ଶିଶୁ ଯତ୍ନ ଓ ସୁରକ୍ଷା ଯୋଜନାରେ ଆଦର୍ଶ ଗଞ୍ଜାମ ଜିଲ୍ଲାର ବୋରସିଂ ପଞ୍ଚାୟତ | News Room Odisha

ଶିଶୁ ଯତ୍ନ ଓ ସୁରକ୍ଷା ଯୋଜନାରେ ଆଦର୍ଶ ଗଞ୍ଜାମ ଜିଲ୍ଲାର ବୋରସିଂ ପଞ୍ଚାୟତ

ଛତ୍ରପୁର: ତୃଣମୂଳ ପଞ୍ଚାୟତସ୍ତରରେ ଶାସନ ଓ ପ୍ରଶାସନ ହେଉ ବା ଯୋଜନା କାର୍ଯ୍ୟକାରିତା, ସୌନ୍ଦର୍ଯ୍ୟକରଣ ହେଉ ବା ମହିଳା ସଶକ୍ତୀକରଣ ଅଥବା ବର୍ଜ୍ୟବସ୍ତୁ ପରିଚାଳନା… ଏଭଳି ଅନେକ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଅନେକ ପଞ୍ଚାୟତ ଆଦର୍ଶ ସୃଷ୍ଟି କରିବାରେ ଲାଗିଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ବୋରସିଙ୍ଗି ପଞ୍ଚାୟତ। ୧୪୦ ହେକ୍ଟରରେ ବ୍ୟାପ୍ତ ଏହି ଗ୍ରାମ ପଞ୍ଚାୟତର ଜନସଂଖ୍ୟା ହେଉଛି ୫୮୬ ପରିବାରର ୨୫୩୬ ଜଣ। ଆସିକା ସଂସଦୀୟ ତଥା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ତଥା କବିସୂର୍ଯ୍ୟନଗର ବ୍ଲକ୍ ସଦର ମହକୁମାରୁ ମାତ୍ର ୬ କିମି ଦୂର ଏହି ପଞ୍ଚାୟତ ଶିଶୁ ଯତ୍ନ, ସୁରକ୍ଷା ଓ ସେମାନଙ୍କ ବିକାଶ ସମ୍ପର୍କିତ ଯୋଜନା କାର୍ଯ୍ୟକାରିତାରେ ଜାତୀୟ ପୁରସ୍କାର ହାସଲ କରିଛି। ଜାତୀୟ ପଞ୍ଚାୟତ ସମ୍ମାନ ୨୦୨୧ ଅନ୍ତର୍ଗତ ବୋରସିଙ୍ଗି ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଯାଇଛି ‘ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ ସମ୍ମାନ’।

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ବୋରସିଙ୍ଗି ପଞ୍ଚାୟତର ଶିଶୁ ଅନୁକୂଳ ଯୋଜନା ତଥା କୌଶଳକୁ ଉଚ୍ଚପ୍ରଶଂସା କରିବା ସହ ଦେଶର ଅନ୍ୟ ସମସ୍ତ ଗ୍ରାମ ପଞ୍ଚାୟତ ପାଇଁ ଏକ କେସ୍ ଷ୍ଟଡି ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛି। ଶିଶୁ ବିକାଶ ଦୃଷ୍ଟିରୁ ପ୍ରଭାବୀ ପଦକ୍ଷେପ ଗ୍ରହଣ ସକାଶେ ଆଦର୍ଶ ଭାବେ ବୋରସିଙ୍ଗି ପଞ୍ଚାୟତକୁ ଗ୍ରହଣ କରାଯାଇଛି। ମନ୍ତ୍ରଣାଳୟ ମୁତାବକ ବୋରସିଙ୍ଗି ପଞ୍ଚାୟତ ସ୍ଥାନୀୟସ୍ତରରେ ଶିଶୁଙ୍କ ବିକାଶ ଦୃଷ୍ଟିରୁ ଉଲ୍ଲେଖନୀୟ କୌଶଳକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ସଫଳ ହୋଇପାରିଛି।

