ମହାପ୍ରଭୁ ଜଗନ୍ନାଥଙ୍କ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ଏଥର ଭକ୍ତଙ୍କୁ ଅନୁମତି | News Room Odisha

ମହାପ୍ରଭୁ ଜଗନ୍ନାଥଙ୍କ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ଏଥର ଭକ୍ତଙ୍କୁ ଅନୁମତି

ପୁରୀ – କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର। ଆସନ୍ତା ମେ ମାସ ତିନି ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ଭକ୍ତଙ୍କ ସାମିଲ ନେଇ ଅନୁମତି ମିଳିଛି । ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଭକ୍ତମାନେ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ଥିଲେ। ଏବେ ସଂକ୍ରମଣ କମୁଥିବାରୁ ମହାପ୍ରଭୁଙ୍କ ସମସ୍ତ ଯାତ୍ରାରେ ଭକ୍ତଙ୍କୁ ସାମିଲ କରିବା ପାଇଁ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ ବୈଠକରେ ଚୂଡାନ୍ତ ହୋଇଛି। ଶ୍ରୀମନ୍ଦିର ରୋଷ ଘର ଭିତରେ ଚୁଲା ଭାଙ୍ଗିବା ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମନ୍ଦିର ଭିତରେ ଥିବା ସମସ୍ତ ସିସିଟିଭି ବ୍ୟବସ୍ଥାକୁ ସୁଦୃଢ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ନିଳାଦ୍ରୀ ଭକ୍ତ ନିବାସଠାରେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ସେବାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ।