ଡେବ୍ରିଗଡ଼ରୁ ଉଚ୍ଛେଦ ପରେ ବଦଳିଲା ୪ ଗ୍ରାମବାସୀଙ୍କ ଭାଗ୍ୟ- ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା | News Room Odisha

ଡେବ୍ରିଗଡ଼ରୁ ଉଚ୍ଛେଦ ପରେ ବଦଳିଲା ୪ ଗ୍ରାମବାସୀଙ୍କ ଭାଗ୍ୟ- ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ସମ୍ବଲପୁର: ଦୀର୍ଘ 7 ଦଶନ୍ଧି ଧରି ଡେବ୍ରିଗଡ ଅଭୟାରଣ୍ୟ ଭିତରେ ବିକାଶରୁ ବହୁ ଦୂରରେ ରହି ଆସିଥିଲେ। ନାଁ ଗାଁକୁ ଥିଲା ସବୁ ଦିନିଆଁ ରାସ୍ତା ଟିଏ, ନାଁ ପହଞ୍ଚିପାରୁଥିଲା ବିଜୁଳି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ପ୍ରତି ସୁବିଧାରୁ ବଞ୍ଚିତ ହୋଇ ଆସୁଥିଲେ ଏମାନେ। ହେଲେ ବର୍ତ୍ତମାନ ଏମାନେ ବି ବିକାଶର ନୂତନ ସ୍ରୋତରେ ସାମିଲ ହୋଇଛନ୍ତି। ଗୋଟିଏ ପଟେ ଡେବ୍ରିଗଡ ଅଭୟାରଣ୍ୟ ଏବଂ ଅନ୍ୟ ପଟେ ହୀରାକୁଦ ଜଳଭଣ୍ଡାର। ଏହାରି ଭିତରେ ଅଭିଶପ୍ତ ଜୀବନ କାଟି ଆସିଥିବା 4ଟି ଗ୍ରାମବାସୀ ଏବେ ଅନ୍ୟତ୍ର ସ୍ଥାନାନ୍ତର ହେବା ପରେ ସରକାରଙ୍କ ଦ୍ବାରା ସବୁ ପ୍ରକାର ମୌଳିକ ସୁବିଧା ପାଇ ଖୁସିରେ ଆତ୍ମହରା ହୋଇ ଉଠିଛନ୍ତି। ଆଉ ଏହି ସଫଳ ଉଚ୍ଛେଦ ସହ ଥଇଥାନକୁ ମୁଖ୍ୟମନ୍ତ୍ରୀ ବି ପ୍ରଶଂସା କରିଛନ୍ତି।

ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକର ରେଙ୍ଗାଲି, ଭୁତୁଲି ଏବଂ କୁରୁମକେଲ ସମେତ ଅତାବିରା ବ୍ଲକର ଲାମ୍ବିପାଲି ଗାଁ ହୀରାକୁଦ ବନ୍ଧ ଦ୍ବାରା ବିସ୍ଥାପିତ ହୋଇ ଜଳଭଣ୍ଡାର କୂଳରେ ବସତି ସ୍ଥାପନ କରି ଆସିଥିଲେ। ଗୋଟିଏ ପଟେ ଡେବ୍ରିଗଡର ଅଭୟାରଣ୍ୟ ଏବଂ ଅନ୍ୟ ପଟେ ହୀରାକୁଦ ଜଳଭଣ୍ଡାରର ବିସ୍ତୀର୍ଣ ଜଳରାଶି। ଏହାରି ଭିତରେ ହଜି ଯାଇଥିଲା ସେମାନଙ୍କ ଭାଗ୍ୟ। ଜଙ୍ଗଲ ଜମି ସମେତ ହୀରାକୁଦ ଜଳଭଣ୍ଡାରର ନିଷିଦ୍ଧାଞ୍ଚଳ ଅଞ୍ଚଳରେ ବସି ଥିବାରୁ ଏଠାକୁ ଗମନାଗମନ ଓ ବିଜୁଳି ପରି ମୌଳିକ ସୁବିଧା ସାତସପନ ପାଲଟିଥିଲା। ଏପରିକି ଶିକ୍ଷା, ସ୍ବାସ୍ଥ୍ୟରୁ ଆରମ୍ଭ କରି ପାନୀୟ ଜଳଯୋଗାଣ ଯାଏ ଅସୁବିଧା ଭୋଗି ଆସୁଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ନିଜସ୍ବ ପଟ୍ଟା ନଥିବାରୁ ବିଜୁ ପକ୍କା ଘର ବି ଏମାନଙ୍କ ଭାଗ୍ୟରେ ଜୁଟୁନଥିଲା। କେବଳ ଜଳଭଣ୍ଡାରରୁ ମାଛ ମାରି କଷ୍ଟେମଷ୍ଟେ ଏଠିକାର ପରିବାର ଜୀବିକା ନିର୍ବାହ କରି ଆସୁଥିଲେ। ଅପରପକ୍ଷେ, ଡେବ୍ରିଗଡର ବିକାଶରେ ବି ଏହି ଗାଁ ଗୁଡିକ ଅନ୍ତରାୟ ସୃଷ୍ଟି କରୁଥିଲା।

