ମେ ୧୫ରୁ ତାରାତାରିଣୀ ପୀଠ ପ୍ରତିଷ୍ଠା ଉତ୍ସବ | News Room Odisha

ମେ ୧୫ରୁ ତାରାତାରିଣୀ ପୀଠ ପ୍ରତିଷ୍ଠା ଉତ୍ସବ

ଛତ୍ରପୁର: ବହୁ ପ୍ରତିକ୍ଷୀତ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପ୍ରତିଷ୍ଠା ଉତ୍ସବ ମେ ମାସ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳିତ ହେବ। ଏଥିସକାଶେ ଆଜି ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବୈଠକରେ ଅବଗତ କରାଇଥିଲେ ଯେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ପୀଠ ରାଜ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ୫୦ କୋଟିର କାର୍ଯ୍ୟ ଇତି ମଧ୍ୟରେ ଶେଷ ହେବାକୁ ଯାଉଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ଶୁଭ ଦୃଷ୍ଟିରୁ ଏହି ମନ୍ଦିର ତା’ର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିପାରିଛି।

ମନ୍ଦିରଟିର ପ୍ରତିଷ୍ଠା ଉତ୍ସବ ଦୀର୍ଘ ୬ ଦିନ ବ୍ୟାପୀ ବିଭିନ୍ନ ନୀତିକର୍ମ ଦ୍ୱାରା ଆୟୋଜିତ ହେବ। କେଉଁ ଦିନ କେଉଁ ନୀତି ହେବ, କେଉଁମାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେବ, ଯାତ୍ରା ସମୟରେ କେଉଁ ଭଳି ବ୍ୟବସ୍ଥାମାନ ସର୍ବସାଧାରଣଙ୍କ ସୁବିଧା ଦୃଷ୍ଟିରୁ କରାଯିବ ତାହା ଆଲୋଚନା କରାଯାଇଥିଲା। ୫ ଲକ୍ଷରୁ ୭ ଲକ୍ଷ ଜନଗହଳି ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯିବ। ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ ତଥା କୋଭିତ୍ ପ୍ରକୋପ ସମ୍ଭାବନା ହେତୁ ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ନିମନ୍ତ୍ରଣ ନ କରି କେବଳ ଗଞ୍ଜାମ ଜିଲ୍ଲାର ବାସିନ୍ଦା ତଥା ଭକ୍ତଗଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ। ପୁରୀ ମନ୍ଦିରର ମୁକ୍ତି ମଣ୍ଡପର ସ୍ବୀକୃତି ଆବଶ୍ୟକ ହେବ। ଗଞ୍ଜାମ ଜିଲ୍ଲାର ୬ ଗୋଟି ତାଲୁକାର ରାଜପଣ୍ଡିତବର୍ଗଙ୍କୁ ନିମନ୍ତ୍ରଣ ରହିବ। ଏହି ଉତ୍ସବ ପାଳନ ସକାଶେ ବିଭିନ୍ନ କମିଟି ଗଠନ କରି ଶାନ୍ତିଶୃଙ୍ଖଳାର ସହିତ ଏବଂ ଦୁର୍ଘଟଣାବିହୀନ ଯେପରି ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଉପସ୍ଥିତ ସମସ୍ତ ଅଧିକାରୀ ତଥା କର୍ମକର୍ତ୍ତାମାନଙ୍କୁ ଜିଲ୍ଲାପାଳ ଜଣାଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ନିମନ୍ତେ ଅତିରିକ୍ତ ଆରକ୍ଷୀ ଅଧ୍ୟିକ୍ଷକ ଠାକୁର ପ୍ରସାଦ ପାତ୍ର ମତ ରଖିଥିଲେ। ସମସ୍ତ ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯିବ। ମନ୍ଦିର ପରିବେଶକୁ ସଫାସୁତୁରା ରଖିବା ଦିଗରେ ଜନସଚେତନତା ଆବଶ୍ୟକ। ସ୍ଥାୟୀ ଭାବେ ପାଦ ଧୋଇବା ସ୍ଥାନ, ପାନୀୟ ଜଳ ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀ, ପୁରୀ ଗଜପତି ମହାରାଜ, ଶଙ୍କରାଚାର୍ଯ୍ୟଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ପ୍ରତିଷ୍ଠା ଦିବସ ପାଳନ କରିବାକୁ ସ୍ବଳ୍ପ ଦିନ ଥିବା ହେତୁ ସମସ୍ତ ବ୍ୟବସ୍ତାକୁ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।