ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଦାନ କରାଗଲା ପ୍ରଥମ ଲତା ଦିନାନାଥ ମଙ୍ଗେସକର ପୁରସ୍କାର | News Room Odisha

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଦାନ କରାଗଲା ପ୍ରଥମ ଲତା ଦିନାନାଥ ମଙ୍ଗେସକର ପୁରସ୍କାର

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରବିବାର ପ୍ରଥମ ଲତା ଦିନାନାଥ ମଙ୍ଗେସକର ପୁରସ୍କାର ପ୍ରଦାନ କରାଯାଇଛି।

ମଙ୍ଗେସକର ପରିବାର ଏବଂ ମାଷ୍ଟର ଦିନାନାଥ ମଙ୍ଗେସକର ସ୍ମୃତି ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ଶୁଭାରମ୍ଭ କରାଯାଇଛି | ଦେଶ ତଥା ସମାଜ ପ୍ରତି ଅନୁକରଣୀୟ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ଏହି ପୁରସ୍କାରରେ ସମ୍ମାନିତ କରାଯିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଲତା ମଙ୍ଗେସକର ତାଙ୍କର ବଡ଼ ଭଉଣୀ । ସେ କହିଛନ୍ତି, ମୁଁ ଗର୍ବିତ ଅନୁଭବ କରୁଛି ଯେ ଲତା ଦିଦି ମୋର ବଡ଼ ଭଉଣୀ ଥିଲେ। ପୀଢ଼ି ପରେ ପୀଢ଼ି ପ୍ରେମ ଏବଂ ଭାବନାର ଉପହାର ଦେଇଥିବା ଲତା ଦିଦିଙ୍କ ଠାରୁ ଜଣେ ବଡ଼ ଭଉଣୀ ପରି ମୁଁ ସର୍ବଦା ଅପାର ସ୍ନେହ ପାଇଛି, ଏହାଠାରୁ ଅଧିକ ସୌଭାଗ୍ୟର କଥା କଣ ହୋଇପାରେ |

ମୋଦି କହିଛନ୍ତି, ଯେତେବେଳେ ପୁରସ୍କାର ଲତା ଦିଦିଙ୍କ ପରି ଜଣେ ବଡ଼ ଭଉଣୀଙ୍କ ନାମରେ ପ୍ରଦାନ କରାଯାଏ, ମୋ ପାଇଁ ଏହା ତାଙ୍କ ସମ୍ପୃକ୍ତି ଏବଂ ସ୍ନେହର ପ୍ରତୀକ ଅଟେ | ମୁଁ ଏହି ପୁରସ୍କାରକୁ ସମସ୍ତ ଦେଶବାସୀଙ୍କୁ ଉତ୍ସର୍ଗ କରୁଛି | ଯେପରି ଲତା ଦିଦି ଲୋକଙ୍କର ଥିଲେ, ସେହିଭଳି ତାଙ୍କ ନାମରେ ମୋତେ ଦିଆଯାଇଥିବା ଏହି ପୁରସ୍କାରଟି ଲୋକଙ୍କର ଅଟେ |
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ମଧ୍ୟ ଭାରତକୁ ସ୍ୱର ଦେଇଥିବା ଲତା ମଙ୍ଗେଶକରଙ୍କ ସ୍ୱର ଦେଶର ୭୫ ବର୍ଷର ଯାତ୍ରା ସହିତ ଜଡିତ ରହିଛି। ସଂଗୀତ ପ୍ରତି ଅବଦାନ ପାଇଁ ଦେଶ ମଙ୍ଗେସକର ପରିବାର ପାଇଁ ଋଣୀ ବୋଲି ସେ କହିଛନ୍ତି।