ଓୟୁଟିଆର୍ ପରିଦର୍ଶନ ରେ ୫ଟି ସଚିବ: ଓୟୁଟିଆର୍ କୁ ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ରେ ପରିଣତ କରାଯିବ | News Room Odisha

ଓୟୁଟିଆର୍ ପରିଦର୍ଶନ ରେ ୫ଟି ସଚିବ: ଓୟୁଟିଆର୍ କୁ ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ରେ ପରିଣତ କରାଯିବ

ଭୁବନେଶ୍ବର: ଓଡ଼ିଶା ବୈଷୟିକ ଗବେଷଣା ବିଶ୍ବବିଦ୍ୟାଳୟ (ଓୟୁଟିଆର୍) କୁ ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ଆଜି ଏହି କେନ୍ଦ୍ର ପରିଦର୍ଶନରେ ଯାଇ ୫ଟି ସଚିବ ଭି.କେ ପାଣ୍ଡିଆନ ଏହା କହିଛନ୍ତି।

ଶ୍ରୀ ପାଣ୍ଡିଆନ ଆଜି ଭୁବନେଶ୍ବର ଘାଟିକିଆ ଠାରେ ଥିବା ଓୟୁଟିଆର୍ ପରିଦର୍ଶନ କରି ସେଠାରେ ଭିତ୍ତିଭୂମିର ବିକାଶ ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି) ଭାବରେ ପରିଚିତ ଥିବାବେଳେ ଏବେ ଏହା ଓୟୁଟିଆର୍ ବା ଓଡିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟରେ ରୂପାନ୍ତରିତ ହୋଇଛି। ୨୦୨୧ ଜୁଲାଇ ୧୭ ତାରିଖରେ ଏହି ପରିବର୍ତ୍ତନ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା।

କଲେଜରୁ ବିଶ୍ବବିଦ୍ୟାଳୟ ହେବାପରେ ଏହାର ଭିତ୍ତିଭୂମିର ବିକାଶକୁ ଦୃଷ୍ଟିରେ ରଖି 5T ସଚିବ ଶ୍ରୀ ପାଣ୍ଡିଆନ ଓ ଆଇଟି ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଆଜି ଏହି କ୍ୟାମ୍ପସ୍ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରି ଭିତ୍ତିଭୂମିର ବିକାଶ ସମ୍ପର୍କ ରେ ଆଲୋଚନା କରିଛନ୍ତି।

ଏହି ଆଲୋଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୩୦୦ କୋଟି ବିନିଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବେଳେ ଅଧିକ ୪ଟି ବିଭାଗ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ୨ରୁ ୩ବର୍ଷ ମଧ୍ୟରେ ବିକାଶ କାର୍ଯ୍ୟ ଓ ଭିତ୍ତିଭୂମି ସ୍ଥାପନ କରି ଜାତୀୟସ୍ତରରେ କିଭଳି ଏହାକୁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ କରାଯିବ ସେଥିପ୍ରତି ଆଲୋଚନାରେ ଗୁରୁତ୍ବ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ବିଶ୍ବବିଦ୍ୟାଳୟରେ ମୋଟ ୨୬ଟି ବିଭାଗ ଥିବା ବେଳେ ୪୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହାକୁ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି।

ବିଶ୍ବବିଦ୍ୟାଳୟର ପ୍ରସ୍ତାବିତ ମାଷ୍ଟର ପ୍ଲାନ ଦେଖିବା ସହ ଭିତ୍ତିଭୂମିର ଆବଶ୍ୟକତା, କର୍ମଚାରୀ ଓ ଅଧ୍ୟାପକଙ୍କ ଆବଶ୍ୟକତା ସମେତ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସମ୍ପର୍କରେ ଶ୍ରୀ ପାଣ୍ଡିଆନ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଓ ବିଭାଗୀୟ ସଚିବଙ୍କ ସହ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଛନ୍ତି।
ଏହି ଗସ୍ତ ସମୟରେ 5T ସଚିବ ବିଶ୍ବବିଦ୍ୟାଳୟର ବିଭିନ୍ନ ଲାବୋରେଟୋରୀ ଓ ସ୍ମାର୍ଟକ୍ଲାସ ବୁଲି ଦେଖିଥିଲେ। ଏହାସହିତ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ଫିଡ଼ବ୍ୟାକ ନେଇଥିଲେ। 5T ସଚିବଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ନିଜ ଶିକ୍ଷାନୁଷ୍ଠାନର ଉନ୍ନତି ବିଷୟରେ ଜାଣି ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି ।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଇଞ୍ଜିନିୟର ପଢ଼ୁଥିବା ଛାତ୍ର ଛାତ୍ରୀ ମାନେ ବିଶେଷ ଭାବରେ ଉପକୃତ ହେବେ
କୋଭିଡ ସମୟରେ ସମଗ୍ର ଦେଶରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲା। ଏହି ସମୟରେ ରାଜ୍ୟରେ ପ୍ରଥମେ ସ୍କୁଲ ଓ ପରେ କଲେଜର ରୂପାନ୍ତରିକରଣ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଏବେ ବିଶ୍ବବିଦ୍ଯାଳୟ ଗୁଡିକର ରୂପାନ୍ତର ପାଇଁ ପଦକ୍ଷେପ ଆରମ୍ଭ ହୋଇଛି।