ଏଭଳି ସ୍ଥିତିରେ ଏହି 4ଟି ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ହୀରାକୁଦ ବନ୍ୟ ପ୍ରାଣୀ ଡିଭିଜନ୍ ପ୍ରାୟ ବର୍ଷକ ତଳୁ ଯୋଜନା କରିଥିଲା। ଏଥିରୁ ଅତାବିରା ଲାମ୍ବିପାଲି ଗାଁର ପ୍ରାୟ 60 ପରିବାରକୁ ଗାଁରୁ ପ୍ରାୟ 15 କିମି ଦୂରକୁ ସ୍ଥାନାନ୍ତର କରିବାକୁ ସ୍ଥିର ହୋଇଥିଲା। ଏଥିପାଇଁ ଗାଁରେ ବାରମ୍ବାର ଗ୍ରାମସଭା କରି ଲୋକଙ୍କ ସହମତି ଲୋଡା ଯାଇଥିଲା। ଆଉ ସରକାରଙ୍କ ମହତ ଉଦ୍ଦେଶ୍ୟ ଜାଣିବା ପରେ ଗ୍ରାମବାସୀ ବି ଏଥିରେ ରାଜି ହୋଇଥିଲେ। ଏଥିରେ ପ୍ରତି ପରିବାରକୁ 15 ଲକ୍ଷ ଟଙ୍କା, ବିଜୁ ପକ୍କା ଘର ସହିତ ବିଜୁଳି, ପାନୀୟ ଜଳ ଆଦି ସବୁ ସୁବିଧା ଉପଲବ୍ଧ କରାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାଛଡା ଅସ୍ଥାୟୀ କ୍ୟାମ୍ପସରେ ବି ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦେବାକୁ ବିଭାଗ ପ୍ରତିଶ୍ରୁତି ଦେଇଥିଲା। ଆଉ ଏହାକୁ ପ୍ରଥମ ପର୍ଯ୍ଯାୟରେ କାର୍ଯ୍ୟକାରୀ କରିବାରେ ବିଭାଗ ସଫଳ ହୋଇଥିଲା। ଲୋକେ ହସି ହସି ଭିଟାମାଟି ଛାଡି ବର୍ତ୍ତମାନ ଅସ୍ଥାୟୀ କ୍ୟାମ୍ପସରେ ରହୁଛନ୍ତି।

ସେପଟେ, ଦ୍ବିତୀୟ ପର୍ଯ୍ୟାୟରେ ଅମ୍ବାଭୋନା ବ୍ଲକର ରେଙ୍ଗାଲି, ଭୂତୁଲି ଏବଂ କୁରୁମକେଲ ଗାଁ ବି ଇତିମଧ୍ୟରେ ଡେବ୍ରିଗଡରୁ ଉଚ୍ଛେଦ ହୋଇ ଖୁଲା ପଞ୍ଚାୟତ ଅନ୍ତର୍ଗତ ଅସ୍ଥାୟୀ କ୍ୟାମ୍ପକୁ ସ୍ଥାନାନ୍ତର ହୋଇଛନ୍ତି। ଏହି ଅସ୍ଥାୟୀ କ୍ୟାମ୍ପରେ ପ୍ରାୟ 275 ପରିବାର ପାଇଁ ଆଜବେଷ୍ଟସ୍ ଘର ସହିତ ରାସ୍ତାଘାଟ, ବିଜୁଳି, ପାନୀୟଜଳ ଏପରିକି ପିଲାଙ୍କ ପାଇଁ ସ୍କୁଲ ଓ ପାର୍କ ଆଜି ସମସ୍ତ ବ୍ୟବସ୍ଥା କରାଯାଇଛି। ଆଉ ପ୍ରତି ପରିବାରକୁ 15 ଲକ୍ଷ ଟଙ୍କା ସହିତ ସ୍ଥାନାନ୍ତର ଖର୍ଚ୍ଚ ବି ପ୍ରଦାନ କରାଯାଇଛି। ଆଉ ସ୍ଥାୟୀ ଭାବେ ବସତି ସ୍ଥାପନ କରିବାକୁ ଥିବା ଜାଗା ବି ଚିହ୍ନଟ ସରିଥିବା ବେଳେ ବିଜୁ ପକ୍କା ଘର ଯୋଜନା ସଂପୂର୍ଣ ମାଗଣାରେ ଘର ଯୋଗାଇ ଦିଆଯିବ।

ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାସ ବାରମ୍ବାର ଏହି ଅସ୍ଥାୟୀ କ୍ୟାମ୍ପକୁ ଗସ୍ତ କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝୁଛନ୍ତି। ଆଉ ନିକଟରେ ଥିବା ଗାଁ ଗୁଡିକର ଲୋକେ ବି ଏହି ଉଚ୍ଛେଦ ହୋଇଥିବା ଗାଁର ଲୋକଙ୍କୁ ଅତି ଆଦରରେ କୋଳେଇ ନେଇଛନ୍ତି। ଡେବ୍ରିଗଡର ସୁରକ୍ଷା ଦୃଷ୍ଟିରୁ ଏବଂ ଏହି ଗାଁଗୁଡିକର ବିକାଶ ଦୃଷ୍ଟିରୁ ହୋଇଥିବା ଏହି ଉଚ୍ଛେଦ ଏବଂ ଥଇଥାନ କାମର ସଫଳତାକୁ ମୁଖ୍ୟମନ୍ତ୍ରୀ ବି ପ୍ରଶଂସା କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି।