ଉପାନ୍ତ ଅଞ୍ଚଳରେ ପହଞ୍ଚିଲା ସ୍ବାସ୍ଥ୍ୟସେବା, ଉପକୃତ ହେଲେ 900 ରୋଗୀ | News Room Odisha

ଉପାନ୍ତ ଅଞ୍ଚଳରେ ପହଞ୍ଚିଲା ସ୍ବାସ୍ଥ୍ୟସେବା, ଉପକୃତ ହେଲେ 900 ରୋଗୀ

ବୌଦ୍ଧ: ଉପାନ୍ତ ତଥା ଅପହଞ୍ଚ ଇଲାକାର ଛାତ୍ରୀ ନିବାସ ଦିନଟିଏ ପାଇଁ ପାଲଟିଲା ଡାକ୍ତରଖାନା । ଆମ୍ବୁଲାନ୍ସ ସେବା ଅପହଞ୍ଚ ଥିବା ଅଞ୍ଚଳରେ ବିଭିନ୍ନ ବିଭାଗରେ ଚିକିତ୍ସା ତଥା ମାଗଣା ଔଷଧ ପାଇଁ ରୋଗୀ ଓ ଅଞ୍ଚଳବାସୀ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।

ଉପାନ୍ତ ଅଞ୍ଚଳରେ ପହଞ୍ଚିଲେ ଓଡ଼ିଶାର ବଛା ବଛା ଡାକ୍ତର । ରୋଗୀଙ୍କ ଚିକିତ୍ସା ସହିତ ମାଗଣାରେ ଔଷଧ କଲେ ପ୍ରଦାନ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଉପାନ୍ତ ଆମ୍ବଗାଁ ପଞ୍ଚାୟତରେ ଆଜି(ଶୁକ୍ରବାର) ସ୍ବାସ୍ଥ୍ୟ ବିଭାଗ ଆୟୋଜନ କରିଥିଲା ମେଗା ସ୍ବାସ୍ଥ୍ୟ ଶିବିର । ଆମ୍ବଗାଁ ସହିତ ନାରାୟଣପ୍ରସାଦ, ଉମା, ଖମନମୁଣ୍ଡା, ବରଗାଁ, ଖମନମୁଣ୍ଡା, ଖୁଣ୍ଟିଗୋରା ଭଳି ପଞ୍ଚାୟତର ଅନେକ ଗାଁରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିବା ସହିତ ଆମ୍ବୁଲାନ୍ସ ସେବା ମଧ୍ୟ ପହଞ୍ଚି ପାରିନଥାଏ ।

ତେଣୁ ଏହି ଉପାନ୍ତ ଅଞ୍ଚଳରେ ଥିବା ଆମ୍ବଗାଁ ଛାତ୍ରୀ ନିବାସରେ ଆୟୋଜନ ହୋଇଥିବା ସ୍ବାସ୍ଥ୍ୟ ଶିବିରରେ ସମୁଦାୟ 917 ଜଣ ରୋଗୀ ସ୍ବାସ୍ଥ୍ୟ ପରୀକ୍ଷା ସହିତ ମାଗଣାରେ ଔଷଧ ପାଇଛନ୍ତି । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବିଶେଷଜ୍ଞ ଡାକ୍ତରମାନେ ଏହି ଶିବିରରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷା, ସିଡିଏମଓ ପ୍ରମୁଖ ଯୋଗ ଦେଇଥିଲେ । ଏଭଳି କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳବାସୀ ବେଶ ଖୁସି ପ୍ରକାଶ କରିବା ସହିତ ପ୍ରତ୍ୟେକ ମାସରେ ଏଭଳି ଶିବିର ଆୟୋଜନ ପାଇଁ ଅନୁରୋଧ କରିଥିଲେ ।