ରାଜ୍ୟରେ ପ୍ରଥମ ଥର ପାଇଁ କୋକେନ ଜବତ | News Room Odisha

ରାଜ୍ୟରେ ପ୍ରଥମ ଥର ପାଇଁ କୋକେନ ଜବତ

ଭୁବନେଶ୍ବର – ରାଜ୍ୟରେ ପ୍ରଥମ ଥର ପାଇଁ ଜବତ ହୋଇଛି କୋକେନ । ଏସ୍‌ଟିଏଫ୍‌ ଟିମ୍‌ ପ୍ରଥମ ଥର ପାଇଁ ରାଜଧାନୀରୁ ୨୦୨ ଗ୍ରାମ ଓଜନର କୋକେନ୍‌ ଜବତ କରିବା ସହ ଦୁଇ ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜସ୍ଥାନ ଚୁରୁ ଜିଲ୍ଲା ହାମିର୍‌ବାସ ଅଞ୍ଚଳର ରଭି ସିଂ ଓ ଝୁନ୍‌ଝୁନ୍‌ ଜିଲ୍ଲା ଖାଡଖାଡ଼ି ଅଞ୍ଚଳର ସନ୍ନି କୁମାର। ସନ୍ନି ନୂଆପଲ୍ଲୀ ଥାନା ସାଲିଆସାହି ତାରିଣୀନଗର ଅଞ୍ଚଳରେ ରୁହେ। ଜବତ କୋକେନ୍‌ର ମୂଲ୍ୟ ୨କୋଟି ଟଙ୍କାରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ତେବେ କୋକେନ୍‌ ଜବତ ଘଟଣା ରାଜ୍ୟରେ ପ୍ରଥମ। ଏହି ଗ୍ୟାଙ୍ଗର ଚେର ରାଜଧାନୀରୁ ଦିଲ୍ଲୀ ଯାଏ ଲମ୍ବିଥିବା ଜଣାପଡ଼ିଛି।

ବିଶେଷସୂତ୍ରରୁ ଏସ୍‌ଟିଏଫ୍‌ ହାତରେ ଖବର ଲାଗିଥିଲା ଯେ, କେହି ଅଣଓଡ଼ିଆ ବ୍ୟବସାୟୀ ବିପୁଳ ପରିମାଣର କୋକେନ୍‌ ନେଇ ରାଜଧାନୀ ଆସିଛନ୍ତି। ଭୁବନେଶ୍ବରରେ ରହୁଥିବା ତାଙ୍କର ଜଣେ ସହଯୋଗୀ ମାଧ୍ୟମରେ ରାଜଧାନୀର ଚିହ୍ନଟ ବ୍ୟବସାୟୀ ଓ ଗ୍ରାହକଙ୍କୁ କୋକେନ୍‌ ଦିଆଯାଇଥାଆନ୍ତା। ଏଥିପାଇଁ ଡିଲ୍‌ ସରିଥିଲା। ଖରବ ପାଇବା ମାତ୍ରେ ମଙ୍ଗଳବାର ସନ୍ଧ୍ୟାରୁ ଏସ୍‌ଟିଏଫ୍‌ ଟିମ୍‌ ରାଜଧାନୀର କୋଣ ଅନୁକୋଣରେ ଚକ୍କର କାଟିଥିଲା। ସେମାନେ ନୂଆପଲ୍ଲୀ ଥାନା ଜାଭିୟର କ୍ରସିଂ ନିକଟରେ ଜଣେ ବ୍ୟବସାୟୀଙ୍କୁ ଅପେକ୍ଷା କରିଥିବା ବେଳେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ କରି ଦୁଇଜଣଙ୍କୁ କାବୁ କରିଥିଲା ।