ଅଢ଼ଙ୍ଗଗଡ଼ର ପଶ୍ଚିମେଶ୍ୱର ମହାଦେବ, ଯୋନିପୀଠରେ ପୂଜା ପାଉଛନ୍ତି ଶିବଲିଙ୍ଗ | News Room Odisha

ଅଢ଼ଙ୍ଗଗଡ଼ର ପଶ୍ଚିମେଶ୍ୱର ମହାଦେବ, ଯୋନିପୀଠରେ ପୂଜା ପାଉଛନ୍ତି ଶିବଲିଙ୍ଗ

ରାଜା ରାଜୁଡ଼ା ଯୁଗରେ ଜଗତସିଂହପୁର ଜିଲ୍ଲା ବିରିଡି ତହସିଲ ଅନ୍ତର୍ଗତ ଅଢ଼ଙ୍ଗଗଡ଼ରେ ଶାସନ କରୁଥିଲେ ରାଜା ରଘୁରାମ ଚମ୍ପତି ରାୟ l ରଘୁରାମଙ୍କ ପୂର୍ବରୁ ତାଙ୍କ ପୂର୍ବ ପୁରୁଷମାନେ ଏଠାରେ ଶାସନ କରୁଥିଲେ। ବର୍ତ୍ତମାନଅଢ଼ଙ୍ଗଗଡ଼ ରେ ନା କୌଣସି ଗଡ଼ ରହିଛି, ନା କୌଣସି ରାଜବାଟୀର ଚିହ୍ନବର୍ଣ୍ଣ ଦେଖିବାକୁ ମିଳେ l ସବୁକିଛି ମାଟିରେ ମିଶି ଧୂଳିସାତ ହୋଇଛି l କେବଳ ପୂର୍ବର ରାଣୀ ତାଙ୍କ ବିବାହ ସମୟରେ ଆଣିଥିବା ଦୁର୍ଗା ପ୍ରତିମା ଏକ ଚାଳି ଘରେ ପୂଜା ପାଉଥିବା ବେଳେ ଅନ୍ୟଏକ ଚାଳ ଘରେ ପୂଜା ପାଉଛି ପୂର୍ବ ପୁରୁଷଙ୍କ ଅସ୍ତ୍ରଶସ୍ତ୍ର l

ଏହି ଅଞ୍ଚଳରେ ରହିଛି ତିନୋଟି ଶିବ ମନ୍ଦିର ଯାହାକି ଅଢ଼ଙ୍ଗଗଡ଼ର ରାଜବଂଶ ଦ୍ୱାରା ନିର୍ମାଣ କରାଯାଇଥିଲା l ସେଥିମଧ୍ୟରୁ ଏକ ମନ୍ଦିର ହେଉଛି ପଶ୍ଚିମେଶ୍ୱର_ମହାଦେବ_ମନ୍ଦିର।

ପଶ୍ଚିମେଶ୍ୱର_ମହାଦେବ_ମନ୍ଦିର: ଅଢ଼ଙ୍ଗଗଡ଼ ପରିସରରେ ରାଜା ରଘୁରାମ ଚମ୍ପତି ରାୟଙ୍କ ପୂର୍ବ ପୁରୁଷଙ୍କ ଦ୍ୱାରା ଏହି ପୁରାତନ ଶିବ ମନ୍ଦିରଟି ନିର୍ମିତ ହୋଇଥିଲା l ଏହି ମନ୍ଦିରଟି ପଶ୍ଚିମେଶ୍ୱର ମହାଦେବ ନାଁରେ ଖ୍ୟାତ l ଏହି ମନ୍ଦିରଟି ଅତି ପ୍ରାଚୀନ ନ ହେଲେ ବି ନିହାତି ଭାବେ ଚାରିଶହ ବା ପାଞ୍ଚଶହ ବର୍ଷ ପୁରୁଣା ହେବ l ପୋଡ଼ା ଇଟା, ପଥର ଓ ଚୂନ ଗୁଡ଼ରେ ତିଆରି । ହୋଇଥିବା ମନ୍ଦିର ଉଚ୍ଚତା ପ୍ରାୟ ତିରିଶ ଫୁଟ ହେବ l ରେଖ ବିମାନ ଓ ପୀଢ଼ ଶୈଳୀର ଜଗମୋହନ ସହିତ ସମ୍ମୁଖ ଭାଗରେ ଏକ ପଥର ନିର୍ମିତ ନାଟ ମଣ୍ଡପ ରହିଛି l କାରୁକାର୍ଯ୍ୟ ରହିତ ଏହି ମନ୍ଦିର ଗାତ୍ରରେ ଗଣେଶ, କାର୍ତ୍ତିକ ଓ ପାର୍ବତୀଙ୍କ ପ୍ରତିମା ରହିଛି l ଜଗମୋହନ ମଧ୍ୟ ଭାଗରେ ଵୃଷବ ଓ ଗର୍ଭ ଗୃହରେ ବୃତ୍ତାକାର ଯୋନିପୀଠରେ ଶିବଲିଙ୍ଗ ପ୍ରତିଷ୍ଠିତ ହୋଇଛନ୍ତି l ଏହିପରି ଶିବଲିଙ୍ଗ ଓଡ଼ିଶାରେ କ୍ଵଚିତ ଦେଖିବାକୁ ମିଳିଥାଏ।। ଏହି ମନ୍ଦିରରେ ଶିବରାତ୍ରି ବଡ଼ ଆଡମ୍ବରରେ ପାଳିତ ହୋଇଥାଏ। ବାବା ବହୁତ ପ୍ରତ୍ୟକ୍ଷ ହୋଇ ଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ବାବା ଆସ୍ଥା ଓ ବିଶ୍ୱାସର ପ୍ରତୀକ।