୫-ଟି ସଚିବଙ୍କ କଟକ ଚଣ୍ଡି ମନ୍ଦିର ପରିଦର୍ଶନ: ୭ ଦିନ ମଧ୍ୟରେ ମନ୍ଦିରର ଉନ୍ନତିକରଣ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ | News Room Odisha

୫-ଟି ସଚିବଙ୍କ କଟକ ଚଣ୍ଡି ମନ୍ଦିର ପରିଦର୍ଶନ: ୭ ଦିନ ମଧ୍ୟରେ ମନ୍ଦିରର ଉନ୍ନତିକରଣ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ

କଟକ: ସପ୍ତାହେ ମଧ୍ଯରେ ମାଁ କଟକ ଚଣ୍ଡୀଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ଯୋଜନା ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭିକେ ପାଣ୍ଡିଆନ ପ୍ରତ୍ୟୁଷରେ ମାଁ କଟକ ଚଣ୍ଡୀଙ୍କ ମନ୍ଦିର ପରିଦର୍ଶନ କରି ଏହି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା 5T ସଚିବ ଭି.କେ. ପାଣ୍ଡିଆନ ଆଜି ପ୍ରତ୍ୟୁଷରେ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ମାଆଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାମ ସଂପର୍କରେ ସେବାୟତ, ଜିଲ୍ଲାପ୍ରଶାସନ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି।

ମନ୍ଦିରର ଉନ୍ନତି କରଣ ତଥା ଅନ୍ୟାନ୍ୟ ବିକାଶ କାର୍ଯ୍ୟ ପାଇଁ ୭ ଦିନ ମଧ୍ୟରେ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ କଟକର ପ୍ରସିଦ୍ଧ ଚଣ୍ଡୀ ମନ୍ଦିର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା ଓ ଆସ୍ଥାର ପ୍ରତୀକ। ଏହି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏଥିପାଇଁ ମନ୍ଦିର କମିଟି ଜିଲ୍ଲା ପ୍ରଶାସନ ସହିତ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସଂପର୍କରେ ଆଲୋଚନା କରିବ ବୋଲି ସେ ପ୍ରକାଶ କରିଛନ୍ତି।

ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ 5T ସଚିବ ଆଲୋଚନା କରିବା ସହ ମନ୍ଦିରର ଅଞ୍ଚଳ ବୁଲି ଦେଖିଛନ୍ତି । ମନ୍ଦିରରେ ଥିବା ସମସ୍ୟା, ବିଶେଷ କରି ଜଳ ନିଷ୍କାସନ, ପାର୍କିଂ ଓ ମରାମତି ନେଇ ମନ୍ଦିର କର୍ତ୍ତୃପକ୍ଷ 5T ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ କାମ ହାତକୁ ନିଆଯାଇଛି ବୋଲି ଜଣାଯାଇଛି।

ମନ୍ଦିରକୁ ଅଧିକ ସୁନ୍ଦର କରିବା ସହ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ସମସ୍ତଙ୍କ ସହଯୋଗରେ ମନ୍ଦିରର ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେବ।

5T ସଚିବଙ୍କ ଗସ୍ତ ସମୟରେ ଆରଡିସି, ଜିଲ୍ଲାପାଳ ସିଏମସି କମିଶନର, ଡିସିପି, ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।