ଗାଁରେ ରହିଛି ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର। ଉଭୟ ଅତ୍ୟନ୍ତ ସ୍ବଚ୍ଛ ଓ ନିର୍ମଳ ଅଟେ। ଶିଶୁଙ୍କ ନିମନ୍ତେ ଆବଶ୍ୟକ ସମସ୍ତ ସାମଗ୍ରୀସମ୍ପନ୍ନ ଅଟେ ଏହି ଦୁଇ କେନ୍ଦ୍ର। ବାଳକ ଓ ବାଳିକାଙ୍କ ସକାଶେ ସ୍ବତନ୍ତ୍ର ଓ ସଫା ଶୌଚାଳୟ ରହିଛି। ହାତ ଧୁଆରେ ସମସ୍ତ ଶିଶୁ ଉତ୍ତମ ରୂପେ ଅଭ୍ୟସ୍ତ। କେନ୍ଦ୍ର ଦ୍ଵୟର ପାଣି କଳ ନିକଟ କାନ୍ଥରେ ହାତ ଧୁଆର ଉପଯୁକ୍ତ ପ୍ରଣାଳୀ ଛପା ହୋଇ ରହିଛି। ଆଶା- ଅଙ୍ଗନବାଡ଼ି କର୍ମୀ ପରସ୍ପର ସମନ୍ବୟ ରଖି ଶିଶୁଙ୍କ ଉପଯୁକ୍ତ ଯତ୍ନ ଓ ପ୍ରତିପୋଷଣ କରି ଆସୁଛନ୍ତି। କେବଳ ଏତିକି ନୁହେଁ, ଉଚିତ ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷଣ ଚାର୍ଟ ଏବଂ ଶିଶୁଙ୍କ ଟିକାକରଣ- ଉଚ୍ଚତା- ଓଜନ ବାବଦ ରେଜିଷ୍ଟର୍‌କୁ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ସଠିକ୍ ବଜାୟ ରଖି ଆସୁଛନ୍ତି। ବୋରସିଙ୍ଗି ପଞ୍ଚାୟତରେ କୌଣସି ଶିଶୁ ଅପପୁଷ୍ଟିର ଶିକାର ନାହାନ୍ତି କିମ୍ବା କାହାର ଓଜନ ନିର୍ଦ୍ଧାରିତ ମାପକ ଠାରୁ ନ୍ୟୁନ ନୁହେଁ ବୋଲି କେନ୍ଦ୍ର ମନ୍ତ୍ରଣାଳୟର ରିପୋର୍ଟରେ ଉଲ୍ଲେଖ ରହିଛି।

ଆହୁରି ମଧ୍ୟ ଆଶା କର୍ମୀମାନେ ପଞ୍ଚାୟତର ସମସ୍ତ କିଶୋରୀଙ୍କୁ ନିଃଶୁଳ୍କ ସାନିଟାରୀ ନାପ୍‌କିନ୍‌ ପ୍ରଦାନ କରିବା ସହ ତାହାର ବିତରଣ ବାବଦ ସମସ୍ତ ତଥ୍ୟ ବା ରେକର୍ଡ ବଜାୟ ରଖିଛନ୍ତି। ବାଳିକାମାନଙ୍କ ମଧ୍ୟରେ ଭିଟାମିନ୍ ଓ ଆଇରନ୍ (ଲୌହ) ବଟିକା ବିତରଣ କରି ସେମାନଙ୍କ ଶରୀର ପାଇଁ ବିଭିନ୍ନ ପୋଷକ ତତ୍ତ୍ଵର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହୋଇ ଆସୁଛନ୍ତି ଆଶା କର୍ମୀ। କେବଳ ଏତିକି ନୁହେଁ, ପଞ୍ଚାୟତରେ ଏକ ଅତ୍ୟନ୍ତ ସକ୍ରିୟ ଗ୍ରାମ୍ୟସ୍ତରୀୟ ଶିଶୁ ସୁରକ୍ଷା କମିଟି କାର୍ଯ୍ୟରତ ଅଟେ। ଏଣୁ ସବୁ ଦୃଷ୍ଟିରୁ ଏହି ପଞ୍ଚାୟତ ଶିଶୁଙ୍କ ପ୍ରଗତି ପାଇଁ ଅତ୍ୟନ୍ତ ଅନୁକୂଳ ପରିବେଶ ବିକଶିତ କରିପାରିଛି।

ଉଲ୍ଲେଖଯୋଗ୍ୟ ଯେ- ଗଞ୍ଜାମ ଜିଲ୍ଲା ନିକଟରେ ୬ଗୋଟି ଜାତୀୟ ପଞ୍ଚାୟତ ପୁରସ୍କାର ବିଭିନ୍ନ ବର୍ଗରେ ହାସଲ କରିଛି। ପୁରସ୍କୃତ ହୋଇଛି ଜିଲ୍ଲାର ୨ ଗୋଟି ବ୍ଲକ୍ ଓ ୪ ଗୋଟି ଗ୍ରାମ ପଞ୍ଚାୟତ। ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ୍ ସମେତ ଶେରଗଡ଼ ବ୍ଲକ୍‌ର ସାରୁ ପଞ୍ଚାୟତ, ରଙ୍ଗେଇଲୁଣ୍ଡା ବ୍ଲକ୍ କେଲୁଆପଲ୍ଲୀ ପଞ୍ଚାୟତକୁ ‘ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତୀକରଣ’ ପୁରସ୍କାର ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ସେହିପରି ଗଞ୍ଜାମ ବ୍ଲକ୍ କାଇଁଚପୁର ପଞ୍ଚାୟତକୁ ‘ଚାଇଲ୍ଡ ପଞ୍ଚାୟତ’ ଏବଂ ମହୁପଦର ପଞ୍ଚାୟତକୁ ‘ନାନାଜୀ ଗ୍ରାମସଭା’ ପୁରସ୍କାର ପ୍ରଦାନ କରାଯାଇଛି।