ମାଓପ୍ରବଣ ପାଟଦରାକୁ ଜିଲ୍ଲାପାଳଙ୍କ ପ୍ରଥମ ଗସ୍ତ, ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି | News Room Odisha

ମାଓପ୍ରବଣ ପାଟଦରାକୁ ଜିଲ୍ଲାପାଳଙ୍କ ପ୍ରଥମ ଗସ୍ତ, ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋ‌ଡ଼େନ ବ୍ଲକ୍‌ ଭଇଁଷାଦାନୀ ପଞ୍ଚାୟତ ୧୭ଟି ଗ୍ରାମର ଆଦିବାସୀମାନେ ଗତକାଲି ଜିଲ୍ଲାପାଳଙ୍କ ପାଖକୁ ଆସି ପାଟଦରାକୁ ନିମନ୍ତ୍ରଣ କରିଥିଲେ। ଆଦିବାସୀଙ୍କ କଥାକୁ ରଖି ବୁଧବାର ଗାଁକୁ ପ୍ରଥମ କରି ଜିଲ୍ଲାପାଳ ସ୍ବଧାଦେବ ସିଂହ ଓ ଏସ୍‌ପି ପ୍ରତ୍ୟୁଷ ଦିବାକର ଗସ୍ତ କରିଛନ୍ତି। ଜିଲ୍ଲାପାଳଙ୍କୁ ଗ୍ରାମବାସୀ ପ୍ରଥମ କରି ଦେଖିବା ପରେ ଭବ୍ୟ ସ୍ବାଗତ କରି ‌ପାଟଦରା ଗାଁକୁ ପାଛୋଟି ନେଇଥିଲେ। ଏହି ଅବସରରେ ପାଟଦରାରେ ଏକ ସାପ୍ତାହିକ ହାଟର ଉଦ୍‌ଘାଟନ କରିବା ସହ ଉପସ୍ଥିତ ଗ୍ରାମବାସୀଙ୍କ ସହ ଜିଲ୍ଲାପାଳ ଓ ଏସ୍‌ପି ତଳେ ବସି ଆଲୋଚନା କରିଥିଲେ।

ପ୍ରଥମ କରି କୌଣସି ଜିଲ୍ଲାପାଳଙ୍କୁ ପାଖରେ ପାଇ ଗ୍ରାମବାସୀ ସମସ୍ୟାଗୁଡ଼ିକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟତଃ ଗମନା ଗମନ, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା ଓ ବିଦ୍ୟୁତ ଯୋଗାଣ ଆଦି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ। ସବୁ ସମସ୍ୟାର ସମାଧାନ କରାଯିବା ନେଇ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ପରେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଜିଲ୍ଲାପାଳ ଧୋବଘାଟ ସହ ପାଟଦରା ଓ କରକପାଣି ଆଦି ପଡ଼ା ବୁଲି ଦେଖିଥିଲେ।