ମୋ ସ୍କୁଲ ଅଭିଯାନ : ଖରାଛୁଟିରେ ଆୟୋଜନ ହେବ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ | News Room Odisha

ମୋ ସ୍କୁଲ ଅଭିଯାନ : ଖରାଛୁଟିରେ ଆୟୋଜନ ହେବ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ

ଭୁବନେଶ୍ୱର – କୋଭିଡ ମହାମାରୀ ଯୋଗୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା । ତା’ର ଭରଣା କରିବା ପାଇଁ ଏଥର ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଖରାଛୁଟି ବେଳେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ସ୍କୁଲଗୁଡ଼ିକରେ ଆୟୋଜନ କରିବାକୁ ‘ମୋ ସ୍କୁଲ ଅଭିଯାନ’ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି।

ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ବିକାଶ ପାଇଁ ସ୍କୁଲ ଓ ବ୍ଲକସ୍ତରରେ ‘ମୋ ସ୍କୁଲ’ ଦ୍ୱାରା ମନୋନୀତ ସ୍ୱତନ୍ତ୍ର ସେଚ୍ଛାସେବୀମାନେ କାର୍ଯ୍ୟ କରିବେ । ଭିତ୍ତିଭୂମି ବିକାଶ ସହ ପିଲାମାନଙ୍କ ବୌଦ୍ଧିକ ବିକାଶ ପାଇଁ ଏହି ସ୍ୱେଚ୍ଛାସେବୀମାନେ ଗୁରୁତ୍ୱ ଦେବେ ।‘ମୋ ସ୍କୁଲ’ ପୁରାତନ ଛାତ୍ରଛାତ୍ରୀ ତଥା ମନୋନୀତ ସ୍ୱେଚ୍ଛାସେବୀମାନଙ୍କ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରିବ। ଏଥିପାଇଁ ସ୍କୁଲ ଓ ବ୍ଲକସ୍ତରରେ ସ୍ୱେଚ୍ଛାସେବୀମାନଙ୍କୁ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ମୋ’ ସ୍କୁଲ ଅଭିଯାନର ବରିଷ୍ଠ ଅଧିକାରୀମାନେ ୨୦ଟି ଜିଲ୍ଲା ଗସ୍ତ ୬୯ଟି ବ୍ଲକରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ‘ମୋ ସ୍କୁଲ’ ଦ୍ୱାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରିବାକୁ ବ୍ଲକସ୍ତରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଛନ୍ତି ।