ସାମାନ୍ୟତମ ଦାୟିତ୍ବ ଭୁଲିଗଲା ଏମସିଏଲ: ଲଜକୁରାବାସୀଙ୍କୁ କିଣା ପାଣି ଭରସା | News Room Odisha

ସାମାନ୍ୟତମ ଦାୟିତ୍ବ ଭୁଲିଗଲା ଏମସିଏଲ: ଲଜକୁରାବାସୀଙ୍କୁ କିଣା ପାଣି ଭରସା

ଝାରସୁଗୁଡ଼ା : ଯେଉଁ ଅଞ୍ଚଳରୁ କୋଇଲା ଖନନ କରି ହଜାର ହଜାର କୋଟି ଟଙ୍କାର ରାଜସ୍ବ ଗୋଟାଉଛି, ସେହି ଅଞ୍ଚଳକୁ ଏମସିଏଲର ଚରମ ଉପେକ୍ଷା। କୋଇଲା ଖଣି ଯୋଗୁଁ ଯମ ଯନ୍ତ୍ରଣା ଭୋଗୁଥିବା ଲଜକୁରାବାସୀ ସାମାନ୍ଯ ପିଇବା ପାଣି ଟିକକ ପାଇଁ ଡହକ ବିକଳ ହେଉଛନ୍ତି। ଏହି ଗ୍ରାମବାସୀଙ୍କୁ ଟ୍ୟାଙ୍କରର କିଣା ପାଣି ହିଁ ସାହାରା ପାଲଟିଛି।

ଝାରସୁଗୁଡ଼ା ଜିଲ୍ଲାରେ ତାତି ବଢ଼ିବା ସାଙ୍ଗକୁ ଜଳାଭାବ ଉତ୍କଟ ରୂପ ନେଲାଣି। ଖାସକରି କୋଇଲାଖଣି ଘେରରେ ଥିବା ବ୍ରଜରାଜନଗର ପୌରାଞ୍ଚଳର ଲଜକୁରା ଗ୍ରାମବାସୀ ତତଲା କଢ଼େଇରେ ଭାଜି ହେଉଛନ୍ତି। ଗାଁରେ ସାଂଘାତିକ ଜଳ ସଂକଟ। ଖଣିରୁ ଟ୍ୟାଙ୍କରରେ ପାଣି ଆସିଲେ ରୋଷେଇ ହୁଏ। ଗାଧୋଇବା ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ପାଣି ପାଇବା ଦୂରୁହ। ଏଭଳି ସ୍ଥିତିରେ ଅନିୟମିତ ଟ୍ୟାଙ୍କର ଜଳଯୋଗାଣ ଏବେ ଲଜକୁରାବାସୀଙ୍କୁ ପାଣି କିଣି କରି ପିଇବାକୁ ବାଧ୍ୟ କରୁଛି।

ଗାଁରେ ଦୁଇ ଶତାଧିକ ପରିବାର ବସବାସ କରି ରହୁଛନ୍ତି। ସେମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ପାନୀୟ ଜଳାଭାବ। ଖଣି ଖନନ ଯୋଗୁଁ ଭୂତଳ ଏବଂ ଭୂପୃଷ୍ଠ ଜଳସ୍ତର ବହୁ ନିମ୍ନଗାମୀ ହୋଇ ସାରିଛି। ଏଭଳି ସ୍ଥିତିରେ ଆବଶ୍ୟକତା ମୁତାବକ ଜଳଯୋଗାଣ ହୋଇ ନ ପାରିବାରୁ ବହୁ ପରିବାରକୁ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଫଳରେ ପୌର ପରିଷଦ ଠାରୁ 500 ଟଙ୍କା ଦେଇ ଗୋଟିଏ ଟ୍ୟାଙ୍କର୍ ପାଣି ନେଇଥିବା କହିଛନ୍ତି ଗ୍ରାମର ବିଷ୍ଣୁ ପ୍ରସାଦ ଦାଶ। 18 ଶହ ଲିଟର ପାଣି ଧରୁଥିବା ଟ୍ୟାଙ୍କର୍ ଦାମ ଆଗରୁ ତିନି ଶହ ଟଙ୍କା ଥିବା ବେଳେ ଏବେ ତାହା 5 ଶହକୁ ବୃଦ୍ଧି କରାଯାଇଛି। ଏଭଳି ଗ୍ରାମର 8ରୁ 10 ପରିବାର ପୌର ପରିଷଦରୁ ଟ୍ୟାଙ୍କର୍ ପାଣି କିଣି ବ୍ୟବହାର କରୁଛନ୍ତି। ସମଲେଶ୍ବରୀ ଖଣି କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି କିଭଳି ଠିକ୍ ସମୟରେ ନିୟମିତ ଜଳଯୋଗାଣ ହୋଇ ପାରିବ ତାହା ସୁନିଶ୍ଚିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।ଖଣି ସଂଲଗ୍ନ ଗ୍ରାମ ଗୁଡ଼ିକରେ ଏଭଳି ଜଳାଭାବର ଭୟଙ୍କର ସ୍ଥିତି ଦେଖିଲେ ଯେ କେହିବି ମୁଣ୍ଡରେ ହାତ ଦେବେ। ଗ୍ରୀଷ୍ମ ପ୍ରବାହ ବୃଦ୍ଧି ସାଙ୍ଗକୁ ଲୋକଙ୍କ ଜଳ ସଙ୍କଟଜନିତ ସମସ୍ୟା ଆହୁରି ସାଂଘାତିକ ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।