ୍ଲକ୍ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମିଶନ୍ ଶକ୍ତି ଡାଏରୀ ୟୁନିଟ୍ ଦ୍ଵାରା ପରିଚାଳିତ ଏହି ବିକ୍ରୟ କେନ୍ଦ୍ରରେ ନିୟୋଜିତ ହୋଇଛନ୍ତି ୪ଟି ଏସ୍ଏଜିର ୩୫ ଜଣ ସଦସ୍ୟା। ଉଲ୍ଲେଖଯୋଗ୍ୟ ଯେ ଜଗନ୍ନାଥପୁର ଠାରେ ଥିବା ଫାର୍ମରେ ରହିଛି ୨୫ଟି ଜର୍ସି ଗାଈ। ଦେଶୀ ଗାଈ କ୍ଷୀର ଲକ୍ଷ୍ମୀପୁର ପଞ୍ଚାୟତ କ୍ଲଷ୍ଟର ସଦସ୍ୟମାନଙ୍କ ଦ୍ବାରା କ୍ଲଷ୍ଟର ଏବଂ ଡାଏରୀ ଫାର୍ମରୁ ସଂଗ୍ରହ କରାଯାଉଛି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରୟ ଭାଉସାହବେ, ବିଏମ୍‌ସି କମିଶନର ଡ. ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କିର୍ତ୍ତି ଭାସନ, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ ପ୍ରମୁଖ। ମୋଟାମୋଟି ଭାବେ ବିଭିନ୍ନ ଦୃଷ୍ଟିରୁ ଏସବୁ ପ୍ରକଳ୍ପ ଉଦ୍‌ଘାଟନ ବା ଲୋକାର୍ପଣ ରେଶମ ସହରବାସୀଙ୍କୁ ଅଧିକ ସୁବିଧା ସୁଯୋଗ ଆଣିଦେବା ନିଶ୍ଚିତ।