ଅଢ଼ଙ୍ଗଗଡ଼: ସ୍ମଶାନ ନିକଟରେ ବିରାଜମାନ କରିଛନ୍ତି ଶ୍ରୀନୀଳକଣ୍ଠେଶ୍ଵର, ଏହି ସ୍ଥାନରୁ ମିଲିଥିଲା ଦେବୀ ସୁଭଦ୍ରାଙ୍କ ଦାରୁ | News Room Odisha

ଅଢ଼ଙ୍ଗଗଡ଼: ସ୍ମଶାନ ନିକଟରେ ବିରାଜମାନ କରିଛନ୍ତି ଶ୍ରୀନୀଳକଣ୍ଠେଶ୍ଵର, ଏହି ସ୍ଥାନରୁ ମିଲିଥିଲା ଦେବୀ ସୁଭଦ୍ରାଙ୍କ ଦାରୁ

ଅଢ଼ଙ୍ଗଗଡ଼ର ପଶ୍ଚିମେଶ୍ୱର ମନ୍ଦିର ଠାରୁ ଅନତୀ ଦୂରରେ ନୀଳକଣ୍ଠେଶ୍ୱତ ମହାଦେବ ନାମରେ ଆଉ ଏକ ପୁରୁଣା ଶିବ ମନ୍ଦିର ରହିଛି l ଗ୍ରାମ୍ୟ ପରିବେଶରେ ବୃକ୍ଷଲତା ଘେରା ପ୍ରାକୃତିକ ପରିବେଶରେ ବିରାଜମାନ କରିଛନ୍ତି ବାବା ନୀଳକଣ୍ଠେଶ୍ୱ। ମନ୍ଦିର ନିକଟରେ ଏକ ଜଳାଶୟ ବି ରହିଛି l ପୀଢ଼ ଶୈଳୀର ଏହି ମନ୍ଦିରରେ ପାର୍ଶ୍ଵଦେବଦେବୀଙ୍କ ପ୍ରତିମା ରହିଥିଲେ ହେଁ କୌଣସି ପ୍ରାଚୀନ ମୂର୍ତ୍ତି ଓ କୀର୍ତ୍ତିରାଜି ଏଠାରେ ଦେଖିବାକୁ ମିଳେ ନାହିଁ l

ଏହି ମନ୍ଦିରର ବିଶେଷତ୍ୱ ହେଉଛି, ନବକଳେବର ସମୟରେ ଏଠାରୁ ଦେବୀ ସୁଭଦ୍ରାଙ୍କ ଦାରୁ ସନ୍ଧାନ ହୋଇଥିଲା l ଯାହାର ସ୍ମାରକ ସ୍ୱରୂପ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଏକ ଚକ ସେଠାରେ ସ୍ଥାପନା କରା ଯାଇଛି l

କଟକରୁ ଜଗତସିଂହପୁର ଯିବା ରାସ୍ତାରେ, ବାଲିଆ ଓ ଅଣଖିଆ ମଝିରେ ବାମ ଦିଗକୁ ଏକ ରାସ୍ତା ପଡ଼ିଛି ଅଢ଼ଙ୍ଗଗଡ଼କୁ l ସେଇ ଅଢ଼ଙ୍ଗଗଡ଼ ଗ୍ରାମରେ ସ୍ୱଳ୍ପ ପରିଚିତ ଏଇ ଦୁଇ ପୁରୁଣା ଶିବ ମନ୍ଦିର ବିରାଜମାନ କରିଛନ୍ତି l ସ୍ଥାନୀୟ ଜନସାଧାରଣ ଏହାକୁ ସ୍ୱୟଂ ଆବିର୍ଭୁତ ଲିଙ୍ଗ ହିସାବରେ ଏହାଙ୍କୁ ଆରାଧନା କରିଥାନ୍ତି। ବାବା ପ୍ରଥମେ ମୁକ୍ତାକାଶ ତଳେ ଥିଲେ। ପରବର୍ତ୍ତୀ ସମୟରେ ରାଜା ରଘୁରାମ ଚମ୍ପତି ରାୟଙ୍କ ପୂର୍ବ ପୁରୁଷଙ୍କ ଦ୍ୱାରା ଏହି ପୁରାତନ ଶିବ ମନ୍ଦିରଟି ନିର୍ମିତ ହୋଇଥିଲା l ଦେବୀ ସୁଭଦ୍ରାଙ୍କ ଦାରୁ ଏହି ପୀଠରୁ ସଂଗୃହିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏହି ପୀଠର ମାହାତ୍ମ୍ୟ ଦ୍ବିଗୁଣିତ ହୋଇଛି।