ବିଜୁ ପ୍ରେମୀଙ୍କ ନିଆରା ଶ୍ରାଦ୍ଧବାର୍ଷିକୀ, ମୁଣ୍ଡନ କଲେ ଶହ ଶହ ବିଜେଡି କର୍ମୀ | News Room Odisha

ବିଜୁ ପ୍ରେମୀଙ୍କ ନିଆରା ଶ୍ରାଦ୍ଧବାର୍ଷିକୀ, ମୁଣ୍ଡନ କଲେ ଶହ ଶହ ବିଜେଡି କର୍ମୀ

ବ୍ରହ୍ମପୁର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିକାଶ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ରାଜ୍ୟତମାମ ଉଲ୍ଲାସର ସହ, ସେବା ମନୋଭାବ ସାଙ୍ଗକୁ, ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଛି। ତିଳତର୍ପଣ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ରୋଗୀଙ୍କୁ ଫଳ ବଣ୍ଟନ, ରକ୍ତଦାନ ଶିବିର ଆୟୋଜନ ସହ ସମ୍ପନ୍ନ ହୋଇଛି ବିଜୁ ବାବୁଙ୍କ ଶ୍ରାଦ୍ଧଦିବସ। ତେବେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ସୀମାଞ୍ଚଳମ୍ ଠାରେ କିଛି ଓଡ଼ିଆ ଯେଭଳି ନିଆରା ଢଙ୍ଗରେ ବିଜୁ ଶ୍ରାଦ୍ଧବାର୍ଷିକୀ ପାଳିଛନ୍ତି ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଦାକ୍ଷିଣାତ୍ୟରେ ବିଜେ ପ୍ରଭୁ ଶ୍ରୀହରିଙ୍କ ଏହି ପବିତ୍ର ତଥା ଜନପ୍ରସିଦ୍ଧ ପୀଠରେ ସେମାନେ ନିଜ ପ୍ରିୟଜନଙ୍କୁ ହରାଇ ଯେଭଳି ସମସ୍ତେ ନିଜ ମସ୍ତକ ମୁଣ୍ଡନ କରିଥାନ୍ତି, ମୁଣ୍ଡରୁ ବାଳ କଟାଇଥାନ୍ତି ସେହିପରି ଏହି ଓଡ଼ିଆମାନେ ଆଜି ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ନିଜ ମୁଣ୍ଡକୁ ମୁଣ୍ଡନ କରାଇଛନ୍ତି।

ସୀମାଞ୍ଚଳମ୍ ପୀଠରେ ଭିନ୍ନ ଢଙ୍ଗରେ ବିଜୁ ଶ୍ରାଦ୍ଧବାର୍ଷିକୀରେ ସାମିଲ ହୋଇଥିଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ର ଶହ ଶହ ବିଜେଡି କର୍ମୀ, ଅଞ୍ଚଳର ବୁଦ୍ଧିଜୀବୀ ଓ ବିଜୁ ପ୍ରେମୀ। ସେମାନଙ୍କ ନେତୃତ୍ବ ନେଇଥିଲେ ବ୍ଲକ୍‌ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର। ଏହି ବିଜେଡି କର୍ମୀମାନେ ନିଜ ଅଞ୍ଚଳରୁ ଏକାଧିକ ସ୍ବତନ୍ତ୍ର ବସ୍ ଯୋଗେ ସିମାଞ୍ଚଳମ୍ ଯାତ୍ରା କରିଥିଲେ। ସେଠାରେ ପହଞ୍ଚି ସମସ୍ତେ ଏହି ଦିନ ସାମୂହିକ ମୁଣ୍ଡନ କରାଇଥିଲେ। ଆମର ମାନସିକ ପୂରଣ ହୋଇଛି ବୋଲି କହିଥିଲେ ସେହି ଓଡ଼ିଆ ବ୍ୟକ୍ତିବିଶେଷ। କେବଳ ସେତିକି ନୁହେଁ, ସିମାଞ୍ଚଳମ୍‌ରେ ଏକ ସ୍ମୃତିସଭା ମଧ୍ୟ ଆୟୋଜନ କରିଥିଲେ ଏହି ବିଜେଡି ନେତା ଓ କର୍ମୀଗଣ। ସୀମାଞ୍ଚଳ ମନ୍ଦିର ପରିସରରେ ବିଜୁ ବାବୁଙ୍କ ଫଟୋଚିତ୍ର ସ୍ଥାପନ କରି ମାଲ୍ୟାର୍ପଣ ସହିତ ବିଜୁବାବୁଙ୍କ ଗୁଣଗାନ କରିଥିଲେ ଏବଂ ଓଡ଼ିଶାର ବିକାଶରେ ପ୍ରବାଦ ପୁରୁଷଙ୍କ ଅବଦାନର ସ୍ମୃତିଚାରଣ କରାଯାଇ ଥିଲା।