ଇନଡୋର୍ ବ୍ୟାଡ୍‌ମିଣ୍ଟନ୍ କୋର୍ଟ ଉଦଘାଟିତ | News Room Odisha

ଇନଡୋର୍ ବ୍ୟାଡ୍‌ମିଣ୍ଟନ୍ କୋର୍ଟ ଉଦଘାଟିତ

ବ୍ରହ୍ମପୁର: କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ଦିଗରେ ବ୍ରହ୍ମପୁର ପାଇଁ ଆଉ ଏକ ସୁଯୋଗ। ଆମ୍ବପୁଆ- ବସନ୍ତ ବିହାର ଠାରେ ଉଦ୍‌ଘାଟିତ ହୋଇଛି ଇନ୍‌ଡୋର୍ ବ୍ୟାଡ୍‌ମିଣ୍ଟନ୍ କୋର୍ଟ। ୫୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କ୍ରୀଡ଼ାଙ୍ଗନରେ ୨ଟି ଆଧୁନିକ କୋର୍ଟ ରହିଛି ଯାହା ଖେଳାଳିଙ୍କୁ ଅଭ୍ୟାସ ସହ ପ୍ରତିଯୋଗିତା ଆୟୋଜନରେ ବେଶ୍ ସହାୟକ ହୋଇପାରିବ। ସହରର ବ୍ୟାଡ୍‌ମିଣ୍ଟନ୍ ଖେଳାଳିଙ୍କ ପାଇଁ ଏହା ଅଧିକ ସୁଯୋଗ ଆଣିଦେବ। ଉଦ୍‌ଘାଟନୀ ସଭାରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ, ବିଏମ୍‌ସି କମିଶନର ଡ. ସିଦ୍ଧେଶ୍ଵର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ ପ୍ରମୁଖ ଉପସ୍ଥିତ ଥିଲେ। ଶୀଘ୍ର ସହରରେ ୨ଟି ଟେବୁଲ ଟେନିସ୍ କୋର୍ଟ ଉଦ୍‌ଘାଟିତ ହେବ ବୋଲି ଏହି ଅବସରରେ ସୂଚନା ଦିଆଯାଇଛି।

ଗୋଟିଏ ପଟେ ବ୍ରହ୍ମପୁର ଷ୍ଟାଡିୟମର ଆଧୁନିକୀକରଣ ସହ ନୂତନ ଖେଳ ସକାଶେ ସୁବିଧା ସୃଷ୍ଟି କରାଯାଉଛି। ପୁଣି ବିଏମସି ଦ୍ବାରା ଲୋକାର୍ପିତ ସ୍ପୋର୍ଟସ ଏରେନା ଆହୁରି ସୁବିଧା ଜନକ ହୋଇଛି। ଖଲ୍ଲିକୋଟ କଲେଜ ଷ୍ଟାଡିୟମର ନବୀକରଣ କାର୍ଯ୍ୟ ଚାଲୁ ରହିଛି। ଆଗାମୀ ଦିନରେ କେ ସି ହାଇସ୍କୁଲ ପଡ଼ିଆରେ ଏକ ଟେନିସ କୋର୍ଟ ନିର୍ମାଣ ହେବାକୁ ଯାଉଛି। ଇଞ୍ଜିନିୟରିଂ ସ୍କୁଲ ପଡିଆରେ ବିକାଶ ମଧ୍ୟ କରାଯାଇଛି। ମୋଟାମୋଟି ଭାବେ ଖେଳକୁଦ ଓ ଖେଳାଳିଙ୍କ ବିକାଶ ନିମନ୍ତେ ରେଶମ ସହର ତଥା ବିଏମସି ପ୍ରଶାସନର ପ୍ରୟାସ ସଫଳ ରୂପ ନେବାରେ ଲାଗିଛି।